ବାରିପଦା-୨୨/୮ ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା, ଭୁବନେଶ୍ୱର ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ (ଏନ୍ଏଚ୍ଏମ୍) ସମ୍ମିଳନୀ କକ୍ଷରେ “ନମୁନା ପଞ୍ଜିକରଣ” ବ୍ୟବସ୍ଥାର ସାମୟିକ ଗଣନାକାରୀଙ୍କ ଦ୍ୱାରା ମୋବାଇଲ ଆପ୍ (ଆପଲିକେସନ) ଜରିଆରେ ତଥ୍ୟ ସଂଗ୍ରହ ନିମନ୍ତେ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥିଭାବେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ରୂପଭାନୁ ମିଶ୍ର ପ୍ରଦ୍ୱୀପ ପ୍ରଜ୍ୱଳନ କରି ଉକ୍ତ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିଥିଲେ । ଜନଗଣନା ନିର୍ଦ୍ଦେଶାଳୟ, ଓଡିଶାର ସଂଯୁକ୍ତ ନିର୍ଦ୍ଦେଶକ ଡକ୍ଟର ଦିଗବିଜୟ ଗିରି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଡାକ୍ତର ରୂପଭାନୁ ମିଶ୍ର, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶ୍ରୀମତୀ ମିନତୀ ପୃଷ୍ଟି ପ୍ରୋଗ୍ରାମ୍ ଅଧିକାରୀ,ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପ୍ରଶିକ୍ଷଣ ସମ୍ବନ୍ଧରେ ସଂକ୍ଷିପ୍ତ ତଥ୍ୟ ପ୍ରଦାନ କରିଥିଲେ । ଶ୍ରୀ ରବୀନ୍ଦ୍ର କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯୋଗ ଦେଇଥିବାବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାଧାରଣ ଓ ବିବିଧ ଉପବିଭାଗର ସେକ୍ସନ ଅଫିସର ଶ୍ରୀ ରାମେଶ୍ୱର ଦାସ ଓ ଶ୍ରୀ ବିଭୁକଲ୍ୟାଣ ପ୍ରଧାନ, ଏସ୍ଆରଏ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଭାରତ ସରକାରଙ୍କ ଦ୍ୱାରା ପ୍ରର୍ବନ ହୋଇଥିବା ନମୁନା ପଞ୍ଜିକରଣ ପଦ୍ଧତିରେ ସାମୟିକ ଗଣନାକାରୀ(ପି.ଟି.ଇ) ଏବଂ ନିର୍ଦ୍ଦେଶାଳୟର ସୁପରଭାଇଜରଙ୍କ ଦ୍ୱାରା ଦୁଇଟିକିଆ ତଥ୍ୟ ସଂଗ୍ରହ ହୋଇଥାଏ । ଏହି ବ୍ୟବସ୍ଥାରେ ଚିହ୍ନିତ ଗ୍ରାମ ଓ ସହରାଞ୍ଜଳମାନଙ୍କରେ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ତଥ୍ୟ ସଂଗୃହିତ ହୋଇଥାଏ । ଓଡିଶାରେ ୪୦୫ଟି ନମୁନା ପଞ୍ଜିକରଣ (ଏସ୍.ଆର.ଏସ୍) ୟୁନିଟ ରହିଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର ୩୦ଜଣ ଗଣନାକାରୀ (ଅଙ୍ଗନୱାଡି କର୍ମୀ, ଆଶା ଓ ଶିକ୍ଷକ) ଯୋଗଦାନ କରି ନମୂନା ପଞ୍ଜିକରଣ ନିମନ୍ତେ ଆବଶ୍ୟକ ତଥ୍ୟ /ସୂଚନା ଉଦ୍ଦିଷ୍ଟ ଥିବା ଡିଜିଟାଲ ଫର୍ମାଟ୍ରେ ସଂଗ୍ରହ ଓ ପ୍ରେରଣା ନିମନ୍ତେ ମାସିକ ଏବଂ ଅର୍ଦ୍ଧବାର୍ଷିକ ସବିଶେଷ ତଥ୍ୟ ମୋବାଇଲ ମାଧ୍ୟମରେ ସଂଗୃହୀତ ପ୍ରଣାଳୀ ସମ୍ବନ୍ଧରେ ପ୍ରଶିକ୍ଷଣ ନେଇଥିଲେ ।ଆୟଜିତ ଉକ୍ତ କାର୍ଯ୍ୟକ୍ରମରେ ତାଲିମ ପ୍ରଶିକ୍ଷକ ଭାବରେ ଶ୍ରୀ ମୋହନ ଚନ୍ଦ୍ର ପୁରୁଧୁଲ ଓ ଶ୍ରୀ ରତ୍ନାକର ବାରିକ ଯୋଗଦାନ କରିଥିଲେ । ଶ୍ରୀ ଚନ୍ଦ୍ରମୋହନ ମହାନ୍ତ, ନୋଡାଲ ଅଫିସର (ଜନଗଣନା)ମୟୂରଭଞ୍ଜ ଜିଲ୍ଲା, କାର୍ଯ୍ୟକ୍ରମର ମୋବାଇଲ ଆପ୍ ଜରିଆରେ କିପରି ତଥ୍ୟ ସଂଗ୍ରହ କରାଯିବ, ସେ ସମ୍ପର୍କିତ ପ୍ରତ୍ୟକ୍ଷ ପ୍ରଦର୍ଶନ ପୂର୍ବକ ଗଣନାକାରୀମାନଙ୍କୁ ପ୍ରଶିକ୍ଷଣ ଅଭ୍ୟାସ କରାଇଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
