ନୂଆଦିଲ୍ଲୀ: ସପ୍ତମ ବେତନ ଆୟୋଗ (କମିସନ)ଙ୍କ ସୁପାରିସ କାର୍ଯ୍ୟକାରୀ ଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଅନେକ ଲାଭବାନ ହୋଇଛନ୍ତି। ୨୦୧୬ ଜାନୁଆରୀଠାରୁ ଦେଶରେ ସପ୍ତମ ବେତନ କମିସନ ଲାଗୁ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କ ବେତନ ଢାଞ୍ଚା ନିର୍ଦ୍ଧାରଣ ଲାଗି କେନ୍ଦ୍ର ସରକାର ବେତନ କମିସନ ଗଠନ କରିଥାନ୍ତି। କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ବେତନ ଢାଞ୍ଚା ନିର୍ଦ୍ଧାରଣ କରିଥାନ୍ତି। ରାଜ୍ୟ ସରକାରଗୁଡିକ ମଧ୍ୟ ନିଜ କର୍ମଚାରୀଙ୍କ ବେତନକୁ କମିସନଙ୍କ ସୁପାରିସ ଆଧାରରେ ଧାର୍ଯ୍ୟ କରିଥାନ୍ତି।
ମାତ୍ର ଏଣିକି ସରକାରୀ କର୍ମଚାରୀଙ୍କ ବେତନ ନିର୍ଦ୍ଧାରଣ ଲାଗି ଆଉ କମିସନ ଗଠନ କରାଯିବ ନାହିଁ। ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କର୍ମଚାରୀଙ୍କ ବେତନ ଢାଞ୍ଚାରେ ପରିବର୍ତ୍ତନ ଲାଗି ଆଉ କମିସନ ଗଠନ ହେବ ନାହିଁ। ବେତନ କମିସନ ପରିବର୍ତ୍ତେ ସରକାର ଆଉ ଏକ ନୂଆ ଫର୍ମୁଲା (ସୂତ୍ର) ଆଧାରରେ କର୍ମଚାରୀଙ୍କ ବେତନ ନିର୍ଦ୍ଧାରଣ କରିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଓ କାର୍ଯ୍ୟଧାରାକୁ ଆଧାର କରି ଦରମା ବୃଦ୍ଧି କରାଯିବ। ସେହିପରି ନୂଆ ଫର୍ମୁଲା (ସୂତ୍ର) ଅନୁଯାୟୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ପ୍ରତିଶତରୁ ଅଧିକ ହେଲେ ଏହା ସ୍ବୟଂକ୍ରିୟ ଭାବେ ମୂଳ ଦରମାରେ ସଂଯୁକ୍ତ ହୋଇଯିବ।
ଦେଶ ସ୍ବାଧୀନତା ପରଠାରୁ କେନ୍ଦ୍ର ସରକାର ନିୟମିତ ଭାବେ ବେତନ କମିସନ ନିଯୁକ୍ତି କରି କର୍ମଚାରୀଙ୍କ ବେତନରେ ପରିବର୍ତ୍ତନ କରିଆସୁଛନ୍ତି। ୧୯୪୬ ଜାନୁଆରୀରେ ପ୍ରଥମ ବେତନ କମିସନ ଗଠନ କରାଯାଇଥିଲା। ୧୯୪୭ ମେ’ରେ କମିସନ ତାଙ୍କ ରିପୋର୍ଟ ତତ୍କାଳୀନ ମଧ୍ୟବର୍ତ୍ତୀ କାଳୀନ ସରକାରକୁ ପ୍ରଦାନ କରିଥିଲେ। ଶ୍ରୀନିବାସ ବରଦାଚାରିୟଙ୍କ ଅଧ୍ୟକ୍ଷତାରେ ଏହି କମିସନ ଗଠିତ ହୋଇଥିଲା। ଦେଶ ସ୍ବାଧୀନତାର ୧୦ବର୍ଷ ପରେ ୧୯୫୭ରେ ଦ୍ବିତୀୟ ବେତନ କମିସନ ଗଠନ ହୋଇଥିଲା। ପର୍ଯ୍ୟାୟକ୍ରମେ ୭ଟି ବେତନ କମିସନ ଗଠନ ହୋଇଥିଲା। ୨୦୧୪ରେ ୟୁପିଏ ସରକାରଙ୍କ ଦ୍ବାରା ୭ମ ବେତନ କମିସନ ଗଠନ ହୋଇଥିଲା। ଜଷ୍ଟିସ ଅଶୋକ କୁମାର ମାଥୁର ଏହାର ଅଧ୍ୟକ୍ଷ ଥିଲେ। ୧୮ମାସ ପରେ କମିସନ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟର ସୁପାରିସ ଅନୁଯାୟୀ ୨୦୧୬ ଜାନୁଆରୀ ୭ମ ବେତନ କମିସନ କାର୍ଯ୍ୟକାରୀ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଗୁଡିକ କମିସନଙ୍କ ସୁପାରିସ ଆଧାରରେ ନିଜ କର୍ମଚାରୀଙ୍କ ବେତନ ଧାର୍ଯ୍ୟ କରିଥିଲେ।