xmas

ସମାଜର ବିକାଶରେ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ – ଡକ୍ଟର ମେହେରା

ଭୁବନେଶ୍ୱର, ୦୯/୦୮ : ଭାରତୀୟ ପରମ୍ପରାରେ ପରିବାର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ । ଏହି ପରିବାରକୁ ଯୋଡ଼ି ରଖିଥାନ୍ତି ଭାରତୀୟ ମହିଳା । ତେଣୁ ବର୍ତମାନର ଯୁବପିଢ଼ିର ମହିଳାମାନେ ନିଜର କ୍ୟାରିୟର ଏବଂ ପରିବାର ମଧ୍ୟରେ ସମାନତା ରଖି ଆଗକୁ ବଢ଼ିବା ଉଚିତ ବୋଲି ସୋନିପତ ସ୍ଥିତ ଡ. ବି.ଆର. ଆମ୍ବେଦକର ନ୍ୟାସନାଲ ଲ ୟୁନିଭର୍ସିଟିର ପ୍ରତିଷ୍ଠାତା କୁଳପତି ପ୍ରଫେସର (ଡକ୍ଟର) ଭିନି କାପୁର ମେହେରା ।
ଭାରତୀୟ ଶିକ୍ଷନ ମଣ୍ଡଳ ମହିଳା ପ୍ରକଳ୍ପର ଅଖିଳ ଭାରତୀୟ ପ୍ରମୁଖ ଡକ୍ଟର ମେହେରା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନରେ ଆସିଥିବା ବେଳେ ସୋଆ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଲ (ସ୍ନିଲ୍‌)ର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପଞ୍ଜାବର ସୂଚନା କମିଶନର ଥିବା ଡକ୍ଟର ମେହେରା କହିଛନ୍ତି ଯେ ନିଜ ପରିବାରକୁ ବଂଚାଇବା ପାଇଁ ମହିଳାମାନଙ୍କୁ ଅନେକ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିଥାଏ । ତେବେ ନିଜ ଖୁସିରେ ସେମାନେ ଏ ସବୁ କରିବା ଉଚିତ । ପ୍ରେମ ଏବଂ ସମର୍ପଣ ଦ୍ୱାରା ହିଁ ସମାଜର ଉନ୍ନତି ହେବ ବୋଲି ସେ କହିଛନ୍ତି ।
ବର୍ତମାନର ଯୁବପିଢ଼ି କେବଳ ଚାକିରୀ ପଛରେ ନ ଧାଇଁ ନିଜେ କିଛି କରି ଦେଖାଇବା ଉଚିତ ବୋଲି କହିବା ସହ ଆଇନର ଛାତ୍ରଛାତ୍ରୀମାନେ କେବଳ ନ୍ୟାୟ ଉପରେ ମନୋନିବେଶ ନ କରି ସମାଜର ଉନ୍ନତି ଦିଗରେ କାର୍ଯ୍ୟ କରିବା ଦରକାର ବୋଲି ସେ କହିଛନ୍ତି । ମଣିଷ ଆତ୍ମକୈନ୍ଦ୍ରିକ ନ ହୋଇ ପରିବାର ଓ ସମାଜ ପାଇଁ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି ।
ଏହି ଅବସରରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ.ଏ.କେ. ଆଜାଦ, ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ, ପୂର୍ବତନ ଓଡ଼ିଶା ଖଦୀବୋର୍ଡ ଅଧ୍ୟକ୍ଷ ଶ୍ରୀ ତେଜେଶ୍ୱର ପରିଡ଼ା ଏବଂ ଭାରତୀୟ ଶିକ୍ଷନ ମଣ୍ଡଳ ଓଡ଼ିଶା ପୂର୍ବ ପ୍ରାନ୍ତର ଶ୍ରୀ ରାଜୀବ କୁମାର ଓଝା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.