ନକ୍ସଲ ପ୍ରବଣ ଅଞ୍ଚଳରେ ଆଜାଦିକା ଅମୃତ ମହୋତ୍ସବ ଅନୁଷ୍ଠିତ

ସ୍ୱାଭିମାନ ଅଞ୍ଚଳରେ ବିଏସଏଫର ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ,ସହିଦ ସ୍ତମ୍ଭ ଉପରେ ଉଡ଼ିଲା ତ୍ରିରଙ୍ଗା
ଜିଲ୍ଲାରେ ହାଇ ଆଲର୍ଟ, ସୀମା ସିଲ
ମାଲକାନଗିରି.୧୪ /୮ ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଞ୍ଚଳରେ ପ୍ରଥମ ଥର ତ୍ରିରଙ୍ଗା ପତାକା ଉଡିଛି। ସ୍ୱାଭିମାନ ଅଞ୍ଚଳର ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳରେ ରହିଥିବା ସହିଦସ୍ତମ୍ଭ ଗୁଡିକ ଉପରେ ଲୋକେ ନିର୍ଭୟରେ ତ୍ରିରଙ୍ଗା ପତାକା ଉଡାଇଥିଲେ। ଦୀର୍ଘ ବର୍ଷ ପରେ ଲୋକେ ସ୍ୱାଧୀନତା ପାଇଥିବା କହିଥିଲେ। ସାରା ଦେଶ ଏବେ ଆଜାଦିକା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ସ୍ୱାଭିମାନ ଅଞ୍ଚଳର ନକ୍ସଲ ପ୍ରବଣ ଦରଲାବେଡା ଏବଂ ଖଜୁରିଗୁଡାରେ ମଧ୍ୟ ଲୋକେ ଏହି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଲୋକେ ଆଜି ସ୍ୱାଧୀନ ହେବା କହିବା ସହ ନିର୍ଭୟରେ ନିଜର ମତ ରଖିପାରୁଛନ୍ତି। ସରକାର ଏବଂ ପୁଲିସ ପ୍ରଶାସନକୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ। ସେହିପରି ବିଏସଏଫ ତରଫରୁ ସ୍ୱାଭିମାନ ଅଞ୍ଚଳର ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ବିଏସଏଫ ତରଫରୁ ମାଗଣାରେ ତ୍ରିରଙ୍ଗା ପ୍ରତ୍ୟେକ ଘରକୁ ପ୍ରଦାନ କରାଯାଇଥିଲା। ନକ୍ସଲ ପ୍ରବଣ ଅଞ୍ଚଳରେ ଲୋକେ କେବେ ମଧ୍ୟ ତ୍ରିରଙ୍ଗା ପାତାକା ଉଡାଇନଥିଲା। ଆଜି ବିଏସଏଫ ଯବାନଙ୍କ ସୁରକ୍ଷାରେ ସେମାନେ ତ୍ରିରଙ୍ଗା ପାତାକା ଉଡାଇଥିଲେ। ବାଲିମେଳା ଜଳଭଣ୍ଡାରରେ ମଧ୍ୟ ବିଏସଏଫ ଯବାନ ପଇଁତରା ମାରି ତ୍ରିରଙ୍ଗା ପତାକାକୁ ଉଡାଇବା ସହ ଲୋକଙ୍କ ମନରୁ ନକ୍ସଲ ଭୟ ହଟାଇଥିଲେ। ସ୍ୱାଭିମାନ ଅଞ୍ଚଳରେ ଲୋକେ ବିଏସଏଫଙ୍କ ଏଭଳି କାର୍ଯ୍ୟକୁ ସ୍ବାଗତ କରିଥିଲେ। ସମସ୍ତ ଘରେ ତ୍ରିରଙ୍ଗା ପାତାକା ଉଡିଥିଲା। ଲୋକେ ଆଉ ଭୟ ନକରି ଗାଁ ସାରା ତ୍ରିରଙ୍ଗା ପତାକା ଧରି ଉଡାଇଥିଲେ। ଆସନ୍ତାକାଲି ସ୍ୱାଭିମାନ ଅଞ୍ଚଳର ସମସ୍ତ ଗ୍ରାମରେ ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ଜଣାପଡିଛି। ସମସ୍ତ ସ୍କୁଲରେ ପତାକା ଉଡିବ। ଆଉ ପୂର୍ବ ଭଳି ଏଠାରେ କଳା ପତାକା ଉଡିବ ନାହିଁ ବୋଲି କୁହାଯାଇଛି। ଲୋକେ ଆଉ ନକ୍ସଲଙ୍କୁ ଭୟ କରୁନଥିବା ବେଳେ ସମସ୍ତେ ଏକଜୁଟ ହୋଇଥିବା କହିଥିଲେ। ପୁଲିସ ଏବଂ ପ୍ରଶାସନ ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି। ସୀମାକୁ ସିଲ କରିଦିଆଯିବା ସହ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ସ୍ୱାଧୀନତାର ସାତ ଦଶନ୍ଧି ପରେ ସ୍ୱାଭିମାନ ଅଞ୍ଚଳରେ ଏଭଳି ତ୍ରିରଙ୍ଗା ଉଡୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ପୁଲିସ ,ବିଏସଏଫ ଏବଂ ପ୍ରଶାସନ ବେଶ ଖୁସି ଜଣାପଡୁଥିଲେ। ସ୍ୱାଭିମାନ ଅଞ୍ଚଳର ଖଜୁରୀ ଗୁଡ଼ା, ଦର୍ଲାବେଡ।, ଧୁଲିପୁଟ ଅତି ସମ୍ବେଦନଶୀଳ ଅଞ୍ଚଳରେ ସ୍ୱାଭିମାନ ଅଞ୍ଚଳବାସି। ନିର୍ଭୟ ରେ ତ୍ରିରଙ୍ଗା ଉଡ଼ାଇବାର ଦେଖିବାକୁ ମିଳିଛି।

Leave A Reply

Your email address will not be published.