ବେକେ ପାଣିରେ ଶ୍ମଶାନ ଗଲା ମୃତଦେହ!

ନାଳରେ ପୋଲ ନଥିବାରୁ ସତ୍କାର ପାଇଁ ବେକେ ପାଣିରେ ପଶି ମୃତଦେହ ନେଇଛନ୍ତି ସଂପର୍କୀୟ। ଏଭଳି ଘଟଣା ଘଟିଛି କଳାହାଣ୍ଡିର ଗୋଲାମୁଣ୍ଡା ବ୍ଲକରେ। ବହୁ ବର୍ଷ ହେଲା ଦାବି ହେଉଥିବା ସତ୍ତ୍ୱେ ଏହି ନାଳ ଉପରେ ପୋଲ ନିର୍ମାଣ କରାଯାଉନାହିଁ। ନାଳ ଦି ପଟରେ ଗୋଟିଏ ଗାଁର ଲୋକ। ଫଳରେ ବର୍ଷା ଦିନେ ସେହି ଗୋଟିଏ ଗାଁର ଲୋକେ ବି ପରସ୍ପରଠାରୁ ବିଚ୍ଛିନ୍ନ ହେଇଯାଉଛନ୍ତି।

ପୂର୍ବରୁ ପ୍ରସୂତି, ରୋଗୀ ତଥା ପିଲାମାନେ ଉଛୁଳା ନାଳ ପାର ହୋଇ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇ ସାରିଛି। ହେଲେ ଶେଷରେ ମୃତଦେହକୁ ସତ୍କାର କରିବାକୁ ଉଛୁଳା ନାଳ ପାର ହେବାକୁ ପଡ଼ିଲା। ଆତ୍ମୀୟ ସ୍ୱଜନ ଭରା ନାଳରେ ତଣ୍ଟି ଯାଏ ପାଣିରେ ପଶି ମୃତଦେହକୁ କାନ୍ଧ ଦେଇ ଶେଷକୃତ୍ୟ ସମ୍ପନ୍ନ ପାଇଁ ନେଲେ। ଏପରି ଅଭାବନୀୟ ଘଟଣା କଳାହାଣ୍ଡି ଥାନା ଗୋଳାମୁଣ୍ଡା ବ୍ଲକ ବେହେରାଗୁଡ଼ାରେ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ମୃତକ ହେଲେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ଖମାରହଳଦି ପଞ୍ଚାୟତର ବେହେରାଗୁଡା ଗ୍ରାମର ସନ୍ତ ରଣା ।

ବେହେରାଗୁଡ଼ା ଗ୍ରାମକୁ ଏକ ପକ୍କା ରାସ୍ତା ଥିବା ବେଳେ ଗାଁକୁ ଏକ ନାଳ ସଂଯୋଗ କରୁଛି। ନାଳର ଅପରପାର୍ଶ୍ୱରେ ଗ୍ରାମବାସୀଙ୍କ ଚାଷଜମି, ଶ୍ମଶାନ ଥିବା ବେଳେ ବହୁ ପରିବାର ବି ବସବାସ କରୁଛନ୍ତି। ବର୍ଷା ଦିନେ ଉକ୍ତ ନାଳ ପାର ହୋଇ ଯିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ୁଥିବା ବେଳେ ତାହା ଉପରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି । ମାତ୍ର କର୍ଣ୍ଣପାତ କରୁ ନାହାନ୍ତି ଅଧିକାରୀ।

ଦୀର୍ଘ ଦିନ ପାରାଲିସିସ ରୋଗରେ ଆକ୍ରାନ୍ତ ଥିବା ସନ୍ତ ରଣା ଗତ ମଙ୍ଗଳବାର ଆଖି ବୁଜିଥିଲେ। ଲଗାଣ ବର୍ଷା ଯୋଗୁ ଚାରିଆଡ଼େ ବନ୍ୟା ଜଳ ଉଛୁଳିକି ଥିବା ବେଳେ କେଉଁଠି ସନ୍ତଙ୍କ ଶବ ସତ୍କାର କରିବେ ସେ ନେଇ ପରିବାର ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଲା। ଏପରିକି ଗାଁର ଶ୍ମଶାନକୁ ଯିବାକୁ ଏକ ନାଳ ପଡ଼ୁଥିବା ବେଳେ ତାହା ଉଛୁଳିକି ଥିଲା। ତେଣୁ ବାଧ୍ୟ ହୋଇ ପରିବାର ଲୋକେ କୋକେଇ ବାନ୍ଧି ଶବକୁ କାନ୍ଧ ଦେଇ ପାଣିରେ ପଶି ଶ୍ମଶାନରେ ପହଞ୍ଚିଲେ। ସେଠାରେ ସନ୍ତଙ୍କ ଶବ ସତ୍କାର ହୋଇଥିବା ଜଣାଯାଇଛି।

ଏଭଳି ଘଟଣା ପୂର୍ବରୁ ଘଟୁଥିଲେ ମଧ୍ୟ ଏଯାଏ କାହାରି ନଜର ପଡ଼ିନି। ବିଧାୟକ, ସରପଞ୍ଚଙ୍କୁ ନାଳରେ ପୋଲ ନିର୍ମାଣ କରିବା ପାଇଁ ପୂର୍ବରୁ ବହୁବାର ଜଣାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ବର୍ତ୍ତମାନ ପରିସ୍ଥିତିରେ ବେହେରାଗୁଡା ଗ୍ରାମବାସୀଙ୍କ ପାଇଁ କେତେଦିନ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ଅଛି ଏବଂ କେବେ ପ୍ରଶାସନିକ ଅଧିକାରୀ ତଥା ଜନପ୍ରତିନିଧି ସୁଦୃଷ୍ଟି ପକାଇ ଏକ ପୋଲ କରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.