ନୂଆଦିଲ୍ଲୀ: ଭାରତରେ ବର୍ଷା ଅଭାବ ଯୋଗୁଁ ଧାନ ଚାଷ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଚଳିତ ବର୍ଷ ଯେତିକି ଜମିରେ ଧାନ ଚାଷ ହୋଇଛି ତାହା ତିନି ବର୍ଷରେ ସବୁଠୁ କମ୍ ରହିଛି। ରୁଷ୍-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଖାଦ୍ୟକୁ ନେଇ ଅଭାବ ସ୍ଥିତି ରହିଥିବା ବେଳେ ଭାରତରେ ଧାନ ଚାଷ ପ୍ରଭାବିତ ହୋଇଥିବାରୁ ସମଗ୍ର ବିଶ୍ବରେ ଗୁରୁତର ଖାଦ୍ୟ ସଙ୍କଟ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। ଚଳିତ ବର୍ଷ ୧୩% କମ୍ ଜମିରେ ଧାନ ଚାଷ ହୋଇଛି। ଭାରତ ହେଉଛି ଚାଉଳର ସର୍ବବୃହତ ରପ୍ତାନିକାରୀ। ବ୍ୟବସାୟୀମାନେ ଆଶଙ୍କା ପ୍ରକଟ କରିଛନ୍ତି ଯେ ଯଦି ଭାରତରେ ଧାନ ଉତ୍ପାଦନ ହ୍ରାସ ପାଇବ ତେବେ ନିଜ ଦେଶର ଆବଶ୍ୟକତା ପୂରଣ କରିବା ସହ ଦରଦାମ୍ ସ୍ଥିତିର ମୁକାବିଲା କରିବା ଲାଗି ଭାରତ ସରକାର ଏହାର ରପ୍ତାନି ଉପରେ କଟକଣା ଲଗାଇପାରନ୍ତି। ତାହା ହେଲେ ଭାରତୀୟ ଚାଉଳ ଉପରେ ନିର୍ଭରଶୀଳ ଥିବା ଅନ୍ୟ ଦେଶର କୋଟି କୋଟି ଲୋକ ପ୍ରଭାବିତ ହେବେ। ବିଶ୍ବର ୪୦% ଚାଉଳ ଚାହିଦା ଭାରତ ପୂରଣ କରୁଥିବାରୁ ଏଠାରେ ଚାଷ ପ୍ରଭାବିତ ହେବା ନିଶ୍ଚିତ ରୂପେ ସମଗ୍ର ବିଶ୍ବ ପାଇଁ ଚିନ୍ତାର ବିଷୟ। ଦରଦାମ୍ ମୁକାବିଲା ଲାଗି ଭାରତ ସରକାର ଗହମ ଓ ଚିନି ରପ୍ତାନି ଉପରେ କଟକଣା ଲଗାଇସାରିଛନ୍ତି। ବର୍ଷା ଅଭାବ ଯୋଗୁଁ ଧାନ ଚାଷ ହେଉଥିବା ପ୍ରମୁଖ ରାଜ୍ୟ ପଶ୍ଚିମବଙ୍ଗ, ଓଡ଼ିଶା ଓ ଛତିଶଗଡ଼ରେ କେତେକ କିସମର ଚାଉଳ ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ହୋଇସାରିଲାଣି।
ଅନ୍ୟ ପକ୍ଷରେ ବାଲାଂଦେଶ ମଧ୍ୟ ଅଧିକ ପରିମାଣର ଚାଉଳ କିଣିବା ଆରମ୍ଭ କରିଦେଇଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଚାଉଳର ଟନ୍ ପିଛା ରପ୍ତାନି ମୂଲ୍ୟ ୪୦୦ ଡଲାରକୁ ବୃଦ୍ଧି ପାଇବାର ଆଶଙ୍କା ରହିଛି ଯାହା ବର୍ତ୍ତମାନ ୩୬୫ ଡଲାରରେ ରହିଛି। ଚାଉଳ ଅଧିକାଂଶ ଏସିଆ ମହାଦେଶର ଲୋକମାନେ ବ୍ୟବହାର କରୁଛନ୍ତି। ଏହି ଅଞ୍ଚଳର ରାଜନୈତିକ ଓ ଅର୍ଥନୈତିକ ସ୍ଥିରତା ପାଇଁ ଚାଉଳ ଯୋଗାଣ ବେଶ ଗୁରୁତ୍ବପୂର୍ଣ୍ଣ। ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରେ ଗହମ ଓ ମକା ମୂଲ୍ୟ ବୃଦ୍ଧି ପାଇବା ସତ୍ତ୍ବେ ଚାଉଳ ସୁଲଭ ମୂଲ୍ୟରେ ମିଳୁଥିବାରୁ ବଡ଼ ଧରଣର ଖାଦ୍ୟ ସଙ୍କଟକୁ ଏଡ଼ାଇ ଦିଆଯାଇପାରିଛି।
ଭାରତ ୧୦୦ରୁ ଅଧିକ ଦେଶକୁ ଚାଉଳ ରପ୍ତାନି କରୁଛି। ବାଲାଂଦେଶ, ଚୀନ୍, ନେପାଳ ଓ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକ ଭାରତ ଚାଉଳ ଉପରେ ନିର୍ଭରଶୀଳ। ଚଳିତ ବର୍ଷ ଧାନ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ଥିବାରୁ ଇଥାନଲ୍ ପାଇଁ ଚାଉଳ ବ୍ୟବହାର ଲାଗି ରହିଥିବା ନୀତିକୁ ସରକାର ସମୀକ୍ଷା କରିବା ବିଷୟରେ ବିଚାର କରୁଛନ୍ତି। ଚାଉଳ ଓ ବଳକା ଚିନିକୁ ବ୍ୟବହାର କରି ସରକାର ଇଥାନଲ୍ ଉତ୍ପାଦନ ବଢ଼ାଇବାକୁ ଚାହୁଛନ୍ତି। ତୈଳ ଆମଦାନିରେ ହେଉଥିବା ବିଦେଶୀ ମୁଦ୍ରା ବ୍ୟବହାରକୁ ହ୍ରାସ କରିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। କିନ୍ତୁ, ଖାଦ୍ୟ ସଙ୍କଟ ଭଳି ସ୍ଥିତି ଉପୁଜିଲେ ସରକାର ଏହି ନିଷ୍ପତ୍ତିକୁ ବଦଳାଇବାକୁ ନିଶ୍ଚିତ ଚାହିବେ।