xmas

ମାଲକାନଗିରି ପୁଲିସକୁ ବଡ ସଫଳତା;ମାଓ ଡମ୍ପ ଉଦ୍ଧାର,ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି,୬/୮: ସହିଦ ସପ୍ତାହ ସରିବା ପରେ ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା।ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ପୁଲିସ ସ୍ବାଭିମାନ ଅଂଚଳର ଯଡାମ୍ବ ପଞ୍ଚାୟତର ଆରିଲିଙ୍ଗପଡା ଗ୍ରାମ ନିକଟସ୍ଥ ଜଂଗସରେ ନକ୍ସଲ ମାଓ ସାମଗ୍ରୀ ଲୁଚାଇବା ପାଇଁ ଏକ ଡମ୍ପ ତିଆର କରି ସେଥିରେ ରଖିଥିବା ଜାଣିପାରିଥିଲେ।ତୁରନ୍ତ ପୁଲିସର ଏକ ଟିମ ସେହି ଅଂଚଳକୁ ଅତି ସତର୍କତାର ସହ ଚଢାଉ କରିଥିଲେ।ସେଠାରେ ଏକ ବିରାଟ ଡମ୍ପ ଦେଖିବାକୁ ପାଇଥିଲେ।ସେଥିରେ ବିପୁଳ ପରିମାଣର ମାଓ ସାମଗ୍ରୀ ଲୁଚାଇ ରଖାଯାଇଥିଲା।ଆଜି ଏସପି ନୀତିଶ ଵାଧଵାନି ସାମ୍ବାଦିକ ସମ୍ମିଳନୀରେ ଏହି ନକ୍ସଲ ଡମ୍ପ ସଂପର୍କରେ କହିଥିଲେ।ଏହି ଡମ୍ପରେ ପ୍ରାୟ ୩୩ଟି ବିଭିନ୍ନ ପ୍ରକାର ସାମଗ୍ରୀ ରହିଛି।ସେଥିମଧ୍ୟରୁ ଏବିବିଏଲ ବନ୍ଧୁକ,ଦେଶୀ ବନ୍ଧୁକ,ବୋମା,ବିଦ୍ୟୁତ ତାର,ଔଷଧ,କମ୍ପ୍ୟୁଟର ଡାଟା କେବଲ,ମୋବାଇଲ ଚାର୍ଜର,ଦୈନନ୍ଦିନ ସାମଗ୍ରୀ,ଛତା,ପୁସ୍ତକ ଇତ୍ୟାଦି ଜବତ କରାଯାଇଛି।ଏହି ସଫଳତା ପରେ ମାଲକାନଗିରି ପୁଲିସର ମନବଳ ଆହୁରି ବଢାଇଛି।ଏସପି ଶ୍ରୀ ଵାଧଵାନି ପ୍ରକାଶ କରିଥିଲେ ଯେ ପ୍ରତିବର୍ଷ ମାଓବାଦୀ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରନ୍ତି।ତେବେ ଚଳିତ ବର୍ଷ ସହିଦ ସପ୍ତାହରେ ନକ୍ସଲ କୌଣସି ଅଘଟଣ ଘଟାଇବାରେ ସଫଳ ହୋଇପାରି ନାହାନ୍ତି।ଗତ ତିରିଶି ବର୍ଷ ମଧ୍ୟରେ ନକ୍ସଲ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ସହିଦ ସପ୍ତାହ ପାଳନ କରିପାରି ନାହାନ୍ତି।ଏଥିସହ ସହିଦସ୍ତମ୍ଭ ମଧ୍ୟ ନିର୍ମାଣ କରିବାରେ ବିଫଳ ହୋଇଥିଲେ।୨୦୨୧-୨୨ରେ ମୃତ୍ୟୁବରଣ କରିଥିବା ତିନି ଜଣ କ୍ୟାଡର ନକ୍ସଲଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଏହି ସହିଦ ଦିବସରେ ଦେଇପାରିଲେ ନାହିଁ।ସେମାନେ ହେଲେ ମାଓ ସଂଗଠନର ସିସିଏମ ଆକିରାଜୁ ହରଗୋପାଲ ଅରଫ ଆରକେ।ଆରକେ ଗତ ୨୦୨୧ ଅକ୍ଟୋବର ମାସର ୧୪ ତାରିଖ ଦିନ ମୃତ୍ୟୁବରଣ କରିଥିଲା।ସେହିପରି ମାଓନେତା ତଥା ଡିସିଏମ ପଦରେ ରହିଥିବା ଦେବା ମାଢି ଅରଫ ରଣଦେବ ମଧ୍ୟ ଗତ ୨୦୨୧ ମସିହା ଜୁନ ମାସରେ ଆନ୍ଧ୍ର ପୁଲିସ ହାତରେ ମୃତ୍ୟୁବରଣ କରିଥିଲା।ଶେଷରେ ମୁକ୍କା ସୋଡି ଅରଫ ଅନୀଲ ମାଓ ସଂଗଠନର ଏସିଏମ ପଦରେ ନିୟୋଜିତ ଥିଲା।ସେ ମଧ୍ୟ ଗତ ୨୦୨୧ ଅକ୍ଟୋବର ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲା।ଏହି ତିନି ମାଓନେତାଙ୍କୁ ସଂଗଠନ ସହିଦ ଦିବସରେ ଶ୍ରଦ୍ଧାଞ୍ଜଳି ଦେଇପାରିନଥିଲା।ଯାହାକୁ ନେଇ ନକ୍ସଲ ସଂଗଠନରେ କ୍ଷୋଭ ପ୍ରକାଶ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।ମାଲକାନଗିରି ଜିଲ୍ଲା ଏବଂ କୋରାପୁଟ ଜିଲ୍ଲାରେ ବିଏସଏଫ ଏବଂ ପୁଲିସ ତରଫରୁ ଘନ ଘନ ଚଢାଉ ଜାରି ରହିବା ଯୋଗୁଁ ନକ୍ସଲ ଏହି ଦୁଇ ଜିଲ୍ଲାରେ କୌଣସି ଅଘଟଣ ଘଟାଇପାରିନଥିଲେ।ଚଳିତ ବର୍ଷ ନକ୍ସଲ ନା ରାସ୍ତା ଜାମ କଲେ,ନା ଲୋକଙ୍କୁ ହତ୍ୟା କଲେ ନା ଲୁଟପାଟ କଲେ।ପୁଲିସ ଏବଂ ବିଏସଏଫ ସାରା ଜିଲ୍ଲାକୁ ଜଗି ରହିବା ଫଳରେ କୌଣସି ଅଘଟଣ କରିବାକୁ ନକ୍ସଲ ଭୟ କରିଥିଲେ।ଗତବର୍ଷଗୁଡିକରେ ଏହି ଦିବସରେ ନକ୍ସଲ ହିଂସାତ୍ମକ ହୋଇପଡନ୍ତି।ଦୁର୍ଗମରୁ ଅତି ଦୁର୍ଗମ ଅଂଚଳରେ ନକ୍ସଲକୁ ଦମନ କରିବା ପାଇଁ ଯବାନଙ୍କୁ ମୁତୟନ କରିବା ଯୋଗୁଁ ନକ୍ସଲ ହିଂସା କମିବା ସହ ଏହି ଦିବସକୁ ନକ୍ସଲ ଆଉ ପାଳନ କରିପାରିନଥିଲେ।ଯାହାକୁ ପୁଲିସର ଓ ଯବାନର ବିଜୟ କହିଲେ ଅତ୍ୟୁକ୍ତି ହେବ ନାହିଁ ଏସପି କହିଥିଲେ।

Leave A Reply

Your email address will not be published.