ଆହତ ଘୋଡା ପାଇଁ ଦେବଦୂତ ସାଜିଲେ ପଶୁ ପକ୍ଷୀ ପରିବାର।

ବାରିପଦା,୦୯/୦୮/୨୦୨୨-କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା ଏକ ଆହତ ଘୋଡ଼ାର ଦୃଶ୍ୟ। ଯାହାକି ସୋସିଆଲ ମିଡିଆ ରେ ବେଶ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା।ତେବେ କଷ୍ଟରେ କଥା କହିପାରୁ ନଥିବା ଘୋଡା ଟିର ଆଖିରୁ ବୋହି ଚାଲିଥାଏ ଧାର ଧାର ଲୁହ। ଆଉ କଷ୍ଟଭରା ହୃଦୟରେ ମୋତେ ଏ କଷ୍ଟରୁ ଉଦ୍ଧାର କର କହି ପ୍ରାର୍ଥନା କରି ଚାଲିଥାଏ ଭଗବାନଙ୍କୁ କଥାରେ ଅଛି ଭକ୍ତିରେ ଭଗବାନ,ଘୋଡାର ଏଇ କଷ୍ଟଭରା ପ୍ରାର୍ଥନା କୁ ଆଉ ଦେଖି ନ ପାରି ଶେଷରେ ପ୍ରେରିତ କଲେ ଦେବଦୂତ ସଜାଇ ପ୍ରକୃତି ପ୍ରେମୀଙ୍କୁ।ସୋସିଆଲ ମିଡିଆରେ ଦେଖି ଘୋଡାଟିର ଖବର ନେଇ ତା ପାଖରେ ପହଁଚିଲେ ପଶୁ,ପକ୍ଷୀ ଓ ପ୍ରକୃତି ପ୍ରେମୀ ପରିବାର, ଭଂଜପୁର, ବାରିପଦାର ସଦସ୍ୟ ମାନେ। ଏବଂ ଘୋଡା ଟିକୁ ନିଜ ପାଖକୁ ଆଣି ତାର ଚିକିତ୍ସାର ଦାୟିତ୍ୱ ନେଇଛନ୍ତି। ସୂଚନାନୁସାରେ କିଛି ଦିନ ତଳେ ଗଡ଼ଦେଉଳିଆ ଅଂଚଳରେ ଏକ ଆହତ ଘୋଡାକୁ ତାର ମାଲିକ ଛାଡି ଦେଇଯାଇଥିବାର ଖବର ପ୍ରଚାରିତ ହୋଇଥିଲା। ସ୍ଥାନୀୟ ଯୁବକ ମାନେ ତାକୁ ଏକ ସ୍ଥାନରେ ବାନ୍ଧି ତାର ଚିକିତ୍ସା ଆରମ୍ଭ କରିଥିଲେ। ମାତ୍ର ବିପଦମୁକ୍ତ ସ୍ଥାନରେ ରଖି ତାର ଉପଯୁକ୍ତ ଚିକିତ୍ସା କରିବା ସମ୍ଭବ ନ ହେବାରୁ ପଶୁ, ପକ୍ଷୀ ଓ ପ୍ରକୃତି ପ୍ରେମୀ, ପରିବାରର ବରିଷ୍ଠ ସଦସ୍ୟ ସୋମନାଥ ସିଂହ ଙ୍କ ସହ ଯୋଗାଯୋଗ କରିଥିଲେ। ପରିବେଶବିତ ଭାନୁମିତ୍ର ଆଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀ ସିଂହ ସାଥି ସଦସ୍ୟ ଆଲୋକ ବାରିକ ଓ ପଶୁ ଚିକିତ୍ସାଳୟର ରଞ୍ଜିତ ବେହେରାଙ୍କ ସହ ଉକ୍ତ ସ୍ଥାନକୁ ଯାଇ ସ୍ଥାନୀୟ ସାମ୍ବାଦିକ ଦୀପକ ସିଂହଙ୍କ ସହ ଆଲୋଚନା କରି ଘୋଡାଟିକୁ ବାରିପଦାକୁ ଆଣିବାର ସ୍ଥିର କରିଥିଲେ। ତା ପରଦିନ ବାରିପଦାକୁ ଆଣି ତାକୁ ନିରାପଦ ଆଶ୍ରୟ ଦେବାସହ ପଶୁ ଚିକିତ୍ସାଳୟର ଆମ୍ବୁଲାନ୍ସ ଦଳ ଦ୍ୱାରା ଘୋଡାଟିର ନିୟମିତ ଚିକିତ୍ସା ଆରମ୍ଭ ହୋଇଯାଇଛି।ପରବର୍ତ୍ତୀ ସମୟରେ ଏକ ଡାକ୍ତରୀଦଳ ତାର ଚିକିତ୍ସା ପାଇଁ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଶ୍ରୀ ଆଚାର୍ଯ୍ୟ ଜଣାଇଛନ୍ତି। ଏକଥା ଶୁଣି ବହୁ ସହୃଦୟ ବ୍ୟକ୍ତି ତାର ଖାଦ୍ୟ ଓ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି।

Leave A Reply

Your email address will not be published.