କେନ୍ଦ୍ର ଜଳ ଶକ୍ତି ଉପ ସଚିବଙ୍କ ବରଗଡ଼ ଗସ୍ତ

ଭାରତ ସରକାରଙ୍କର ଜଳ ଶକ୍ତି ମନ୍ତ୍ରାଳୟ ତରଫରୁ ଉପ-ସଚିବ ଶ୍ରୀ ବେଞ୍ଜାମିନ କରୁଣାକରନ ଓ ସାଇଣ୍ଟିଫିକ ଅଧିକାରୀ ଶ୍ରୀ ଏସ.ଏସ ଚୌହାନ ଆଜି ବରଗଡ଼ ଜିଲ୍ଲା ଗସ୍ତ ରେ ଆସି ”ଜଳ ଶକ୍ତି ଅଭିଯାନ” ଅନ୍ତଗର୍ତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବ୍ଲକର ପୁରାତନ ଜଳ ଉତ୍ସର ନବୀକରଣ, ବର୍ଷାଜଳ ସଂରକ୍ଷଣ ଏବଂ ଭୂତଳ ଜଳର ଅଭିବୃଦ୍ଧି ନିମିର ପ୍ରକଳ୍ପଗୁଡିକ ବୁଲି ଦେଖିବା ସହିତ ବୈଷୟିକ ପରାମର୍ଶ ପ୍ରଦାନ କରିଥିଲେ। ଅପରାହ୍ନରେ DRDA ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରକଳ୍ପ ନିର୍ଦେଶକ ଶ୍ରୀ କୃତିବାସ ରାଉତ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାର ଜଳ ଶକ୍ତି ଅଭିଯାନର ବିଭିନ୍ନ କାର୍ଯ୍ୟ ଉପରେ ତଥ୍ୟ ଉପସ୍ଥାପନା କରିଥିଲେ। ଏହି ଅବସରେ ଜଳ ଶକ୍ତି କେନ୍ଦ୍ର, ଜିଲ୍ଲା ପରିଷଦ, ବରଗଡ଼ ତରଫରୁ ”ଜଳ ସମାଚାର” ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ସମସ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀ ବେଞ୍ଜାମିନ କରୁଣାକରନ ଓ ସାଇଣ୍ଟିଫିକ ଅଧିକାରୀ, ଶ୍ରୀ ଏସ.ଏସ ଚୌହାନ ସମସ୍ତେ ଅଧିକାରୀମାନେ ଦ୍ୱାରା ଚାଲିଥିବା କାର୍ଯ୍ୟର ପ୍ରଶଂସା କରିବା ସହିତ ଜଳ ଯେହେତୁ ଜୀବନର ପ୍ରାଥମିକ ଆବଶ୍ୟକତା ତେଣୁ ଏହାକୁ କିପରି ଆଗାମୀ ଦିନ ପାଇଁ ସଂରକ୍ଷଣ କରାଯାଇ ପାରିବ, ତା ଉପରେ କାର୍ଯ୍ୟ କରିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ। ମୁଖ୍ୟତଃ ଶ୍ରୀ କରୁଣାକରନ ଗାଇସିଲେଟ, ବିଜେପୁର, ବରଗଡ ବ୍ଲକ ଓ ବରଗଡ ମୁନସିପାଲଟିର ବିଭିନ୍ନ ଜଳ ପ୍ରକଳ୍ପଗୁଡିକକୁ ବୁଲି ଦେଖିଥିଲେ।

Leave A Reply

Your email address will not be published.