xmas

ନେତାଜୀ ସୁବାଷ ବୋଷଙ୍କ ଶେଷ ଅବଶେଷକୁ ଭାରତ ଆଣିବାକୁ ଦାବି କଲେ ତାଙ୍କ ଝିଅ । କହିଲେ, ନେତାଜୀଙ୍କର ଶେଷ ଅବଶେଷର ହେଉ ଡିଏନଏ ଟେଷ୍ଟ

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଅବଶେଷକୁ ଭାରତ ଆଣିବାର ସମୟ ଆସିଯାଇଛି । ସ୍ୱାଧୀନତା ଦିବସରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଝିଅ ଅନୀତା ଦାସଙ୍କ ଏ କଥା ଆଜି ଚର୍ଚ୍ଚା ସୃଷ୍ଟି କରିଛି । ସେ କହିଛନ୍ତି, ଡିଏନଏ ଯାଞ୍ଚ କରି, ନେତାଜୀଙ୍କର ମୃତ୍ୟୁ ୧୯୪୫ ମସିହା ଅଗଷ୍ଟ ମାସ ୧୮ ତାରିଖରେ ହୋଇଥିଲା ବୋଲି ସନ୍ଦେହ ଦୂର କରିବାକୁ ହେବ । ଯେଉଁମାନେ ନେତାଜୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି, ତାଙ୍କ ସନ୍ଦେହ ଦୂର କରିବାକୁ ପଡିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତାର ଖୁସି ଅନୁଭବ କରିବା ପାଇଁ ତାଙ୍କ ପିତା ଜୀବିତ ନଥିଲେ । ତେଣୁ ଏବେ ସମୟ ଆସିଯାଇଛି, ନେତାଜୀଙ୍କ ଶେଷ ଅବଶେଷକୁ ଭାରତ ମାଟିକୁ ଅଣାଯାଉ । ତା ସହିତ ଏହି ଅବଶେଷର ଡିଏନଏ ଯାଞ୍ଚ କରି ନେତାଜୀଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସନ୍ଦେହ ଦୂର କରିବାକୁ ଅନୀତା ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ନେତାଜୀଙ୍କ ଶେଷ ଅବଶେଷ ଟୋକିଓର ଏକ ମନ୍ଦିରରେ ରହିଥିବା କୁହାଯାଉଛି ।

ଅନ୍ୟପଟେ ଟୋକିଓର ଉକ୍ତ ମନ୍ଦିର ଓ ଜାପାନ ସରକାର ଏନେଇ ଅନୁମତି ଦେଇସାରିଛନ୍ତି । ତେଣୁ ଖୁବଶୀଘ୍ର ନେତାଜୀଙ୍କ ଶେଷ ଅବଶେଷକୁ ଭାରତ ଫେରାଇ ଅଣାଯାଉ ବୋଲି ସେ ଦାବି କରିଛନ୍ତି । ତେବେ ନେତାଜୀଙ୍କ ପାଇଁ ସ୍ୱାଧୀନତା ଛଡା ଆଉ କିଛି ବି ମହତ୍ତ୍ୱପୂର୍ଣ୍ଣ ନଥିଲା । ବିଦେଶୀ ଶାସନ କବଳରୁ ମୁକ୍ତ ହେବା ପାଇଁ ସେ ନିଜର ସମସ୍ତ ଶକ୍ତି ଖଟାଇ ଦେଇଥିଲେ ବୋଲି ଅନୀତା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନେତାଜୀଙ୍କ ମୃତ୍ୟୁକୁ ନେଇ ଏବେ ବି ସଂଶୟ ଲାଗି ରହିଛି । କୁହାଯାଏ, ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ଦେହାନ୍ତ ହୋଇଥିଲା । ଦୁଇଟି ଯାଞ୍ଚ ଆୟୋଗ ମଧ୍ୟ ଏହି କଥାକୁ ଗ୍ରହଣ କରିଥିଲେ । ହେଲେ ତୃତୀୟ ଯାଞ୍ଚ ଆୟୋଗ ଏହି କଥାକୁ ଗ୍ରହଣ ନକରିବା ସହିତ ଏହି ବିମାନ ଦୁର୍ଘଟଣା ପରେ ମଧ୍ୟ ନେତାଜୀ ଜୀବିତ ଥିଲେ ବୋଲି କହିଥିଲା । ଯାହା ଏବେ ବି ଏକ ରହସ୍ୟ ହେଇ ରହିଛି ।

Leave A Reply

Your email address will not be published.