ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ଗାଧୋଇ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜ୍ୱରରେ ପୀଡିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ । ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ ନିଅନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି ।ଅଣସର ପିଣ୍ଡିର ଚାରିପଟେ ବାଉଁଶ ତାଟି କୋଠ ସୁଆସିଆମାନେ ଭିଡ଼ି ଦିଅନ୍ତି । ତାଟି ବାହାରେ ଏକ ଖଟ ପକାଯାଇ ପଟି ଦିଅଁ (ବାସୁଦେବ, ଭୁବନେଶ୍ୱରୀ ଓ ନାରାୟଣ) ଚିତ୍ରକାର ମାନଙ୍କ ଘର ଠାରୁ ବିଧି ଅନୁସାରେ ଅଣାଯାଇ ରଖାଯାଏ । ଦକ୍ଷିଣ ଘରୁ ମହାଜନମାନେ ସାତ ମୂର୍ତ୍ତି ଦେବଦେବୀ (ଦୋଳଗୋବିନ୍ଦ, ରାମ, ନୃସିଂହଙ୍କୁ ବଡ଼ ବାଡ଼ରେ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ମଝିବାଡ଼ରେ, ମଦନମୋହନ ଓ କୃଷ୍ଣଙ୍କୁ ଶ୍ରୀଜଗନ୍ନାଙ୍କ ବାଡ଼ରେ) ଖଟ ଉପରେ ବିଜେ କରାନ୍ତି । ଏହି ମୋଟ ଦଶ ଦେବଦେବୀ “ଦଶ ଅବତାର ଠାକୁର’ ନାମରେ ପରିଚିତ । ତିନି ପଟି ଦିଅଁଙ୍କୁ ତାଟି ଦେହରେ ରୁନ୍ଧା ଯାଏ । ସ୍ନାନପୂର୍ଣ୍ଣିିମା ରାତିଠାରୁ ଅମାବାସ୍ୟା ଯାଏଁ ଠାକୁରମାନେ ଅଣସରରେ ରହିବା ନିୟମ । ଦଶାବତାର ଦିଅଁ ଆଗରେ ଏ ସମୟରେ ସମସ୍ତ ଦୈନିକ ନୀତି ଓ ଭୋଗରାଗ ହୁଏ ଦଶାବତାର ଦିଅଁଙ୍କର ଦ୍ୱିପ୍ରହର ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ ହୁଏ ଓ ପତି ମହାପାତ୍ରଙ୍କ ନିର୍ଦ୍ଦେଶରେ ଦକ୍ଷିଣ ଦ୍ୱାର ଖୋଲାଯାଏ । ତାଟି ଭିତରେ ଦିଅଁମାନଙ୍କର ମଇଲମ ହୁଏ । ତା’ପୂର୍ବରୁ ଦଇତାମାନେ ବଇଠା ବସାନ୍ତି । ଅନ୍ୟ ସମୟରେ ଅନ୍ଧକାର ଥାଏ । ଅଣସର ଘର ଭିତରକୁ ଦଇତା ଓ ପତିଙ୍କ ଛଡ଼ା ଅନ୍ୟ କେହି ଯାଇ ପାରିବେ ନାହିଁ । ଅଣସର ସମୟରେ ତିନି ଦିଅଁ ଶୁକ୍ଲ ସୁବାସ ଫୁଲ ଛଡ଼ା ଅନ୍ୟ ଫୁଲ ଲାଗି ହୁଅନ୍ତି ନାହିଁ । ଠାକୁରମାନଙ୍କର ପଣା ଭୋଗ ପତିମହାପାତ୍ର କରନ୍ତି । ଦଶାବତାର ଦିଅଁଙ୍କର ବଡ଼ସିଂହାର ଭୋଗ ପରେ ଓ ପହୁଡ଼ ପୂର୍ବରୁ ଅଣସର ଦିଅଁଙ୍କର ଚକଟା ଭୋଗ ହୁଏ । ଏହି ଭୋଗରେ ଧୁଆ ମୁଗ, ପାଚିଲା ପଣସ ଇତ୍ୟାଦି ଥାଏ ।ଅଣସର ସମୟରେ ଠାକୁରମାନେ ଏକବସ୍ତ୍ର ପରିଧାନ କରୁଥିବାରୁ ଦଇତାପତିମାନେ ମଧ୍ୟ ଏକବସ୍ତ୍ର ପିନ୍ଧି ସେବା କରନ୍ତି । ଅଣସର ଦ୍ୱିତୀୟା ଦିନ ଦିଅଁମାନଙ୍କର ସ୍ନାନଯାତ୍ରା ପହଣ୍ଡିର ବସ୍ତ୍ର ବାହାର କରାଯାଏ । ଚର୍ତୁଥୀ ଦିନ ଶ୍ରୀଅଙ୍ଗ ଫିଟା ନୀତି ହୁଏ । ଅର୍ଥାତ ଶ୍ରୀମୁଖ ଓ ଶ୍ରୀଅଙ୍ଗ ଖୋଲାଯାଏ । ପାଟବସ୍ତ୍ର ଓ ଲାଗି ହୋଇଥିବା ଚନ୍ଦନ ବାହାର କରାଯାଏ । ପଞ୍ଚମୀ ଦିନ ‘ଫୁଲୁରି ଲାଗି’ ହୁଏ । ଦଇତାପତିମାନେ ରାଶିତେଲ, ଚୁଆ, କର୍ପୂର, ପିଙ୍ଗଣ ଓ ପରଖରେ ରଖି ଫୁଲରି ଲାଗି କରନ୍ତି । ଷଷ୍ଠୀଠାରୁ ନବମୀ ଯାଏଁ ଦିଅଁମାନଙ୍କୁ ‘ଓଷୁଅ ଲାଗି’ କରାଯାଏ । ଅଣସର ସୁଧସୁଆର ଝୁଣା ବାଟି ଓଷୁଅ ପ୍ରସ୍ତୁତ କରି ଯୋଗାନ୍ତି । ଦଶମୀ ଦିନ ‘ଚକା ବିଜେ’ ନୀତି ହୁଏ । ଏକାଦଶୀ ଦିନ ଚନ୍ଦନ ସହିତ କର୍ପୁର କେଶର ବଟା ହୁଏ ଓ ତାହା ଦଇତାପତିମାନେ ଦିଅଁମାନଙ୍କୁ ଲାଗି କରନ୍ତି । ଏହି ଦିନ ଘଣ୍ଟା, କାହାଳୀ ଓ ବାଜା ବାଜେ । ଅଣସର ତାଟି ଆଗରେ ବିରାଜିତ ଦଶାବତାର ଦିଅଁଙ୍କୁ ମଧ୍ୟ ଉକ୍ତଦିନ ଚନ୍ଦନଲାଗି କରାଯାଏ । ଅଣସରରେ ପ୍ରଥମ ଦିନଠାରୁ ଦଶମୀ ଦିନ ଯାଏଁ କୌଣସି ଦିଅଁଙ୍କ ନୀତିରେ ଘଣ୍ଟ କାହାଳୀ ବାଜେ ନାହିଁ କିମ୍ବା ମନ୍ଦିରରେ କୌଣସିଠାରେ ନାମ ସଂକୀର୍ତ୍ତନ ହୁଏ ନାହିଁ । ଅଣସର ପିଣ୍ଡିରେ ଦିଅଁମାନଙ୍କୁ ପତି ମହାପାତ୍ର ସର୍ପାମଣୋହି କରି ପୂଜା କରନ୍ତି । ଏହି ପୂଜାରେ ଘଣ୍ଟି, ଶଙ୍ଖ, ପିଢ଼ା କିମ୍ବା ଥାଳି ବ୍ୟବହାର କରାଯାଏ ନାହିଁ ।ଦ୍ୱାଦଶୀ ଦିନ ‘ରାଜପ୍ରସାଦ’ ନୀତି ହୁଏ । ଭୋଗମଣ୍ଡପ ଧୂପ ପରେ ରୂପାଥାଳିମାନଙ୍କରେ ରାଜପ୍ରସାଦ (ଶ୍ରୀଅଙ୍ଗର ଚନ୍ଦନ ଓ କରାଳ ଚନ୍ଦନ) ଓ ପାଟଡୋର ରଖି ଦଇତାପତିମାନେ ଶ୍ରୀନଅରକୁ ଯାଅନ୍ତି । ସେମାନଙ୍କ ଆଗରେ ତଳିଚ୍ଛ ଓ ପ୍ରଧାନୀ ହାତ ପଇଠ କରି ଘଣ୍ଟ, ଛତା ଓ କାହାଳୀ ସହ ଯାଆନ୍ତି । ନଅରରେ ରାଜାଙ୍କ ହାତଛୁଆଁ ଶାଢ଼ିମାନ ଦଇତା, ପତିମହାପାତ୍ର, ତଡ଼ଉ, ଦେଉଳକରଣ ଓ ତଳିଚ୍ଛଙ୍କୁ ପ୍ରଦାନ କରାଯାଏ । ତ୍ରୟୋଦଶୀ ଦିନ ‘ଘଣାଲାଗି’ ଓ ‘ଶ୍ରୀପୟର ପୂଜା’ (ପାଟ ଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ) ଲାଗି ହୁଏ । ଘଣାଲାଗି ପରେ ଖଳିଲାଗି ହୁଏ । ତା’ ପରେ ଖଡ଼ିଲାଗି ହୁଏ । ଲାଗି ପରେ ଖଡ଼ି ପ୍ରସାଦ ଧରି ଦଇତାପତି ମାନେ ନଅରକୁ ଯାଆନ୍ତି । ସେମାନଙ୍କ ସାମନାରେ ଦତ୍ତ ମହାପାତ୍ର ଓ ପ୍ରଧାନୀ ହାତ ପଇଠ ହୋଇ ଯାଅନ୍ତି । ନଅରରେ ।ରାଜପ୍ରସାଦ’ ନୀତି ଭଳି ଶାଢି ପ୍ରଦାନ ହୁଏ । ତ୍ରୟୋଦଶୀ ଦିନ ‘ଶ୍ରୀମୁଖ ଓତା’ ନୀତି ହୁଏ । ଚତୁର୍ଦ୍ଦଶୀରେ ‘ବନକଲାଗି’ କାର୍ଯ୍ୟ ଦତ୍ତ ମହାପାତ୍ରମାନେ କରନ୍ତି । ତା’ପରେ ଚକା ଅପସର ଲାଗି ହୁଏ । ନୂଆ କନା ପଡ଼ି ଏଗୁଡ଼ିକ ତିଆରି ହୋଇଥାଏ । ଏହା ଲାଗି ପରେ ଏବଂ ଦଶାବତାର ଠାକୁରମାନଙ୍କର ଆଳତି ଓ ଅବକାଶ ନୀତି ପରେ ମହାଜନମାନେ ‘ଦଶାବତାର’ରୁ ପାଞ୍ଚମୂର୍ତ୍ତି ଦକ୍ଷିଣ ଘରକୁ ନିଅନ୍ତି । ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାନ୍ତି । ପଟି ଦିଅଁ (୩)ଙ୍କୁ ବିମଳା ମନ୍ଦିର ନିକଟସ୍ଥ ମଣ୍ଡଣି ଘରକୁ ବିଜେ କରାନ୍ତି । ଏହାପରେ କୋଠ ସୁଆଁସିଆମାନେ ଅଣସର ଘରୁ ତାଟି ଓ ଖଟ ବାହାର କରନ୍ତି । ଭିତରେ ପାଣି ପଡ଼ିବା ପରେ ସେବକମାନେ ଓ ସର୍ବସାଧାରଣ ଚତୁର୍ଦ୍ଧାମୂର୍ତ୍ତିିଙ୍କୁ ଦର୍ଶନ କରନ୍ତି । ସେତେବେଳେ ଅମାବାସ୍ୟାର ସକାଳ ହୋଇଯାଇାଏ । ଏହି ଦିଅଁ ଦର୍ଶନକୁ ‘ନବଯୌବନ ଦର୍ଶନ’ କୁହାଯାଏ ।ଏହି ଦିନର ଅନ୍ୟ ଏକ ବିଶିଷ୍ଟ ନୀତି ହେଉଛି ‘ନେତ୍ରୋତ୍ସବ’ । ନବଯୌବନ ଦର୍ଶନ ପରେ ଭିତର ପହଁରା ଯାଇ ଚୂନପାଣି ପଡ଼େ । ତିନୋଟି ରୁପା ପିଙ୍ଗଣରେ ଚନ୍ଦନ ଆସିଲେ ପତି ମହାପାତ୍ର ତାହା ସଂସ୍କାର କରିବା ପରେ ଦଇତାପତି ଚନ୍ଦନଲାଗି କରାନ୍ତି । ତା’ପରେ ମଇଲମ ହୋଇ ତିନି ଠାକୁର ନଅଖଣ୍ଡ ଓ ସୁଦର୍ଶନ ଏକ ଖଣ୍ଡ ବୋଇରାଣୀ ବସ୍ତ୍ର ପରିଧାନ କରନ୍ତି । ଏହା ପରେ ପତି ମହାପାତ୍ର ଅକ୍ଷତ, କର୍ପୂର ଆଳତି, ସାତବତୀ, ସଞ୍ଜକାହାଳୀ ବନ୍ଦାପନା କରିବା ଉତ୍ତାରେ ଦଉ ମହାପାତ୍ର (୩ଜଣ) ଆସି ତିନୋଟି ରୁପା ବଟାରେ ପୂର୍ବରୁ ପ୍ରସ୍ତୁତ କଳା ଯୋଗାନ୍ତି । ପୂଜାପଣ୍ଡା ତିନିଜଣ ତିନୋଟି କାଠିରେ ଶ୍ରୀନେତ୍ର ଲାଗି କରନ୍ତି । ଏହାକୁ ନେତ୍ରୋତ୍ସବ କୁହାଯାଏ ।ନେତ୍ରୋତ୍ସବ ନୀତି ପରେ ତିନି ବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ବନ୍ଦାପନା କରନ୍ତି । ବନ୍ଦାପନା ସମାପନ ପରେ ମୁଦିରସ୍ତ ତିନି ବାଡ଼ରେ ତିନିଯୋଡ଼ା ଗାମୁଛା ଦେଇ ଦଣ୍ଡ ପ୍ରଣାମ କରନ୍ତି । ଏହାକୁ ‘ନିଉଛାଳି’ କୁହାଯାଏ । ତା’ପରେ ସେ ତିନିବାଡ଼ରେ ରାଜନୀତି କରନ୍ତି । ଏହା ପରେ ଭିତର ପାଣିପଡ଼ି ଯାତ୍ରାଙ୍ଗ ମହାସ୍ନାନ ହୁଏ । ରୋଷରେ ଭୋଗ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସରିଲେ ମହାସ୍ନାନ ହୁଏ । ମହାସ୍ନାନ ଶେଷରେ ଶାନ୍ତିଜଳ ପ୍ରଭୁଙ୍କ ଶ୍ରୀଅଙ୍ଗରେ ସିଞ୍ଚାଯାଏ । ମଇଲମ ପରେ ଶ୍ରୀଅଙ୍ଗରେ ଚନ୍ଦନଲାଗି କରାଯାଏ । ଏହି ଚନ୍ଦନଲାଗିକୁ ‘ସର୍ବାଙ୍ଗ’ କୁହାଯାଏ । ସର୍ବାଙ୍ଗ ପରେ ବେଶ ହୁଏ । ଅଣସର ପିଣ୍ଡି ସିଂହାସନ ଧୋପଖାଳ ପରେ ସକାଳ ଧୂପ ଡାକରା ହୁଏ । ଏହି ଭୋଗ ଘଣ୍ଟ, ଛତା, କାହାଳୀ ସହ ନିର୍ଦ୍ଦିଷ୍ଟ ସେବକଙ୍କ ହାତପୈଠ ମଧ୍ୟରେ ଛାମୁକୁ ଆସେ । ଏହି ଦିନର ଗୋପାଳବଲ୍ଲଭ ଭୋଗ ସକାଳ ଧୂପ ସହିତ ହୁଏ । ଏହା ପରବର୍ତ୍ତୀ ଦୈନନ୍ଦିନ ନୀତି କ୍ରମ ଅନୁସାରେ ପାଳିତ ହୁଏ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରାର ଆନୁଷଙ୍ଗିକ ପାଳନୀୟ ବିଧିବିଧାନ ଆବଶ୍ୟକତା ଅନୁସାରେ ପାଳିତ ହୁଏ । କାରଣ ଯଦି ଅମାବାସ୍ୟା ପ୍ରତିପଦ ସଂଯୁକ୍ତ ହୋଇପଡ଼େ ତେବେ ଦୁଇଦିନରେ ବିଭକ୍ତ ହୋଇ ପାଳିତ ହୋଇଥାଏ ।ଶ୍ରୀଗୁଣ୍ଡିଚା ପୂର୍ବଦିନ ସକାଳ ଧୂପ ଶେଷ ପରେ ତିନିବାଡ଼ରୁ ଆଜ୍ଞାମାଳ ନେଇ ପୂଜାପଣ୍ଡା ତିନିଜଣ ଘଣ୍ଟ, ଛତା, କାହାଳୀ ସହ ରଥ ଖଳା ବା ରଥ ନିର୍ମାଣ ସ୍ଥାନକୁ ଆସନ୍ତି ଓ ଯେଉଁ ବାଡ଼ର ଆଜ୍ଞାମାଳ, ସେହି ବାଡ଼ର ରଥ ଦେହରେ ବାନ୍ଧି ଦିଅନ୍ତି । ଆଜ୍ଞାମାଳ ପାଇବା ପରେ ତିନୋଟି ରଥ ଟଣାହୋଇ ସିଂହଦ୍ୱାର ସାମନାସ୍ଥ ନିର୍ଦ୍ଧାରିତ ସ୍ଥାନରେ ରଖାଯାଏ । ବିଧି ଅନୁସାରେ ରଥ ପ୍ରତିଷ୍ଠା କର୍ମ ହୁଏ । କିନ୍ତୁ ରଥ ନିର୍ଦ୍ଧାରିତ ସ୍ଥାନରେ ଲାଗିବାକୁ ରାତି ହୋଇଗଲେ ପ୍ରତିଷ୍ଠା କର୍ମ ପରବର୍ତ୍ତୀ ଦିନ ଅର୍ଥାତ୍ ଶ୍ରୀଗୁଣ୍ଡିଚା ଦିନ ସକାଳୁ ହୋଇଥାଏ । ରଥ ଦଧିନଉତିର ଉପରି ଭାଗରେ ଖଞ୍ଜା ହେବା ନିମନ୍ତେ ଥିବା କଳସମାନ ଜୟ ବିଜୟ ଦ୍ୱାରରେ ରଖାଯାଇଥାଏ । ସଂଧ୍ୟାଧୂପ ପରେ ଶ୍ରୀଜୀଉଙ୍କ ତିନିବାଡ଼ରୁ ଆଜ୍ଞା ମାଳ ନେଇ ପୂଜାପଣ୍ଡା କଳସମାନଙ୍କରେ ଦିଅନ୍ତି ଓ ତିନିଖଣ୍ଡି ପତନି କଳସମାନଙ୍କରେ ବନ୍ଧାଯାଏ । ତା’ ପରେ କୋଠ ସୁଆଁସିଆମାନେ କଳସମାନ ନେଇ ରଥମାନଙ୍କରେ ବାନ୍ଧନ୍ତି । ବଡ଼ସିଂହାର ପହୁଡ଼ ଆଳତି ପରେ ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ ଦଇତାମାନେ ବାହୁଟ ମାପ କରନ୍ତି । ସାକ୍ଷୀଗୋପାଳରୁ ଅଣାଯାଇଥିବା ବଉଳକାଠରେ ବିଶ୍ୱକର୍ମା (ବଢ଼େଇ) ବାହୁଟ ତିଆରି କରିଥାନ୍ତି ଓ ତାମରା ବିଶୋଇ ତହିଁରେ ତମ୍ବା ପତ୍ର ଯୋଡ଼ି ଦିଅନ୍ତି ।ବାହୁଟ ଲାଗି ଓ ସେନାପଟା ଲାଗି କରାଯାଏ । ଶୁକ୍ଳସଜ ଲାଗି କରାଯାଏ । ଏହିପରି ଭାବରେ ରଥଯାତ୍ରା ପୂର୍ବଦିନର ପ୍ରସ୍ତୁତି ଶେଷ ହୋଇଥାଏ । ତେବେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିିଥିରୁ ଆରମ୍ଭ ହୁଏ ।
Sign in
Sign in
Recover your password.
A password will be e-mailed to you.