ନିଦ ଭରା ରାତି…

ପ୍ରଖ୍ୟାତ ଓଡିଆ ଓ ବଙ୍ଗଳା କଣ୍ଠଶିଳ୍ପୀ ନିର୍ମାଳା ମିଶ୍ର ଆଉ ନାହାଁନ୍ତି। କୋଲକାତାର ଚେତଲାସ୍ଥିତ ତାଙ୍କ ବାସଭବନରେ ହୃଦଘାତ ଯୋଗୁଁ ପରଲୋକ ହୋଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। କୋଲକାତାରେ ରହୁଥିବା ନିର୍ମଳା ଗତକାଲି ରାତି ୧୨ଟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଷାଠିଏ ଏବଂ ସତୁରୀ ଦଶକରେ ନିର୍ମାଳା ମିଶ୍ର ଓଡିଆ ଚଳଚିତ୍ର ତଥା ସଂଗୀତ ଜଗତର ଜଣେ ପରିଚିତ ବ୍ୟକ୍ତିତ୍ବ ଥିଲେ। ତାଙ୍କ କଣ୍ଠର ଯାଦୁ ସେତେବେଳେ ଦର୍ଶକଙ୍କୁ ବେଶ ବାନ୍ଧି ରଖିପାରୁଥିଲା। ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ ରହିଛି, ନିଦଭରା ରାତି ମଧୁଝରା ଜହ୍ନ, ମୋ ମନର ବୀଣାର ତାରେ…, ଜୀବନ ଯମୁନାରେ ଜୁଆର ଉଠେରେ…., ମାୟା ଘେରା ମଧୁବନେ… ଯା ଯାରେ ଯା ମନପବନ ନଉକା ଉଡିଯା…, ମାୟାବିନି ଏଇ ରାତି…, ନା ମାରନା…., ଛାଡ଼ ଛାଡ଼ ମୋର ଅଞ୍ଚଳ…, ହେମହାରିଣୀ ମଥାରମଣି…, ଢେଉ ଢେଉକା ପାହାଡ଼ ତଳେ…, ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା.. ପ୍ରଭୃତି ଗୀତ।

ସେହିପରି ସେ ବହୁ ବଙ୍ଗଳା ଗୀତ ପାଇଁ ମଧ୍ୟ କଣ୍ଠଦାନ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ଏମନ ଏକା ଝୁନୁକା.., ବୋଲ ତୋ ଆରସି..ଏଇ ବଙ୍ଗଲାର ମାଟି ତେ.. । ତାଙ୍କ ବିୟୋଗରେ ଉଭୟ ଓଡିଆ ଏବଂ ବଙ୍ଗଳା ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ କୋଲକାତାର ରବିନ୍ଦ୍ର ସଦରେ ତାଙ୍କ ପାର୍ଥୀବ ଶରୀରକୁ ରଖାଯାଇଛି।

୧୯୩୮ ମସିହାରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ନିର୍ମଳା ମିଶ୍ର ଓଡିଆ ସଙ୍ଗୀତ ଜଗତରେ ଆଜୀବନ ଅବଦାନ ନିମନ୍ତେ ତାଙ୍କୁ ସଂଗୀତ ସୁଧାକର ବାଲକୃଷ୍ଣ ଦାସ ପୁରସ୍କାର ପ୍ରଦାନ କରାଯାଇଛି।

Leave A Reply

Your email address will not be published.