mobile header

ପୁରୁଣା ଗାଡି ପାଇଁ ବାଧ୍ୟତାମୂଳକ ସିକ୍ୟୁରିଟି ନମ୍ବର ପ୍ଲେଟ୍ । ଜାଣନ୍ତୁ ବୁକିଂର ସବିଶେଷ ପ୍ରକ୍ରିୟା ।

୨୦୧୯ ମସିହା ପୂର୍ବରୁ ପଞ୍ଚିକୃତ ଗାଡିରେ ପୁରୁଣା ନମ୍ବର ପ୍ଳେଟ୍ ବଦଳରେ ‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍’ ବା (ଏଚଏସଆରପି ) ଲଗାଇବା ପାଇଁ ଆସନ୍ତା ଜୁନ୍ ପହିଲାରୁ ବୁକିଂ ଆରମ୍ଭ ହେଉଛି । ଏଥିପାଇଁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନ୍ୟୁଫ୍ୟାକଚରର୍ (ସିଆମ୍) ପକ୍ଷରୁ ଏକ ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଏଥିରେ ଗାଡିର ସବିଶେଷ ସୂଚନା ଦିଆଯିବା ପରେ ଗାଡି ମାଲିକଙ୍କୁ ତାଙ୍କ ପସନ୍ଦ ଅନୁସାରେ ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଦିନ ଓ ସ୍ଥାନ ଧାର୍ଯ୍ୟ କରିବେ । ଗାଡି ନିର୍ମାତା କମ୍ପାନୀ ଗୁଡିକଙ୍କ ଅନୁସାରେ, ବିଭିନ୍ନ ଗାଡିର ନମ୍ବର ପ୍ଳେଟ୍ ପାଇଁ ଅଲଗା ଅଲଗା ମୂଲ୍ୟ ଧାର୍ଯ୍ୟ କରାଯାଇଛି ।

ନମ୍ବର ପ୍ଲେଟ୍ ଲଗାଇବା ପାଇଁ ବୁକ୍ିଙ୍ଗ ପାଇଁ ସୋମବାର ରାଜ୍ୟ ପରିବହନ କମିସନର (ଏସଟିଏ) କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ଗାଡି ମାଲିକ କିପରି ତାଙ୍କ ଗାଡି ନମ୍ବର ପ୍ଲେଟ୍ ପରିବର୍ତ୍ତନ ପାଇଁ ଆବେଦନ କରିବେ ସେନେଇ ଏସଟିଏ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ସିଆମ୍ ପୋର୍ଟାଲକୁ ଯାଇ ‘ବ୍ଲକ ମାଇଁ ଏଚଏସଆରପି’ ରେ କ୍ଲିକ୍ କରିବେ । ଏହାପରେ ପୋର୍ଟାଲରେ ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡିର ସୂଚନା ଦେବେ । କେଉଁ କମ୍ପାନୀ ଗାଡି, ଇଞ୍ଜିନ୍ ନମ୍ବର ଓ ଚେସିସ୍ ନମ୍ବର ଲେଖିବାକୁ ପୋର୍ଟାଲ ପକ୍ଷରୁ କୁହାଯିବ ।

ଏହାକୁ କି୍ଲକ୍ କରିବା ପରେ ରାଜ୍ୟ ସରକାରଙ୍କ ବାହାନ ପୋର୍ଟାଲରୁ ଗାଡି ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରି ଏହି ପୋର୍ଟାଲରେ ଯଦି ସବୁ ତଥ୍ୟ ଠିକ ଥାଏ ତେବେ କେଉଁ ଦିନ , କେଉଁ ସ୍ଥାନରେ ଗାଡି ନମ୍ବର ଲଗାଇବାକୁ ଚାହୁଁଛନ୍ତି ସେ ନେଇ ଚଏସ୍ ଅପ୍ସନ୍ ଆସିବ । ଗାଡି ମାଲିକ ନିଜ ପସନ୍ଦ ଅନୁସାରେ ଜାଗା, ସ୍ଥାନ କ୍ଲିକ୍ କରିବା ପରେ ଏହି ନମ୍ବର ବଦଳାଇବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ । ଏହି ପୋର୍ଟାଲକୁ ଯିବା ପୂର୍ବରୁ ପ୍ରଥମେ ଗାଡି ନମ୍ବର ବଦଳାଇବା ପାଇଁ କେତେ ଟଙ୍କା ଧାର୍ଯ୍ୟ କରାଯାଇଛି ସେ ବାବଦରେ ଉଲ୍ଲେଖ କରାଯିବ । ଦୁଇ ଚକିଆ ଗାଡିର ନମ୍ବର ପ୍ଲେଟ୍୍ ବଦଳାଇବା ଲାଗି ୩୨୦ ରୁ ୩୮୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ । ସେହିପରରି ୩ଚକିଆ ଗାଡି ପାଇଁ ୩୫୦ରୁ ୪୫୦ ଟଙ୍କା, ଚାରି ଚକିଆ ଗାଡି ପାଇଁ ୫୯୦ରୁ ୭୦୦ ଟଙ୍କା ଏବଂ ଭାରୀଯାନ ପାଇଁ ୬୦୦ରୁ ୮୦୦ ଟଙ୍କା ଧାଯଁ କରାଯାଇଛି ।

ନିୟମ ଅନୁସାରେ ଗାଡି ଗୁଡିକର ପଞ୍ଚୀକରଣ ନମ୍ବର ଅନୁସାରେ ଏଚଏସଆରପି ନମ୍ବର ଲଗାଇବର ସମୟ ସୀମା ଧାର୍ଯ୍ୟ କରାଯାଇଛି । ଯେଉଁ ଗାଡି ଗୁଡିକ ପଞ୍ଜୀକରଣ ଶେଷ ନମ୍ବର ୧ ଏବଂ ୨ରୁ ଆରମ୍ଭ ସେମାନେ ଅଗଷ୍ଟ ଶେଷ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବା କାର୍ଯ୍ୟ ଶେଷ କରିବେ । ସେହିପରି ଯେଉଁ ଗାଡିର ପଞ୍ଜୀକରଣ ଶେଷ ନମ୍ବର ୩ ଓ ୪ ସେହି ଗାଡି ଗୁଡିକ ସେପ୍ଟେମ୍ବର ୩୦ ସୁଦ୍ଧା; ୫ ଓ ୬ ନମ୍ବର ଥିବା ଗାଡି ଅକ୍ଟୋବର ୩୧ ସୁଦ୍ଧା , ୭ ଓ ୮ ନମ୍ବର ଥିବା ଗାଡି ନଭେମ୍ବର ୩୦ ତାରିଖ ସୁଦ୍ଧା ଏବଂ ଯେଉଁସବୁ ଗାଡିର ପଞ୍ଜୀକରଣ ନମ୍ବର ୯ ଓ ୦ ରେ ଶେଷ ହୋଇଛି ସେମାନଙ୍କ ପାଇଁ ଶେଷ ସମୟ ସୀମା ଡିସେମ୍ବର ୩୧ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଯେଉଁମାନେ ଏହି ଧାର୍ଯ୍ୟ ସମୟ ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଲଗାଇବେ ସେମାନଙ୍କ ଉପରେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଲାଗିବାକୁ ନିୟମ ହୋଇଛି

କାହିଁକି ଜରୁରୀ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍?

– ପୁରୁଣା ନମ୍ବର ପ୍ଲେଟକୁ ଜାଲିଆତି କରିବା ଓ ଅପବ୍ୟବହାର କରିବା ସହଜ ହୋଇଥାଏ
– ତେବେ ଏଚଏସଆରପି ପ୍ଲେଟ୍ ଗୁଡ଼ିକ ନନ୍-ରିମୁଭେବୁଲ ସ୍ନାପ-ଲକ୍ ସହ ଆସିଥାଏ ଏବଂ ଏହାକୁ ବଦଳାଇବା ଅସମ୍ଭବ
– ଏଚଏସଆରପିରେ ଏକ କେନ୍ଦ୍ରୀୟ ଡାଟାବେସ୍ ବିଶିଷ୍ଟ ଇଞ୍ଜିନ ନମ୍ବର ଓ ଚେସିସ୍ ନମ୍ବର ଭଳି ବିବରଣୀ ରହିଥାଏ
– ୧୦ ଅଙ୍କ ବିଶିଷ୍ଟ ପିନ୍ ସହିତ ଗଚ୍ଛିତ ତଥ୍ୟ ଚୋରି ହୋଇଥିବା ଗାଡିକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ
– ପୁରୁଣା ନମ୍ବର ପ୍ଲେଟ୍ ଗୁଡ଼ିକ ଭିନ୍ନଭିନ୍ନ ଫଣ୍ଟ ଓ ଷ୍ଟାଇଲର ହୋଇଥାଏ
– ଫଳରେ ଚଳନ୍ତା ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବରକୁ ଚିହ୍ନଟ କରିବାରେ ଟ୍ରାଫିକ୍ ପୋଲିସକୁ ସମସ୍ୟା ହୋଇଥାଏ
– କିନ୍ତୁ ଏଚଏସଆରପି ରେଜିଷ୍ଟ୍ରେସନ୍ ପ୍ଲେଟରେ ୟୁନିଫାଏଡ ଫଣ୍ଟ ଓ ଷ୍ଟାଇଲ୍ ରହିବ, ଯାହାକୁ ପଢ଼ିବା ସହଜ ହେବ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ କ’ଣ?

– ଏହି ନମ୍ବର ପ୍ଲେଟ୍ ଆଲୁମିନିୟମରେ ତିଆରି
– ନମ୍ବର ପ୍ଲେଟକୁ ଜାଲିଆତି କରିହେବନି
– ଏଥିରେ ଦୁଇଥର ବ୍ୟବହାର ଯୋଗ୍ୟ ଲକ୍ ରହିଛି
– ନମ୍ବର ପ୍ଲେଟର ବାମପଟେ କ୍ରୋମିୟମ ଆଧାରିତ ଅଶୋକ ଚକ୍ର ରହିବ, ଯେଉଁଥିରେ ଆଇଏନଡି ବା ଇଣ୍ଡିଆ ଲେଖା ରହିବ
– ଗାଡ଼ି ଚିହ୍ନଟ ନମ୍ବର ଲେଜର୍ ଏନକୋଡ୍ ହେବ
– ଏହାକୁ ସ୍କାନ୍ କରିବା ସହଜ ଏବଂ ଜାଲିଆତି କରିବା କଷ୍ଟକର

Leave A Reply

Your email address will not be published.