
ଭୁବନେଶ୍ବର: ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦ ଓଡ଼ିଶା ମାଟିର ଝିଅ ତଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଯେଭଳି ଭୋଟ ଦିଅନ୍ତି ସେ ନେଇ ଅଭିଯାନ ଆରମ୍ଭ କରିଛି ବିଜୁ ଜନତା ଦଳ। ସ୍ବୟଂ ମୁଖ୍ୟମନ୍ତ୍ରୀ ଏହି ଅଭିଯାନର ମଙ୍ଗ ଧରିଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ କଥା ହୋଇଛନ୍ତି। ବିଜେଡିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନରସିଂହଙ୍କୁ ଭେଟି ଆଲୋଚନା କରିଛନ୍ତି। ବିଜେଡିର ବରିଷ୍ଠ ଉପସଭାପତି ଏବଂ ମନ୍ତ୍ରୀଙ୍କୁ କଂଗ୍ରେସର ବିଧାୟକ ଏବଂ ପିସିସି ସଭାପତିଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମଧ୍ୟ ଦଳର ନେତା ଭେଟିବେ। ଦଳମତ। ନିର୍ବିଶେଷରେ ଦ୍ରୈପଦୀ ମୁର୍ମୁଙ୍କୁ ସମସ୍ତେ ଭୋଟ ଦେବେ ସେନେଇ ବିଜେଡି ଉଦ୍ୟମ କରୁଛି।ସୂଚନାଯୋଗ୍ୟ, ରାୟଗଡାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ। ଓଡ଼ିଶାର ସ୍ୱାଭିମାନ। ତାଙ୍କ ପାଇଁ ପ୍ରତ୍ୟେକ ଓଡିଆ ଗର୍ବିତ। ଓଡିଶାର ସବୁ ଭୋଟ ତାଙ୍କ ପାଖକୁ ଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଓ ତାଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଶ୍ରୀ ମୁଦୁଲି କହିଲେ ଯେ ଶ୍ରୀମତୀ ମୁର୍ମୁ ଆମ ଆଦିବାସୀ ସମାଜର ଗର୍ବ ଓ ଗୌରବ। ତାଙ୍କୁ ସମର୍ଥନ ଦେଇ ମୁଁ ନିଜକୁ ଗୌରବାନ୍ବିତ ମନେ କରିବି।