xmas

ଓଟିଏମ୍‌ ହେବ ଟେକ୍ସଟାଇଲ୍ ପାର୍କ, ଚୌଦ୍ବାରବାସୀଙ୍କ ମନରେ ଆଶା; ଶ୍ରମିକଙ୍କ ମଧ୍ୟରେ ଖୁସି

ଓଟିଏମ୍‌କୁ ସରକାର ନେବେ ଏବଂ ସେଠାରେ ଟେକ୍ସଟାଇଲ୍ ପାର୍କ ତିଆରି କର‌ିବେ। ନିଜ ବକେୟା ପ୍ରାପ୍ୟ ଆଶାରେ ଦିନ ଗଣୁଥିବା ଓଟିଏମର ଶ୍ରମିକ ବି ସେମାନଙ୍କ ପ୍ରାପ୍ୟ ପାଇବେ। ଓଡ଼ିଶା ହାଇକୋର୍ଟରେ ଚାଲିଥିବା ଓଟିଏମ୍ ସଂପର୍କିତ ମାମଲା ଶୁଣାଣି ସମୟରେ ଏଭଳି ତଥ୍ୟ ସ୍ପଷ୍ଟ ହେବା ପରେ ଚୌଦ୍ବାରବାସୀଙ୍କ ମଧ୍ୟରେ ବିକାଶର ନୂଆ ଆଶା ସୃଷ୍ଟି ହୋଇଛି। ଅନ୍ୟପଟେ ନିଜ ପ୍ରାପ୍ୟ ଆଶାରେ ଦିନ ଗଣୁଥିବା ଶ୍ରମିକ ମାନଙ୍କ ମଧ୍ୟରେ ମଧ୍ୟ ଖୁସି ପ୍ରକାଶ ପାଇଛି। ଓଟିଏମ ଶ୍ରମିକ, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଏଥିରେ ଖୁସିବ୍ୟକ୍ତ କରି ହାଇକୋର୍ଟ ଓ ରାଜ୍ୟ ସରକାର, ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଚୌଦ୍ବାର ଅଞ୍ଚଳରେ ଲୋକେ ବାଣ ଫୁଟାଇ ଖୁସି ମନାଉଥିବା ଦେଖିବାକୁ ମିଳିଛି। ଓଟିଏମ୍‌ରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ବକେୟା ପ୍ରାପ୍ୟକୁ ଚାହିଁ ଚାହିଁ ଏଯାବତ୍ ୭୩୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆତ୍ମହତ୍ୟା କରିଛନ୍ତି।

ଆଜି ହାଇକୋର୍ଟର ଶୁଣାଣି ସଂପର୍କିତ ତଥ୍ୟ ସାମନାକୁ ଆସିବା ପରେ ସଂଧ୍ୟାରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ବାଳ ଓଟିଏମ୍‌ର ପୁନରୁଦ୍ଧାରକୁ ନେଇ ସେ ଓ ବର୍ତ୍ତମାନର ବିଧାୟକ ସୌଭିକ ବିଶ୍ବାଳ ସରକାରଙ୍କ ନିକଟରେ ରଖି ଆସିଥିବା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି ଏବଂ ବିଧାନସଭାରେ ଉଠାଇଥିବା ପ୍ରଶ୍ନ ସଂପର୍କରେ ସୂଚନା ଦେଇଛନ୍ତି। ଡକ୍ଟର ବିଶ୍ବାଳ ୨୦୧୫ରୁ ଏ ଦିଗରେ ଉଦ୍ୟମ କରି ଆସୁଛନ୍ତି। ଓଟିଏମ୍‌ର ପୁନରୁଦ୍ଧାର ତଥା ବିକଳ୍ପଶିଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇ ଓଟିଏମ୍ ମାମଲା ସରକାରଙ୍କ ହାତରେ ନ୍ୟସ୍ତ କରିବାକୁ ହାଇକୋର୍ଟଙ୍କ ନିକଟରେ ନିବେଦନ କରିଥିଲେ। ଏବେ ଓଟିଏମ୍‌ରେ କିଛି କରିବା ପାଇଁ ବାଟ ଫିଟିଥିବାରୁ ଓଟିଏମ୍‌ ପୁନରୁଦ୍ଧାର କିମ୍ବାଏହାର ଭିତ୍ତିଭୂମି ଉପରେ ବିକଳ୍ପ ବୟନ ଶିଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବା ପାଇଁ ଡକ୍ଟର ବିଶ୍ବାଳ ନିବେଦନ କରିଛନ୍ତି। ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଆନ୍ଦୋଳନରତ ଓଟିଏମ୍‌ ବଞ୍ଚାଅ ସଂଗଠନ ତରଫରୁ ସ୍ବାଗତ କରଯିବା ସହିତ ମାନ୍ୟବର ଅଦାଲତ ଓ ମୁଖ୍ୟମନ୍ତ୍ରୀଙ୍କୁ ସଂଗଠନର ମୁଖ୍ୟ ଦୀପକ କୁମାର ବାରିକ କୃତଜ୍ଞତା ଜଣାଇଛନ୍ତି। ଓଟିଏମ୍ ପୁନରୁଦ୍ଧାର, ଏହାର ଶ୍ରମିକ ଓ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ଦାବିରେ ୨୦୦୫ ମସିହାରୁ ଶ୍ରମିକ ନେତା ଦୀପକ କୁମାର ବାରିକଙ୍କ ନେତୃତ୍ବରେ ଓଟିଏମ୍ ବଂଚାଅ ସଂଗଠନ ତରଫରୁ କାରଖାନା ଗେଟ୍‌ ସମ୍ମୁଖରେ ରାତିଦିନ ଧାରଣା ଓ ଆନ୍ଦୋଳନ ଏଯାଏ ଜାରି ରହିଛି।

Leave A Reply

Your email address will not be published.