ମଙ୍କିପକ୍ସ ଭୁତାଣୁକୁ ନେଇ ବିଦେଶରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି। ଏହି ଭୁତାଣୁର ସଂକ୍ରମଣ ଗତି ଓ ପରିବର୍ତ୍ତିତ ରୂପ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଥିବା କୁହାଯାଇଛି।
ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)କୁ କେନ୍ଦ୍ର ସରକାର ଶୁକ୍ରବାର ଦିନ ଏକ ସତର୍କ ସୂଚନା ଜାରି କରି ବିଦେଶରେ ମଙ୍କିପକ୍ସ ରୋଗ ମାମଲାରେ ଘଟୁଥିବା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିଛି। ଏ ନେଇ ସଂକ୍ରାମକ ରୋଗ ବିଶେଷଜ୍ଞ ଡଃ ଈଶ୍ବର ଗିଲଦା କହିଛନ୍ତି ଯେ, ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯିବା ଉଚିତ ଏବଂ ଏ ନେଇ ସତର୍କତା ଜରୁରୀ। ସେ କହିଛନ୍ତି, ବିଦେଶରେ ଏହି ଭୁତାଣୁ ଜନିତ ସଂକ୍ରମଣକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲେ ମଧ୍ୟ, ଭାରତରେ ଏହା ଆଗାମୀ ଦିନରେ କିଭଳି ରୂପ ଧାରଣ କରିବା ଓ କେତେ ଲୋକ ପ୍ରଭାବିତ ହେଉଛନ୍ତି ତାହା ଅଧ୍ୟୟନ କରିବା ଆବଶ୍ୟକ। ସେ ସ୍ପଷ୍ଟ କରିଛନ୍ତି, ମଙ୍କିପକ୍ସ ସଂକ୍ରମଣ ହାଡଫୁଟି ଭଳି ଭୟଙ୍କର ନୁହେଁ।
ସେ କହିଛନ୍ତି ଯେ ମଙ୍କିପକ୍ସ ସଂକ୍ରମଣର ଚିକିତ୍ସା ପଦ୍ଧତି ଜଣାପଡିନାହିଁ ଏବଂ ଏହା ମଧ୍ୟ ସ୍ପଷ୍ଟ ହୋଇନାହିଁ ଯେ ହାଡଫୁଟି ପାଇଁ ବ୍ୟବହାର ହେଉଥିବା ଟୀକା ଏହାର ଚିକିତ୍ସା ହୋଇପାରିବ କି ନାହିଁ। ବୋଧହୁଏ ଏହା ଏକ ଚିକିତ୍ସା ଭାବରେ ବ୍ୟବହୃତ ହୋଇପାରେ, କିନ୍ତୁ ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ ବୋଲି ସେ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ୧୧ଟି ଦେଶରେ ବ୍ୟାପିଥିବା ମଙ୍କିପକ୍ସ ସଂକ୍ରମଣ ଉପରେ ବିସ୍ତୃତ ଭାବରେ ଡଃ ଈଶ୍ବର ଗିଲଦା କହିଛନ୍ତି ଯେ, ଏହିପରି ଜୀବାଣୁ ପଶୁମାନଙ୍କଠାରେ ବ୍ୟାପିଥାଏ ଏବଂ ପରେ ମଣିଷମାନଙ୍କୁ ଆକ୍ରାନ୍ତ କରେ। ଯେଉଁଭଳି ଏଚଆଇଭି ପ୍ରଥମେ ପଶୁମାନଙ୍କ ଠାରୁ ମଣିଷକୁ ବ୍ୟାପିଥିଲା, ସେହିପରି ମଙ୍କିପକ୍ସ ହେଉଛି ଜୁନୋଟିକ୍ ଯାହା ପଶୁମାନଙ୍କ ଠାରୁ ମଣିଷକୁ ବ୍ୟାପିଥାଏ।
୧୯୫୮ ମସିହାରେ ପ୍ରଥମେ ମଧ୍ୟ ଆଫ୍ରିକାର ବର୍ଷା ଜଙ୍ଗଲ ଅଞ୍ଚଳରେ ମଙ୍କିପକ୍ସ ମାଙ୍କଡ଼ମାନଙ୍କ ଠାରେ ଦେଖାଯାଇଥିଲା। କିନ୍ତୁ ଏହା ପରେ ଏହା ହୁଏତ ମଣିଷମାନଙ୍କ ନିକଟରେ ବ୍ୟାପି ଥିଲା କିନ୍ତୁ ପ୍ରଥମେ ଏହି ରୋଗ ୧୯୮୦ ଦଶକରେ ଚିହ୍ନଟ ହୋଇଥିଲା ବୋଲି ଡଃ ଈଶ୍ବର ଗିଲଦା କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ମଙ୍କିପକ୍ସର ଲକ୍ଷଣ ହେଉଛି ଜ୍ୱର, କୁଣ୍ଡେଇ ହେବା ଏବଂ ନାକ ପୁଡା ଫୁଲିବା। ସାଧାରଣତଃ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ଏହି ଲକ୍ଷଣ ପ୍ରକାଶ ପାଇଥାଏ।