mobile header

ସିଫା ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା କୃଷି ବିଜ୍ଞାନ କ୍ଷେତ୍ରରେ ଅଧିକ ଗବେଷଣା ସହ ବୈଜ୍ଞାନିକ ଓ ବୈଷୟିକ ଜ୍ଞାନର ଆଦାନ ପ୍ରଦାନ ହେବ । ଯାହାଦ୍ୱାରା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ କୃଷକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ସୂଚନା ମିଳିଛି ।
ଏହି ଅବସରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁଙ୍କ ସମେତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଜାତୀୟ ପ୍ରଫେସର ଡଃ ପି. କେ. ସାହୁ, ସିଫାର ପ୍ରଧାନ ବୈଜ୍ଞାନିକ ଡଃ ମୃଣାଳ ସାମନ୍ତ, ବୈଷୟିକ ଅଧିକାରୀ ଡଃ ଉତ୍କଳଲକ୍ଷ୍ମୀ ମହାନ୍ତି, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ରଜୀତା କୁଲକର୍ଣ୍ଣୀ, କୁଳପତି ପ୍ରଫେସର ଡଃ ବି. ଆର୍. ଶର୍ମା, ରେଜିଷ୍ଟ୍ରାର ଡଃ ଡି. ପି. ସାହୁ, କୃଷି ବିଭାଗ ଡିନ୍ ପ୍ରଫେସର ଏସ୍. କୁମାର ସ୍ୱାମୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର କୁଲକର୍ଣ୍ଣୀ କହିଥିଲେ ଯେ, ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଆଇସିଏଆର୍-ସିଫାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜଳକୃଷି ଉପରେ ଅଧିକ ଗବେଷଣା କରିବା ସହିତ ସେଠାରୁ ପ୍ରଶିକ୍ଷଣ ପାଇ ନିଜର ଭବିଷ୍ୟତ ଉଜ୍ଜ୍ୱଳ କରିପାରିବେ । ବିଶ୍ୱବିଦ୍ୟାଳୟର ପ୍ରମୁଖ କାର୍ଯ୍ୟକ୍ରମ ସଂପର୍କରେ ପ୍ରଫେସର ଡି. ପି. ସାହୁ ଓ ଡଃ କୁମାର ସ୍ୱାମୀ ସୂଚନା ଦେଇଥିଲେ। କୃଷକମାନଙ୍କର ରୋଜଗାର ବୃଦ୍ଧି ପାଇଁ ସିଫା ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଗବେଷଣାଲବ୍ଧ ଜ୍ଞାନକୌଶଳ ଓ କାର୍ଯ୍ୟକ୍ରମ ସଂପର୍କରେ ସିଫାର ନିର୍ଦ୍ଦେଶକ ଡଃ ସ୍ୱାଇଁ ଆଲୋକପାତ କରିଥିଲେ। ଜଳଜୀବ ପାଳନ ଗବେଷଣା କ୍ଷେତ୍ରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୈଷୟିକ ଜ୍ଞାନ ଆହରଣ କରି ନିଜର ଜୀବିକା ନିର୍ବାହକୁ ସଶକ୍ତ କରିବା ପାଇଁ ଜାତୀୟ ପ୍ରଫେସର ଡଃ ପି. କେ. ସାହୁ ନିଜ ବକ୍ତବ୍ୟରେ ଗୁରୁତ୍ୱରୋପ କରିଥିଲେ। ସିଫା ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ସହ ସ୍ୱାକ୍ଷରିତ ବୁଝାମଣାପତ୍ର ସଂପର୍କରେ ପ୍ରଧାନ ବୈଜ୍ଞାନିକ ଡଃ ମୃଣାଳ ସାମନ୍ତ ସୂଚନା ଦେଇଥିଲେ।

Leave A Reply

Your email address will not be published.