ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ଅବସରରେ ଜ୍ୟୋତି ଯାତ୍ରା ଓ ସାରସ୍ୱତ ସଭା ଅନୁଷ୍ଠିତ

ବରଗଡ- ବରଗଡ଼ ଟାଉନ ହଲଠାରେ ଆଜି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଜ୍ୟୋତି ଯାତ୍ରା କବିଙ୍କ ଜନ୍ମପୀଠ ବରପାଲି କବିଭବନ ରୁ ଆରମ୍ଭ ହୋଇ କଦଲୀପାଲି, ଲେଣ୍ଡା,ହଲଦୀପାଲି,ଅମ୍ବାପାଲି ଦେଇ ବରଗଡରେ ପହଞ୍ଚିଥିଲା । ଏହି ଜ୍ଯୋତିଯାତ୍ରା ଆଜି ସକାଳ ୭ଟା ୪୫ମିନିଟ୍ ରେ କବିଙ୍କ ବାସଭବନରୁ ଆରମ୍ଭ ହୋଇଥିଲା । ଏହି ଜ୍ୟୋତିକୁ ପ୍ରଜ୍ବଳନ ପୂର୍ବକ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଆୟୋଜକଙ୍କୁ ହସ୍ତାନ୍ତରିତ କରିଥିଲେ । ବରଗଡ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ନବୀନ ପ୍ରଧାନ, କବିଙ୍କ ପ୍ରପୌତ୍ର ମହେନ୍ଦ୍ର ମେହେର ଏବଂ ମନୋରଞ୍ଜନ ମେହେର, ବାନ୍ଧଶିଳ୍ପୀ ଡଃ ସୁରେନ୍ଦ୍ର ମେହେର, ପ୍ରାଧ୍ୟାପକ ଶୁକମୁନି ମେହେର,ଡଃ ଦୁର୍ବାଦଳ ମେହେର, ପାଣ୍ଡବ ବେହେରା, ଶିକ୍ଷାବିତ୍ ସୁନୀତି ମୁଣ୍ଡ ଓ ପୌରାଧ୍ଯକ୍ଷ ଦିନେଶ ଗହୀର ପ୍ରମୁଖ ଏହି ଜ୍ୟୋତି ଯାତ୍ରାରେ ସାମିଲ୍ ହୋଇଥିଲେ । କଣ୍ଠଶିଳ୍ପୀ ସ୍ବପ୍ନାରାଣୀ ତ୍ରିପାଠୀଙ୍କ ଗଙ୍ଗାଧର ସଙ୍ଗୀତ ଗାନ ସହ ଜ୍ୟୋତି କବି ଭବନରୁ ବାହାରିଥିଲା । ବରପାଲି ଶିଶୁମନ୍ଦିରର ଛାତ୍ରଛାତ୍ରୀମାନେ ବରପାଲିର ସ୍ଥାନେ ସ୍ଥାନେ ଗଙ୍ଗାଧରଙ୍କ କାଳଜୟୀ ସଙ୍ଗୀତ “ମଙ୍ଗଳେ ଅଇଲା ଉଷା” ପରିବେଷଣ ପୂର୍ବକ ଊତ୍ସହିତ ସମ୍ବର୍ଦ୍ଧନା ସହ ଗଙ୍ଗାଧର ଜ୍ୟୋତିକୁ ବରପାଲିରୁ ବିଦାୟ ଦେଇଥିଲେ । ବରପାଲି ଲିଟିଲ୍ ଏଞ୍ଜେଲ୍ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ତଥା ବିଭିନ୍ନ ସଂଘର କର୍ମକର୍ତ୍ତାଗଣ ମଧ୍ୟ ଏହି ଜ୍ୟୋତି ଯାତ୍ରାରେ ଉପସ୍ଥିତ ରହି ଭକ୍ତି ଅର୍ଘ୍ଯ ପ୍ରଦାନ କରିଥିଲେ । ଏହି ଜ୍ଯୋତି କଦଳୀପାଲି ହୋଇ ଆସିବା ବେଳେ ଜଗବନ୍ଧୁ ମହାବିଦ୍ୟାଳୟର ଦୁଇଶହ ଛାତ୍ରୀ ଏହି ଜ୍ୟୋତି ଯାତ୍ରାକୁ ଭବ୍ଯ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହାପରେ ଲେଣ୍ଡା ସରପଞ୍ଚଙ୍କ ନେତୃତ୍ବରେ ଲେଣ୍ଡା ଗ୍ରାମବାସୀ ଓ କୁଶନପୁରୀ ଗ୍ରାମବାସୀ ମଧ୍ୟ ଗଙ୍ଗାଧର ଜ୍ୟୋତିକୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ନୂଆ ସରସରାକୁ ଏହି ଜ୍ଯୋତି ପହଞ୍ଚିଲା ବେଳେ ମିଳିତ ଗ୍ରାମ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମୁଖ ସାହୁଙ୍କ ନେତୃତ୍ଵରେ ଛାତ୍ରଛାତ୍ରୀମାନେ ରଙ୍ଗୋଲି ଏବଂ ଶୁଭ କଳସ ସ୍ଥାପନା ପୂର୍ବକ ସ୍ବାଗତ ଜଣାଇଥିଲେ । ଏହାପରେ ଅମ୍ବାପାଲିରେ ଜ୍ୟୋତିକୁ ସ୍ବାଗତ ଜଣାଇଥିଲେ ପଶ୍ଚିମ ଓଡିଶା ଧନୁଯାତ୍ରା କଳାକାର ସଂଘର ସଭାପତି ଦୟାନିଧି ପଧାନ,କାଉନସିଲର୍ ଗୀତାଞ୍ଜଳି ବାଗଙ୍କ ସହ ଅମ୍ବାପାଲିର ଗ୍ରାମବାସୀ ଏବଂ ସ୍କୁଲ୍ ର ଛାତ୍ରଛାତ୍ରୀ । ଜ୍ୟୋତି ବରଗଡ଼ ପହଞ୍ଚିବା ପରେ ବାନ୍ଦୁଟିକ୍ରା ଛକଠାରେ ରେନବୋ ପବ୍ଲିକ୍ ସ୍କୁଲ୍ ର ଛାତ୍ରଛାତ୍ରୀମାନେ ଜ୍ଯୋତିଯାତ୍ରାକୁ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଗଙ୍ଗାଧରଙ୍କ କୃତି ଏବଂ କୃତିତ୍ବ ବିଷୟରେ ଅଧ୍ଯକ୍ଷ ତଥା ଅଧ୍ୟାପକମାନେ ସମ୍ଯକ ଉଦବୋଧନ ପ୍ରଦାନ କରିଥିଲେ । ବରଗଡ଼ ଗାନ୍ଧି ଛକଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ଯାଣୀ ଦାଶ ଜ୍ୟୋତି ଯାତ୍ରାକୁ ସ୍ବାଗତ କରିବା ସହ ଗାନ୍ଧୀ ଛକସ୍ଥିତ ଗଙ୍ଗାଧରଙ୍କ ପ୍ରତିକୃତିରେ ମାଲ୍ଯାର୍ପଣ କରିଥିଲେ । ଜିଲ୍ଲା ସଂସ୍କୃତି ବିଭାଗର ଆନୁକୁଳ୍ୟରେ ବରପାଲିଠାରୁ ଆରମ୍ଭ କରି ବରଗଡ ପର୍ଯ୍ୟନ୍ତ ପ୍ରତ୍ୟେକ ଛକରେ ଗଙ୍ଗାଧରଙ୍କ କାଳଜୟୀ ସଂଗୀତ ଗୁଡିକ ଗାଡିରେ ମାଇକ୍ ଦ୍ବାରା ପରିବେଷଣ କରାଯାଇଥିଲା । ପଶ୍ଚିମାଞ୍ଚଳ କଳାକାର ମହାମଞ୍ଚର ସଦସ୍ୟମାନେ ଗାନ୍ଧି ଛକଠାରେ ଜ୍ୟୋତି ଯାତ୍ରାରେ ସମ୍ମିଳିତ ହୋଇଥିଲେ । ଜ୍ୟୋତି ଯାତ୍ରା ମହିଳା ମହାବିଦ୍ୟାଳୟ ପରିସରକୁ ପହଞ୍ଚିବା ପରେ ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ ଜ୍ୟୋତି ଯାତ୍ରାକୁ ସ୍ଲୋଗାନ୍ ସହ ସଭାସ୍ଥଳ ପର୍ଯ୍ୟନ୍ତ ଆଗେଇ ନେଇଥିଲେ । ଏହି ଶୋଭାଯାତ୍ରାକୁ ଜିଲ୍ଲା ସାମ୍ବାଦିକ ସଂଘ, ବରଗଡ ଜିଲ୍ଲା ଓକିଲ ସଂଘ,ଗାନ୍ଧି ଭବନ ଓ ଅଗ୍ରଗାମୀ ଯୁବକ ସଂଘ ପକ୍ଷରୁ ସ୍ବାଗତ କରାଯାଇ ଜ୍ଯୋତିକୁ ବରଗଡ ଟାଉନ ହଲକୁ ନିଆଯାଇଥିଲା । ବରଗଡ ଜର୍ଜ ହାଇସ୍କୁଲର ଛାତ୍ରମାନେ ବାଦ୍ୟ ସହ ଜ୍ୟୋତିକୁ ଗୌରପଡା ଛକରୁ ଟାଉନ ହଲ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ବରଗଡ ପୌରାଧ୍ଯକ୍ଷା କଳ୍ପନା ମାଝୀ ଗାଡିରୁ ଜ୍ୟୋତିକୁ ଓହ୍ଲାଇ ସଭାସ୍ଥଳ ପର୍ଯ୍ୟନ୍ତ ନେଇଥିଲେ । ଏହାପରେ ଅନୁଷ୍ଠିତ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ମୁଖ୍ୟ ବକ୍ତା ରୂପେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳସଚିବ ଡଃ ନୃପରାଜ ସାହୁ, ସମ୍ମାନିତ ବକ୍ତା ରୂପେ କବି ଲକ୍ଷ୍ମୀନାରାୟଣ ହୋତା, ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ଡଃ ଶୁଭ୍ରାଂଶୁ ପଟ୍ଟନାୟକ ଯୋଗଦାନ କରିଥିଲେ । ଗଙ୍ଗାଧରଙ୍କ ପ୍ରତିକୃତିରେ ମାଲ୍ଯାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ ପରେ କବି ପ୍ରବାସିନୀ ହୋତା ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ଅତିଥିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପାୟନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଆୟୋଜକ କମିଟିର ସଦସ୍ଯ ରକ୍ଷାକାରୀ ବିଶି ଓ ସଞ୍ଜୀବ ମହାପାତ୍ର । ଡଃ ତପସ୍ବିନୀ ଗୁରୁ ସ୍ବାଗତ ଭାଷଣ ତଥା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଦେବେଶ ଆଚାର୍ଯ୍ୟ କହିଥିଲେ, ଗଙ୍ଗାଧରଙ୍କ ସାହିତ୍ୟ କୃତି କେବଳ ଓଡିଆ ସାହିତ୍ୟକୁ ସମୃଦ୍ଧ କରିନାହିଁ ବରଂ ବିଶ୍ବ ସାହିତ୍ୟକୁ ଋଦ୍ଧିମନ୍ତ କରିଛି । ମୁଖ୍ୟ ବକ୍ତା ଡଃ ନୃପରାଜ ସାହୁ କହିଥିଲେ ଯେ ଗଙ୍ଗାଧରଙ୍କ ସାହିତ୍ୟ କୃତିର ପ୍ରାସଙ୍ଗିକତା ଦିନକୁ ଦିନ ବଢି ଚାଲିଥିବା ଯୋଗୁଁ ଗଙ୍ଗାଧରଙ୍କ ଉପରେ ଆଲୋଚନା ମଧ୍ୟ ବଢି ବଢିଚାଲିଛି । ଜୀବନର ଯାବତୀୟ ଜଞ୍ଜାଳ ସତ୍ତ୍ବେ ଜୀବନ ମଧୁମୟ ହୋଇପାରେ, କବି ଗଙ୍ଗାଧର ଆମକୁ ଏହି ଆଶ୍ବାସନା ପ୍ରଦାନ କରିଛନ୍ତି । ଜୀବନରେ ସମସ୍ୟାକୁ ସ୍ବୀକାର କରିବା ଏବଂ ଗ୍ରହଣଶୀଳତାର ଧରୋହର ସୃଷ୍ଟି କରିବା ଗଙ୍ଗାଧରଙ୍କ ଅନନ୍ଯତା ବୋଲି ଡଃ ସାହୁ ବକ୍ତବ୍ଯ ରଖିଥିଲେ । ସମ୍ମାନିତ ବକ୍ତା ରୂପେ କବି ଲକ୍ଷ୍ମୀନାରାୟଣ ହୋତା କହିଥିଲେ ଯେ ଫକୀରମୋହନ “ସତ୍ଯ”, ମଧୁସୂଦନ ରାଓ “ଶିବ” ଓ ରାଧାନାଥ ରାୟ “ସୁନ୍ଦର “ର ଆରାଧନା କରିଥିବା ବେଳେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଏ ସମସ୍ତ ରୂପର ସମନ୍ବୟ ଦେଖିବାକୁ ମିଳେ ଯାହା ବିଶ୍ବ ସାହିତ୍ୟରେ ବିରଳ । ଗଙ୍ଗାଧର ଯଦିଓ ବଙ୍ଗଳା, ସଂସ୍କୃତ ସମେତ ସମସ୍ତ ସାହିତ୍ୟର ପାଠକ ଥିଲେ,ତଥାପି କାହାରି ପ୍ରଭାବ ତାଙ୍କ ରଚନାକୁ ପ୍ରଭାବିତ କରିପାରିନାହିଁ । ସ୍ବକୀୟ ପ୍ରଭାବରେ ସେ ରଚନା କରିଛନ୍ତି କାଳଜୟୀ ସାହିତ୍ୟ, ତେଣୁ ସେ ସ୍ବ-ଭାବ କବି । ତାଙ୍କର ଛଳନାବିହୀନ ଜୀବନ ଓ ସାହିତ୍ୟ ତାଙ୍କୁ କାଳଜୟୀ କରିପାରିଛି । ସେ ଏପରି କାଳଜୟୀ କୃତିସମୂହର ସ୍ରଷ୍ଟା, ଯନ୍ମଧ୍ଯରୁ କେବଳମାତ୍ର ଗୋଟିଏ କୃତି ମଧ୍ୟ ତାଙ୍କ ଶ୍ରେଷ୍ଠତ୍ଵ ପ୍ରତିପାଦନରେ ସମର୍ଥ । ସଭାପତି ରୂପେ ବାଗ୍ମୀ ତଥା ସୁଲେଖକ ସୁଜିତ ପୃଷେଠ ସଭାଟିକୁ ସଞ୍ଚାଳନ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ନବ ମହତ୍ତମଙ୍କ ନିର୍ଦ୍ଦେଶନାରେ ସରସ୍ବତୀ ଶିଶୁ ମନ୍ଦିର ଓଡିଆ ବିଭାଗର ଛାତ୍ରୀମାନେ ଆବାହନୀ ସଙ୍ଗୀତ ରୂପେ କାଳଜୟୀ ଗଙ୍ଗାଧର ସଙ୍ଗୀତ “ମଙ୍ଗଳେ ଅଇଲା ଉଷା” ଏବଂ ଉଦଯାପନୀ ସଙ୍ଗୀତ ରୂପେ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ “ବିଶ୍ବ ଦେଖ ମଧୁମୟ ରେ ଜୀବନ” ଗାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସଞ୍ଜୀବ ମହାପାତ୍ର । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀମାନେ ଯୋଗ ଦେଇ ସହଯୋଗ କରିଥିଲେ । ବରଗଡ଼ ସହରର ସମସ୍ତ ମହଲର ବୁଦ୍ଧିଜୀବୀମାନେ ଏଥିରେ ବହୁସଂଖ୍ୟାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.