ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକରେ ଶାହଙ୍କ ଆହ୍ବାନ : ଏଠି ବହୁ ସମ୍ଭାବନା ଓ ସୁଯୋଗ ଅଛି, ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କର
ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ପାର୍ଟି ପକ୍ଷରୁ ଦିଆଯାଇଥିବା କାମକୁ ସଠିକ ଭାବେ ଏବଂ ଶୀଘ୍ର କାର୍ଯ୍ୟାନ୍ବୟନ କରାଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଶାହ। ଗାଁର ୱାର୍ଡ ଓ ବୁଥସ୍ତରରେ ଅର୍ଥାତ ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜବୁତ କରିବା, ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା ଏବଂ ମୋଦୀ ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି । ସେହିପରି ଘରେ ଘରେ ପଦ୍ମ ଫୁଲ ଅଙ୍କିବା ଉପରେ ମଧ୍ୟ ସେ ଗୁରୁତ୍ବ ଆରୋପ କରିଛନ୍ତି। ଏଥିସହ କଠିନ ପରିଶ୍ରମ କରି ଜୋରଦାର ଢଙ୍ଗରେ ଲଢେଇ କଲେ ଦଳ ସରକାରକୁ ଆସିବ ବୋଲି ଗୃହମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି।
ସେହିପରି ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତ ରିହିବାକୁ ଅମିତ ଶାହା ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଦଳର ସ୍ୱରକୁ ଶାଣିତ କର। ଯେଉଁଠି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରୁଛନ୍ତି, ତାହାକୁ ଲୋକଲୋଚନକୁ ଆଣ। ଶାଣିତ ଢଙ୍ଗରେ ରାଜନୈତିକ ଆକ୍ରମଣ କର। ଓଡିଶାରେ ବହୁତ ସମ୍ଭାବନା ଓ ସୁଯୋଗ ଅଛି।
ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ରୁଦ୍ଧଦ୍ବାର ବୈଠକ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ତୃଣମୂଳସ୍ତରରେ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଅମିତ ଶାହ ଆହ୍ବାନ ଦେଇଛନ୍ତି। ସଂଗଠନ ମଜବୁତ କରିବା ପାଇଁ ଓଡ଼ିଶାର ପ୍ରତିଟି ବୁଥ୍, ୱାର୍ଡ ଓ ଗାଁରେ ଦଳୀୟ କର୍ମୀଙ୍କୁ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼େଇ କରିବାକୁ ହେବ ବୋଲି କହିଛନ୍ତି। ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର ବିରୋଧରେ ଲଢ଼େଇ କରିବାକୁ ହେବ। ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ନେତା ମଧ୍ୟ ମନମୋହନ ସାମଲ କହିଛନ୍ତି, ଶ୍ରୀ ଶାହ ସଂଗଠନ ମଜବୁତ କରିବାକୁ ପରାମର୍ଶ ଦେଇଛନ୍ତି। ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ସେ ଆହ୍ବାନ ଦେଇଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସାରିବା ପରେ ଭୁବନେଶ୍ବରକୁ ଫେରି ଆସିଥିଲେ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ବିଜେପିର ତୁଙ୍ଗ ନେତୃତ୍ୱଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ସେ ରାଜ୍ୟ ବିଜେପିର ପଦାଧିକାରୀ ଏବଂ କୋର କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ। ବିଜେପି କାର୍ଯ୍ୟାଳୟରେ ଦଳୀୟ ବୈଠକ ଶେଷ ହେବା ପରେ ଅମିତ ଶାହ ହୋଟେଲ ମେ ଫେୟାରରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବେ।