xmas

ବିମାନ ଅବତରଣ ପରେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ଗୋଟିଏ ମାଙ୍କଡ଼, ୧୫ଟି ସାପ ଓ ୨ଟି କଇଁଛ

ଚେନ୍ନାଇ: ବିମାନ ଅବତରଣ ପରେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ଗୋଟିଏ ମାଙ୍କଡ଼, ୧୫ଟି ସାପ ଓ ୨ଟି କଇଁଛ। ଚେନ୍ନାଇ ବିମାନବନ୍ଦରରେ ଏଭଳି ଅଜବ ଘଟଣା ଘଟିଛି। ଥାଇଲାଣ୍ଡରୁ ଚେନ୍ନାଇରେ ଆସି ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ବ୍ୟଗରୁ ଏସବୁ ଜିନିଷ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ବ୍ୟାଗ ଭିତରେ ଗୋଟିଏ ମାଙ୍କଡ଼, ୧୫ଟି ସାପ, ୫ଟି ଅଜଗର ସାପ ଓ ୨ଟି କଇଁଛ ଥିଲା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଅଗଷ୍ଟ ୧୧ର ବିମାନ ଟିଜି-୩୩୭ ବିମାନରେ ଯାତ୍ରୀଜଣକ ଚେନ୍ନାଇରେ ପହଞ୍ଚିଥିଲେ। ତେବେ ଉଦ୍ଧାର ହୋଇଥିବ‌ା ଗୋଟିଏ ମାଙ୍କଡ଼, ୧୫ଟି ସାପ, ୫ଟି ଅଜଗର ସାପ ଓ ୨ଟି କଇଁଛଙ୍କୁ ବେଆଇନ ଭାବେ ବିଦେଶରୁ ଅଣାଯାଉଥିବା ଜାଣି ସେମାନଙ୍କୁ ଏକ୍ୟୁସିଏସ (ଆନିମଲ୍ କ୍ୱାରାଣ୍ଟିନ୍ ଆଣ୍ଡ ସାର୍ଟିଫିକେସନ୍ ସର୍ଭିସ)ର ପରାମର୍ଶରେ ଥାଇ ଏୟାରୱେଜ୍ ମାଧ୍ୟମରେ ମୂଳ ଦେଶକୁ ପଠାଯାଇଛି। ଏଥି ସହ ଯାତ୍ରୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଏହା ପୂର୍ବରୁ ଜୁନ୍ ୨୯ରେ, ୧୦୯ଟି ଜନ୍ତୁଙ୍କ ଚୋରା ଚାଲାଣ ଉଦ୍ୟମ କରିଥିବାରୁ ବ୍ୟାଙ୍କକକର ସୁବର୍ଣ୍ଣଭୂମି ବିମାନବନ୍ଦରରେ ଦୁଇଜଣ ଭାରତୀୟ ମହିଳାଙ୍କୁ ଗିରଫ କରାଯାଇଥିଲା। ମହିଳାଙ୍କ ବ୍ୟାଗରୁ ୩୫ଟି କଇଁଛ, ୫୦ଟି ଝିଟିପିଟି ଏବଂ ୨୦ଟି ସାପ ମିଳିଥିଲା।

ମିଳିଥିବା ସୂଚନା ମୁତାବକ, ୨୦୧୧ରୁ ୨୦୨୦ମଧ୍ୟରେ ୧୮ଟି ଭାରତୀୟ ବିମାନବନ୍ଦରରେ ୧୪୦ଟି ଏଭଳି ମାମଲା ସାମ୍ନାକୁ ଆସିବା ସହ ୭୦,୦୦୦ରୁ ଅଧିକ ଦେଶୀ ଏବଂ ବିଦେଶୀ ବନ୍ୟ ପ୍ରାଣୀ ଉଦ୍ଧ‌ାର ହୋଇଛନ୍ତି।

Leave A Reply

Your email address will not be published.