ଏମଭିୃ-୪୩ ଗ୍ରାମରେ ପ୍ରସ୍ତାବିତ ରେଲଵେ ପ୍ରକଳ୍ପ ପାଇଁ ପଲ୍ଲୀ ସଭା, ଜମି ଅଧିଗ୍ରହଣ ନିମନ୍ତେ ଉଚିତ ମୂଲ୍ୟ ପ୍ରାପ୍ୟ ଦାବି

ମାଲକାନଗିରି,୧୭/୮ ମାଲକାନଗିରି ପୌର ପରିଷଦ ଅଧୀନରେ ରହିଥିବା ଏମଭି-୪୩ ଗ୍ରାମରେ ରେଲଵେ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ପଲ୍ଲୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଅଧ୍ୟକ୍ଷ ମନୋଜ କୁମାର ବାରିକ, ଅତିରିକ୍ତ ତହସିଲଦାର ଜଗଦିଶ କାର୍ତ୍ତାମି, ପୌରପରିଷଦ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ, ରେଲଵେ ବିଭାଗର ସହାୟକ ଇଂଜନିୟର ଭିଏଡି ସମଲିଙ୍ଗମ,ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅମୂଲ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଏମଭି-୪୩ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ। ବୈଠକରେ ଏହି ଅଞ୍ଚଳର ପ୍ରାୟ ୫୦ରୁଉର୍ଦ୍ଧ୍ବ ଲୋକଙ୍କର ଜମି ରେଲଵେ ଲାଇନ ପାଇଁ ଦରକାର ପଡୁଥିବାରୁ ସେହି ଜମି ମାଲିକମାନଙ୍କ ସହ ରେଲଵେ ବିଭାଗ ପକ୍ଷରୁ ଏବଂ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକେ ମଧ୍ୟ ନିଜ ନିଜ ଜମି ଯାଉଥିବାରୁ ସେମାନେ ବ୍ୟତିବ୍ୟସ୍ତ ହେବା ସହ କିପରି ସେମାନେ ଜମିର ଉଚିତ ମୂଲ୍ୟ ପାଇବେ ସେନେଇ ଆଲୋଚନା କରିଥିଲେ। ଏହି ଅଞ୍ଚଳକୁ ରେଲଵେ ଆସିଲେ ଲୋକଙ୍କର ଉନ୍ନତି ହେବ ସିନା ଅବନତି ହେବ ନାହିଁ। ସରକାରଙ୍କର ଏହି ପ୍ରୋଜେକ୍ଟ ଯୋଗୁଁ ମାଲକାନଗିରି ଜିଲ୍ଲାକୁ ରେଳ ପଥ ଆସିବା ସହ ଏହା ବର୍ଦ୍ଧିତ ହୋଇ ଭଦ୍ରାଞ୍ଚଲମ ପର୍ଯ୍ୟନ୍ତ ଯିବ ବୋଲି କୁହାଯାଇଥିଲା।ତେବେ ବୈଠକରେ ବହୁ ଆଲୋଚନା ପରେ ମଧ୍ୟ ଲୋକମାନେ ନିଜ ଜମିକୁ ଦେବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଥିଲା। ସରକାର ଯଦି ଉଚିତ ମୂଲ୍ୟ ଦେବେ ତେବେ ନିଶ୍ଚିତ ଭାବେ ଜମି ପ୍ରଦାନ କରିବେ ବୋଲି ସେମାନେ କହିଥିଲେ। ତେବେ ଆଗାମୀ ଦିନରେ ପୁଣି ଥରେ ଏହି ବୈଠକ ବସିବ ବୋଲି କୁହାଯାଇଛି। ତେବେ ରେଲଵେ ପକ୍ଷରୁ ଯେଉଁ ଯେଉଁ ସ୍ଥାନରେ ଜମିଅଧିଗ୍ରହଣ ନେଇ ବୈଠକମାନ ହେଉଛି ସବୁ ସ୍ଥାନରେ ଟଂକା ହିଁ ପ୍ରତିବନ୍ଧକ ସାଜୁଛି।

Leave A Reply

Your email address will not be published.