ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଜୀବନ ହାରୁଛନ୍ତି ୫% ଶିଶୁ

ଭୁବନେଶ୍ବର : ରାଜ୍ୟରେ ଶିଶୁ ମୃତ୍ୟୁକୁ ନେଇ ଆଉ ଏକ ଉଦ୍‌ବେଗଜନକ ଚିତ୍ର ସାମ୍ନାକୁ ଆସିଛି। ପ୍ରତିବର୍ଷ ରାଜ୍ୟରେ ଯେତିକି ସଂଖ୍ୟକ ଶିଶୁ(୫ବର୍ଷରୁ କମ୍)ଙ୍କ ମୃତ୍ୟୁ ହେଉଛି ତାହାର ୫ ପ୍ରତିଶତ ଶିଶୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଜୀବନ ହାରୁଛନ୍ତି। ଏହି ତଥ୍ୟ କୌଣସି ସଂସ୍ଥା କିମ୍ବା ଅନୁଷ୍ଠାନର ସର୍ବେକ୍ଷଣ ନୁହେଁ, ଖୋଦ୍ ସରକାରଙ୍କ ରିପୋର୍ଟ। ବିଭିନ୍ନ କାରଣ ପାଇଁ ଶିଶୁଙ୍କ ଏଭଳି ମୃତ୍ୟୁ ହେଉଥିବା କୁହାଯାଉଛି। ଗତ ୫ବର୍ଷରେ ରାଜ୍ୟରେ ଏହି ଚିତ୍ରରେ କୌଣସି ପ୍ରକାର ପରିବର୍ତନ ଆସିନାହିଁ। ଜାତୀୟସ୍ତରରେ ଯେଉଁ କେତୋଟି ରାଜ୍ୟର ସହରାଞ୍ଚଳରେ ୫ବର୍ଷରୁ କମ୍ ଶିଶୁ ଅଧିକ ସଂଖ୍ୟାରେ ପ୍ରାଣ ହରାଉଛନ୍ତି ତହିଁରେ ଓଡ଼ିଶା ଶୀର୍ଷରେ ରହିଛି। ତେଣୁ ରାଜ୍ୟରେ ୫ବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁକୁ କିଭଳି ରୋକାଯିବ ତାହା ସରକାରଙ୍କ ପାଇଁ ପ୍ରମୁଖ ଆହ୍ବାନ ପାଲଟିଛି।

ଶିଶୁ ମୃତ୍ୟୁ ହାର ବା ଆଇଏମ୍‌ଆରରେ ଓଡ଼ିଶା ବେଶ୍‌ ଭଲ ପ୍ରଦର୍ଶନ କରିଛି। ନିକଟରେ ପ୍ରକାଶ ପାଇଥିବା ରିପୋର୍ଟରେ ଓଡ଼ିଶାରେ ୧ହଜାର ଜୀବନ୍ତ ଶିଶୁଙ୍କ ମଧ୍ୟରେ ୩୬ଜଣଙ୍କ ମୃତ୍ୟୁ ‌ହେଉଥିବା ଦର୍ଶାଯାଇଛି। ସେହିପରି ଜନ୍ମର ୨୮ଦିନ ଭିତରେ ହେଉଥିବା ମୃତ୍ୟୁ ବା ନିଓ ନାଟାଲ ମୃତ୍ୟୁହାର(ଏନ୍‌ଏମ୍‌ଆର) ଓଡ଼ିଶାରେ ୨୮ ରହିଛି। ତେବେ ୫ବର୍ଷରୁ କମ୍ ଶିଶୁଙ୍କ କ୍ଷେତ୍ରରେ ଏହି ଚିତ୍ର ବଦଳି ଯାଉଛି। ୨୦୧୯/୨୦ରେ ପ୍ରକାଶ ପାଇଥିବା ଜାତୀୟ ପରିବାର କଲ୍ୟାଣ ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶର ଗ୍ରାମାଞ୍ଚଳରେ ୫ବର୍ଷରୁ କମ୍ ସର୍ବାଧିକ ୬୧ଜଣ ଶିଶୁଙ୍କ ମୃତ୍ୟୁ ହେଉଛି। ଏହି ସମୟରେ ଓଡ଼ିଶାର ଗ୍ରାମାଞ୍ଚଳରେ ୪୯ଜଣ ଶିଶୁଙ୍କ ମୃତ୍ୟୁ ହେଉଥିବା ବେଳେ ସହରାଞ୍ଚଳରେ ୩୭ଜଣ ପ୍ରାଣ ହରାଉଛନ୍ତି। ଓଡ଼ିଶାର ସହରାଞ୍ଚଳରେ ପ୍ରାଣ ହରାଉଥିବା ଶିଶୁଙ୍କ ମୃତ୍ୟୁ ଦେଶରେ ସର୍ବାଧିକ ରହିଛି।


ସରକାରୀ ତଥ୍ୟ କହୁଛି ଯେ ରାଜ୍ୟରେ ଇନ୍ ଟ୍ରାଞ୍ଜିଟ୍ ବା ଅଧବାଟରେ ପ୍ରାଣ ହରାଉଥିବା ଶିଶୁଙ୍କ ହାର ୫-୬ ପ୍ରତିଶତ ରହିଛି। ୨୦୧୭/୧୮ରେ ୯୮୦, ୨୦୧୮/୧୯ରେ ୮୩୯, ୨୦୧୯/୨୦ରେ ୧୦୧୭, ୨୦୨୦/୨୧ରେ ୯୭୯ ଓ ୨୦୨୧/୨୨ରେ ୭୯୮ ଶିଶୁଙ୍କ ମୃତ୍ୟୁ ହୋଇଛି। ଶିଶୁକନ୍ୟାଙ୍କ ଅପେକ୍ଷା ଶିଶୁପୁତ୍ର ଅଧିକ ସଂଖ୍ୟାରେ ପ୍ରାଣ ହରାଉଛନ୍ତି। ରାୟଗଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ଭଦ୍ରକ ଆଦି ଜିଲ୍ଲାରେ ଏହାର ସ୍ଥିତି ଉଦ୍‌ବେଗଜନକ ରହିଛି। ସେହିପରି ରାଜ୍ୟରେ ପ୍ରାୟ ଶହେ ଜଣ ମା’ଙ୍କ ପ୍ରତିବର୍ଷ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହେଉଛି। ୨୦୨୦/୨୧ରେ ଏହା ୯୭ ଥିବା ବେଳେ ୨୦୨୧/୨୨ରେ ୯୩ଜଣ ଏଥିରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମା’ ଓ ଶିଶୁଙ୍କ ସୁରକ୍ଷା ପାଇଁ ଜନନୀ ଏକ୍ସପ୍ରେସ୍ ଚଳାଚଳ କରୁଛି। ସବୁ ଜିଲ୍ଲାକୁ ମିଶାଇ ଏହାର ୫ଶହଟି ଆମ୍ବୁଲାନ୍‌ସ ଚାଲୁଛି। ତଥାପି ଶିଶୁ ମୃତ୍ୟୁକୁ ରୋକିବାରେ ଏହା ସଫଳ ହୋଇପାରୁ ନାହିଁ। ଏହାସହ ରାଜ୍ୟ ସରକାର ମାତୃ ଓ ଶିଶୁ ମୃତ୍ୟୁହାରକୁ ରୋକିବା ଲାଗି ସୁରକ୍ଷିତ ମାତୃତ୍ବ ଆଶ୍ବାସନା ବା ସୁମନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏଥିପାଇଁ ଏସ୍‌ସିବି ମେଡିକାଲ କଲେଜର ଓ ଏଣ୍ଡ ଜି ବିଭାଗକୁ ଉତ୍କର୍ଷ କେନ୍ଦ୍ର ଭାବେ ନିକଟରେ ଘୋଷଣା କରାଯାଇଛି। ଏହା ମଧ୍ୟ ସେତେଟା ଫଳପ୍ରଦ ହୋଇପାରୁ ନାହିଁ।


ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଆଇଏମ୍‌ଆରକୁ ହ୍ରାସ କରିବା ଦିଗରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ଓଡ଼ିଶାରେ ୫ବର୍ଷରୁ କମ୍ ପ୍ରାଣ ହରାଉଥିବା ଶିଶୁଙ୍କ ସଂଖ୍ୟା ୪୧ ରହିଛି। ତେବେ ଇନ୍‌ ଟ୍ରାଞ୍ଜିଟ୍ ବା ବାଟରେ ଶିଶୁ ପ୍ରାଣ ହରାଇବା ପାଇଁ ଅଧିକ ମାତ୍ରାରେ ପରିବାର ଲୋକ ହିଁ ଦାୟୀ। ଅନେକ ସମୟରେ ପିଲାର ଦେହ ଖରାପ ହେଲେ ସେମାନେ ଡାକ୍ତରଙ୍କ ଅପେକ୍ଷା ସ୍ଥାନୀୟ ଅଞ୍ଚଳରେ ଯେଉଁ ଚିକିତ୍ସାକୁ ଆପଣାଉଛନ୍ତି। ଡାକ୍ତରଙ୍କ ପରାମର୍ଶ ନ ନେଇ ପିଲାକୁ ଔଷଧ ଖାଇବାକୁ ଦେଉଛନ୍ତି। ଯାହାଫଳରେ ଏଭଳି ସ୍ଥିତି ଉପୁଜୁଛି। ରାଜ୍ୟରେ ଶିଶୁ ମୃତ୍ୟୁର ଶତ ପ୍ରତିଶତ ରିପୋର୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି। କାରଣ ପ୍ରତି ୧ହଜାର ଜୀବନ୍ତ ମୃତ୍ୟୁରେ ଯେଉଁ ଶିଶୁଙ୍କ ମୃତ୍ୟୁ ହେଉଥିବା ଘୋଷଣା ହେଉଛି, ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣରେ ଏହାର ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି। ଏ ଦୃଷ୍ଟିରୁ ରାଜ୍ୟରେ ହୁଏତ ଶତ ପ୍ରତିଶତ ଶିଶୁ ମୃତ୍ୟୁର ରିପୋର୍ଟିଂ ହେଉ ନ ଥିବା ଆଶଙ୍କା କରାଯାଉଛି। ଶିଶୁ ମୃତ୍ୟୁର ରିପୋର୍ଟିଂ ପାଇଁ ଆଶା କର୍ମୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଇନ୍ ଟ୍ରାଞ୍ଜିଟ୍‌ ମୃତ୍ୟୁ ରୋକିବାକୁ ହ‌େଲେ ଗୋଷ୍ଠୀସ୍ତରରେ ଏଥିପାଇଁ ଅଧିକ ସଚେତନତାର ଆବଶ୍ୟକତା ରହିଛି ବୋଲି ଡା.ପାଣିଗ୍ରାହୀ କହିଛନ୍ତି।

ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି, ଗୋଷ୍ଠୀସ୍ତରରେ ଯଦି କୌଣସି ପିଲା ଅସୁସ୍ଥ ଅଛନ୍ତି ତାହାଲେ ତାହାକୁ ଆଗୁଆ ଚିହ୍ନଟ କରିବା ଲାଗି ଏଏନ୍‌ଏମ୍‌ ଓ ଆଶାକର୍ମୀଙ୍କୁ ତାଲିମ୍ ଦିଆଯାଇଛି। ଯଦି ପରିବାର ଲୋକ ସତର୍କ ହେବେ ତାହାଲେ ଶିଶୁଟି ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିପାରିବ। ଏହାସହ ଆମ୍ବୁଲାନ୍‌ସରେ ମଧ୍ୟ ଜୀବନ ରକ୍ଷାକାରୀ ସୁବିଧା ରହିଥିବା ସେ କହିଛନ୍ତି।

Leave A Reply

Your email address will not be published.