ଭୁବନେଶ୍ୱର ୬।୬: ଦେଶର ଅନ୍ୟତମ ବୃହତ ତଥା ଅଗ୍ରଣୀ ଖଣିଜ ଉତ୍ପାଦନକାରୀ ସଂସ୍ଥା ଓଡିଶା ଖଣି ନିଗମ (ଓଏମସି)କୁ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍ଆର୍) କାର୍ଯ୍ୟକ୍ରମ ପାଇଁ ସମ୍ମାନଜନକ ‘ଗୋଲ୍ଡେନ୍ ପିକକ୍ ଆୱାର୍ଡ୍ ‘ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଜୁନ ୩ ତାରିଖ ଦିନ ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସ ପକ୍ଷରୁ ଅନୁଷ୍ଠିତ ସିଏସ୍ଆର୍ ସମ୍ପର୍କିତ ଷୋଡ଼ଶ ଅନ୍ତର୍ଜାତୀୟ ସମ୍ମିଳନୀରେ ଓଏମସି କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଓଏମସି ପରିଚାଳିତ ବିଭିନ୍ନ ଖଣି ତଥା ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ବିକାଶ ଲାଗି ନିରନ୍ତର ପ୍ରୟାସ ଯୋଗୁଁ ସଂସ୍ଥାକୁ ଏହି ଜାତୀୟ ଗୋଲଡେନ୍ ପିକକ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଏମସି ପକ୍ଷରୁ ନିର୍ଦ୍ଦେଶକ (କାର୍ମିକ) ଆଲୋକ କୁମାର ପାଲ ଓ ସିଏସ୍ଆର୍ ମୁଖ୍ୟ ତଲତ ଆଫ୍ରିନ୍ ଯୋଗଦେଇ ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ପୁରସ୍କାରକୁ ନେଇ ଓଏମସିର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂହ ଖୁସି ବ୍ୟକ୍ତ କରିବା ସହ କହିଛନ୍ତିଯେ, ଖଣି ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଉପରେ ଓଏମସି ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଅଛି। ସମାଜର ଏକ ବୃହତ ବର୍ଗଙ୍କ ଜୀବନଧାରଣ ମାନର ଉନ୍ନତି ପାଇଁ ଓଏମସି ସବୁବେଳେ ଚିନ୍ତା କରିବା ସହ ଉଚିତ ପଦକ୍ଷେପ ନେଉଛି।
ଖଣି ତଥା ଏହାର ଆଖପାଖ ଅଞ୍ଚଳର ବିକାଶ ଲାଗି ଓଏମସି ଏହାର ଦୀର୍ଘ ବର୍ଷର ପ୍ରତିବଦ୍ଧତାକୁ ବଜାୟ ରଖିଛି ଏବଂ ଆଗକୁ ମଧ୍ୟ ଏହି ଧାରା ବଜାୟ ରହିବ। ଏହାବାଦ୍ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟସେବା, ଶିକ୍ଷା, କ୍ରୀଡା, ପାନୀୟ ଜଳ, ପରିମଳ, ଦକ୍ଷତା ବିକାଶ, ଐତିହ୍ୟର ସଂରକ୍ଷଣ, କଳା ଏବଂ ହସ୍ତଶିଳ୍ପ ପ୍ରୋତ୍ସାହନ ଏବଂ ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରର ବିକାଶ ଲାଗି ମଧ୍ୟ ଓଏମସି ବିଶେଷ ଗୁରୁତ୍ୱ ଦେଇଆସୁଅଛି। ୧୯୯୧ରେ ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସ ଦ୍ୱାରା ପ୍ରତିଷ୍ଠିତ ଗୋଲଡେନ୍ ପିକକ୍ ପୁରସ୍କାର, କର୍ପୋରେଟ୍ ଉତ୍କର୍ଷତା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ୱୀକୃତି ଅଟେ।