ଆସନ୍ତା ୨୫ ତାରିଖରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।

ବୌଦ୍ଧ: ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ଆମ ଦେଶରେ ଜାତି ପ୍ରଥା ଏବଂ ଛୁଆଁ ଅଛୁଆଁ ଭେଦଭାବ ପବିତ୍ର ଶିକ୍ଷାନୁଷ୍ଠାନ ,ଅଙ୍ଗନୱାଡ଼ି କେନ୍ଦ୍ର , ବିଭିନ୍ନ ଦେବାଳୟ , ହୋଟେଲ , ସେଲୁନ ମାନଙ୍କରେ ଆଜି ମଧ୍ୟ ବଳବତ୍ତର ରହିବା ଅତି ଦୁଃଖ ଓ ପରିତାପର ବିଷୟ । ରାଜସ୍ଥାନର ଜଲୋର୍ ଜିଲ୍ଲାର ଏକ ଘରୋଇ ବିଦ୍ୟାଳୟର ନଅ ବର୍ଷର ଅଛୁଆଁ ଦଳିତ ଛାତ୍ର ଇନ୍ଦ୍ର ମେଘୱାଲ ଶିକ୍ଷକଙ୍କ ପାଣି ବୋତଲ ଛୁଇଁ ଦେବାରୁ ଅମାନୁଷିକ ଭାବରେ ଶିକ୍ଷକ ପିଟି ପିଟି ପିଲାଟିକୁ ମାରିଦେଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ ପାଇଁ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ବହିରା କୋଠଘର ଠାରେ ଏକ ଗୁରୁତ୍ବପୂର୍ଣ୍ଣ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ର ଜିଲ୍ଲା ସଭାପତି ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ସମାଜ ର ସାମାଜିକ ଏକତା , ସାମାଜିକ ସଂସ୍କାର, ସାମ୍ବିଧାନିକ ଅଧିକାର , ନାଗରିକ ଅଧିକାର , ଦଳିତ ଅଧିକାର ତଥା ମାନବିକ ଅଧିକାର ଉପରେ ଆଲୋକପାତ କରିଥିଲେ। ମୃତ୍ୟୁବରଣ କରିଥିବା ନଅ ବର୍ଷର ଅଛୁଆଁ ଦଳିତ ଛାତ୍ରଙ୍କ ପରିବାରକୁ ତୁରନ୍ତ ଏକ କୋଟି ଟଙ୍କାର କ୍ଷତିପୂରଣ , ଅମାନୁଷିକ ଶିକ୍ଷକଙ୍କୁ ତୁରନ୍ତ ଫାଶୀ ଦଣ୍ଡରେ ଦଣ୍ଡିତ ଏବଂ ବିଭିନ୍ନ ଦାବୀରେ ଆସନ୍ତା ୨୫ ତାରିଖ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିବା ସହିତ ନିଜର ହକ୍ ଏବଂ ଅଧିକାର ପାଇଁ ସଂଗ୍ରାମ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା ଉପ ସଭାପତି ମକରଧ୍ବଜ ମହାନନ୍ଦିଆ , ବସନ୍ତ କୁମାର ଖୁରା , ରୋହିତ କହଁର , କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ଯୁଗ୍ମ ସଂପାଦକ ଶ୍ରୀନିବାସ ହାତୀ , ସଂଗଠନ ସମ୍ପାଦକ ଦେବଦତ୍ତ ସାଗର , ବିଶିଷ୍ଟ ସମାଜସେବୀକା ତଥା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସେବତୀ ବେହେରା , କଳିଙ୍ଗ ତାଣ୍ଡିଆ , ରବୀନ୍ଦ୍ର ନାଗ , ସୁରେଶ ମହାନନ୍ଦ , ପ୍ରମୋଦ ସାହାଣୀ , ସନ୍ତୋଷ ପେରା , ଯୁବ ଶିକ୍ଷାବିତ୍ ତଥା ଜିଲ୍ଲା କାର୍ଯ୍ୟକାରି ସଦସ୍ୟ ସଂଜିତ ଜେନା , ପ୍ରଜାପତି ଭବସାଗର , ଅନିରୁଦ୍ଧ ବେହେରା , ବରିଷ୍ଠ ସମାଜସେବୀ ଜୟରାମ ହରିପାଲ , ଅନୀଲ ତନ୍ତୀ , ଡାକ୍ତର ବେହେରା , ସୁବ୍ରତ କୁମାର ଜଗଦଲା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ବରିଷ୍ଠ ସମାଜସେବୀ ତଥା ସଂଗଠନର ଜିଲ୍ଲା ସହକାରୀ ସାଧାରଣ ସଂପାଦକ କହେଁଇ ବାଦି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.