ପାଠ ଛାଡ଼। ଯାଅ ମୋରମ ବୁହ। ସ୍କୁଲରେ କାମ କର। ଶିକ୍ଷକ ଓ ଏସ୍ଏମ୍ସି କମିଟି ମୁଖ୍ୟଙ୍କ ଏଭଳି ଅଜବ ନିର୍ଦ୍ଦେଶ ପରେ କୋମମତି ଛାତ୍ରମାନେ ହାତରେ କୋଦାଳ ଓ କରେଇ ଧରି କାମ କରିଛନ୍ତି। କୁନିକୁନି ହାତକୁ କଷ୍ଟ ଦେଇ ମାଟି ବୋହିଛନ୍ତି। ସରକାରୀ ଶିକ୍ଷା ବ୍ୟବସ୍ଥାର ଏଭଳି ବିଚିତ୍ର ଚିତ୍ର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କଚରାପାରା-୩ ପଞ୍ଚାୟତ ଅନ୍ତର୍ଗତ ଓଡଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଭାଇରାଲ ହୋଇଛି। ନିଜ ସ୍କୁଲରେ ଛାତ୍ରମାନେ ଶିଶୁ ଶ୍ରମିକ ହୋଇଛନ୍ତି। ସ୍କୁଲର ଉନ୍ନତିକରଣ କାମ ଶ୍ରମିକ ଲଗାଇ କରାଇବା ବଦଳରେ ଶିକ୍ଷକମାନେ କୋମଳମତି ଛାତ୍ରମାନଙ୍କୁ ଏହି ବିପଦସଙ୍କୁଳ କାମରେ ବ୍ୟବହାର କରିବା ବୁଦ୍ଧିଜୀବୀ ମହଲରେ ସମାଲୋଚନାର ବିଷୟ ହୋଇଛି। ପାଠପଢା ସମୟରେ ସେମାନଙ୍କ ହାତରୁ ଖାତା, କଲମ, ବହି ଛଡ଼ାଇ ନେଇ କୋଦାଳ ଓ କରେଇ ଧରାଇ ଦିଆଯାଇଛି।
ଏହି ଭିଡ଼ିଓରେ ଓଡଣ୍ଡି ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନେ ସ୍କୁଲ୍ ୟୁନିଫର୍ମରେ ଅଛନ୍ତି ଏବଂ ହାତରେ କୋଦାଳ ଧରି ସ୍କୁଲ୍ ବାହାରେ ଗଦା ହୋଇଥିବା ମୋରମକୁ ବୋହି ନେଇ ବିଦ୍ୟାଳୟ ଭିତରେ ଥିବା ଖାଲ ଗୁଡ଼ିକରେ ପକାଉଛନ୍ତି। ଛାତ୍ରୀମାନେ ସ୍କୁଲ ଭିତରେ ବଣବୁଦା ସଫା କରି ଅଳିଆକୁ ବାହାରେ ଆଣି ପକାଉଛନ୍ତି। କୁନି କୁନି ଛାତ୍ରଙ୍କୁ ଏଭଳି ବିପଦପୂର୍ଣ୍ଣ କାମରେ ଲଗାଇବା ଘଟଣା ଜାଣିବା ପରେ ଅଭିଭାବକମାନେ ତୀବ୍ର ବିରୋଧ କରିଛନ୍ତି। ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରମାନଙ୍କୁ ଏଭଳି ଦଣ୍ଡ ଦିଆଯାଉଥିବା ଅଭିଯୋଗ ହୋଇଛି।
ସ୍କୁଲ ମରାମତି ଓ ଉନ୍ନତିକରଣ କାମ କରିବାକୁ ସରକାର ପାଣ୍ଠି ଯୋଗାଇ ଦେଉଛନ୍ତି। ଏହି ଅର୍ଥ ବିନିଯୋଗ କରି ଶ୍ରମିକ ନିୟୋଜିତ କରିବା ବଦଳରେ ଉକ୍ତ ଶିଶୁଙ୍କୁ କାମରେ ଲଗାଇବା ଉଦ୍ବେଗର ବିଷୟ ବୋଲି ଅଭିଭାବକମାନେ କହିଛନ୍ତି।