ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ତେଜିଲାଣି ରାଜନୀତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସ୍ୱାଗତ କରିବାକୁ ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯାଇ ନ ଥିଲେ। କେବଳ ଗୃହ ରାଷ୍ଟ୍ର ମନ୍ତ୍ରୀ ନୁହନ୍ତି, ପୁଲିସ୍ ଡିଜି କିମ୍ବା ଗୃହ ସଚିବ ମଧ୍ୟ ବିମାନବନ୍ଦରକୁ ଯାଇ ନ ଥିଲେ। ଏହା ପ୍ରୋଟୋକଲର ସମ୍ପୂର୍ଣ୍ଣ ଉଲ୍ଲଘଂନ ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।
ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଯେତେବେଳେ ଓଡ଼ିଶା ଆସିଲେ ସେତେବେଳେ ଗୃହ ରାଷ୍ଟ୍ର ମନ୍ତ୍ରୀ ବିମାନବନ୍ଦର ଉପସ୍ଥିତ ରହିବାର ଥିଲ। ହେଲେ ସେ ପହଞ୍ଚି ନ ଥିଲେ। କେବଳ ସେ ନୁହେଁ, ଗୃହ ସଚିବ, ଡିଜି ବି ଆସିଲେନି। ଏନେଇ ସ୍ପେଶାଲ ସେକ୍ରେଟାରୀ ହୋମ୍ଙ୍କୁ ଚିଠି ପଠାଯାଇଥିଲା।
ପ୍ରଶାସନିକ ସେବାରେ ୨୫ ବର୍ଷ କାର୍ଯ୍ୟ କରିଛି। ପ୍ରୋଟକଲ୍ ଓ ରୁଲ୍ ବୁକ୍ ଅନୁସାରେ ଏପରି ହେବା କଥା ନୁହେଁ। ରାତି ଯେତେ ହେଉନା କାହିଁକି ନିୟମକୁ ପାଳନ କରିବା ଜରୁରୀ ଥିଲା ବୋଲି ଅପରାଜିତା କହିଛନ୍ତି। ଅପରାଜିତାଙ୍କ ଅଭିଯୋଗ ନେଇ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତିଙ୍କ ପ୍ରତିକ୍ରିୟା ମିଳିପାରିନି।
ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କେବଳ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଶାହଙ୍କୁ ସ୍ୱାଗତ ଜଣାଇଥିଲେ।