mobile header

ଓଡିଶାରୁ ଲୋପ ପାଇଯିବ କି ହାତୀବଂଶ! ୧୨ ବର୍ଷରେ ଆଖି ବୁଜିଲେଣି ୯୩୫ ଗଜରାଜ

ଭଞ୍ଜନଗର ଘୁମୁସର ଜଙ୍ଗଲରେ ହାତୀକୁ ଗୁଳି କରି ଦାନ୍ତ ନେଇଯାଇଛନ୍ତି ଶିକାରୀ । ବ୍ୟବଚ୍ଛେଦ ନକରି ଜେସିବି ସହାୟତାରେ ପୋତି ଘଟଣାକୁ ଚପାଇଦେବାକୁ ବନବିଭାଗ ଛେଷ୍ଟା କରୁଥିବାବେଳେ ଧରାପଡିଯାଇଛି । ଆଉ ଏହି ଖବର ପ୍ରସାରଣ ପରେ ହାତୀର ଶବ ବ୍ୟବଚ୍ଛେଦ ହୋଇଛି । ତେବେ ୪୮ ଘଣ୍ଟା ଧରି ଜଙ୍ଗଲରେ ପଡି ରହିଥିଲା ହାତୀର ଗଳିତ ମୃତଦେହ । ଶିକାରୀମାନେ ହାତୀଶିକାର କରି ତାର ଦାନ୍ତକୁ କାଟିନେଇଥିବା ଜଣାପଡିଛି । ସନ୍ଧ୍ୟାରେ କୌଣସି କୌଣସି ସୁତ୍ରରୁ ଖବର ପାଇ ବନ କର୍ମଚାରୀ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଯାଇଛନ୍ତି ।

ଲୋପ ପାଇଯିବ ହାତୀବଂଶ!

– ୧୨ ବର୍ଷରେ ୯୩୫ ହାତୀ ମୃତ୍ୟୁ
– ୩ ବର୍ଷ ମଧ୍ୟରେ ୨୪୫ ହାତୀ ମୃତ
– ବର୍ଷକୁ ମରୁଛନ୍ତି ୮୨ ହାତୀ
– ଆଠଗଡ଼, ଢ଼େଙ୍କାନାଳ, ଶିମିିଳିପାଳ ଓ ସାତକୋଶିଆ ବନାଂଚଳରେ ଅଧିକ ହାତୀ ମୃତ୍ୟୁ
– ବିଧାନସଭା ତଥ୍ୟ, ୪୮ ହାତୀର ହୋଇଛି ଶିକାର
– ୧୬ଟି ହାତୀ ବିଷାକ୍ତ ଖାଦ୍ୟ ଖାଇ ମୃତ
– ୧୩୫ଟି ହାତୀ ବିଦ୍ୟୁତ ଆଘାତରେ ମୃତ
– ରେଳ ଦୁର୍ଘଟଣାରେ ଯାଇଛି ୩୨ଟି ଜୀବନ
– ୬ଟି ରାସ୍ତା ଦୁର୍ଘଟଣା ଯୋଗୁଁ ମୃତ
– ନାଳରେ ପଡ଼ି, ଲଢ଼େଇ, ଦଳି ହୋଇ ଓ ଉଚ୍ଚ ସ୍ଥାନରୁ ପଡ଼ି ୧୪୧ ହାତୀ ମୃତ
– ବିଭିନ୍ନ ରୋଗରେ ୩୦୭ ହାତୀ ମୃତ
– ପ୍ରାକୃତିକ ଭାବେ ୧୧୯ଟି ହାତୀ ମୃତ
– ୧୩୧ ହାତୀ ମୃତ୍ୟୁର ଜଣାପଡ଼ିନି କାରଣ
– ଢ଼େଙ୍କାନାଳରେ ସର୍ବାଧିକ ୩୫ ହାତୀ ମୃତ
– କେନ୍ଦୁଝରରେ ୨୧, ଅନୁଗୁଳରେ ୧୨, ସାତକୋଶିଆରେ ୧୨
– ଆଠଗଡ଼ରେ ୧୧, କଟକରେ ୧୧, ଶିମିଳିପାଳରେ ୧୧ ହାତୀ ମୃତ
– ୨୦୧୯-୨୦ ବର୍ଷରେ ୮୨ଟି ହାତୀ ମୃତ
– ୨୦୨୦-୨୧ ବର୍ଷରେ ୭୭ଟି ହାତୀ ମୃତ

ଏହି ସଂଖ୍ୟା ବିଧାନସଭାରେ ବନ ବିଭାଗ ପକ୍ଷରୁ ଦିଆଯାଇଥିଲେ ବି ପ୍ରକୃତ ହାତୀ ମୃତ୍ୟୁ ସଂଖ୍ୟା ଢ଼େର ଅଧିକ ହେବ । କାରଣ ନିକଟରେ ବିଭିନ୍ନ ଜଂଗଲରୁ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ସବୁଠାରୁ ବଡ ବିଡମ୍ବନାର ବିଷୟ ହେଉଛି ହାତୀ ଗୁଡିକୁ ମାରି ଶିକାରୀମାନେ ଦାନ୍ତ କାଟି ନେଉଛନ୍ତି । ତାପଟେ ମାଟି ଖୋଳି ପୋତି ଦେଉଛନ୍ତି । ଯେଉଁଥିରେ ଖୋଦ ବନ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି । ନିକଟରେ ଆଠଗଡ ବନଖଣ୍ଡରୁ ୪ଟି ହାତୀ କଂଙ୍କାଳ ମଳିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି । ଜଙ୍ଗଲର ମାଟି ତଳେ ଆହୁରି ହାତୀ ମୃତଦେହ ପୋତାଯାଇଥିବା ଆଶଙ୍କା କରାଯାଉଛି । ଯାହା ସବୁଠାରୁ ବଡ ବିଡମ୍ବନା । ଆଉ ଏମିତି ଚାଲିଲେ ଆଗାମୀ ଦିନରେ ରାଜ୍ୟରୁ ହାତୀବଂଶ ଲୋପ ପାଇଯିବାର ଆଶଙ୍କା ରହିଛି ।

Leave A Reply

Your email address will not be published.