ସମ୍ ହସ୍ପିଟାଲ୍‌ରେ ‘ସାଲାଇଭାରି ଗ୍ଲାଣ୍ଡ ଟ୍ୟୁମର’ ସମ୍ପର୍କିତ ସିଏମ୍‌ଇ ଅନୁଷ୍ଠିତ

ଭୁବନେଶ୍ୱର, ୨୨/୦୮: ଇନ୍‌ଷ୍ଟିଚ୍ୟୁଟ୍ ଅପ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଶନିବାର ‘ଡାଏଗ୍ନୋଷ୍ଟିକ୍ ଆପ୍ରୋଚ୍ ଟୁ ସାଲାଇଭାରି ଗ୍ଲାଣ୍ଡ ଟ୍ୟୁମର’ ଶୀର୍ଷକ କଂଟିନୁଇଙ୍ଗ ମେଡିକାଲ୍ ଏଜୁକେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ସିଏମ୍‌ଇରେ ପ୍ରାୟ ୨୦୦ ଜଣ ଭାଗ ନେଇଥିଲେ ।
ହସ୍ପିଟାଲ୍‌ର ପାଥୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲ୍‌ର ହେଡ୍ ଆଣ୍ଡ ନେକ୍ ପାଥୋଲଜିଷ୍ଟସ୍ ଡାକ୍ତର ଆଶାବରୀ ପାଟିଲ୍‌, ପୁଡୁଚେରୀ ସ୍ଥିତ ଜିପ୍‌ମରର ଆଡିସ୍‌ନାଲ୍ ପ୍ରଫେସର ଡାକ୍ତର ଦେବାଶିଷ ଗୋଚ୍ଛାୟତ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅଙ୍କୋ ସର୍ଜନ ଡାକ୍ତର ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ଏ ପ୍ରସଙ୍ଗରେ ତଥ୍ୟ ଉପସ୍ଥାପନା କରିଥିଲେ ।
ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ ପାଥୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଦେବାହୁତି ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
ଏହି ସିଏମ୍‌ଇ ପରିପ୍ରେକ୍ଷୀରେ ଏକ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ସାତୋଟି ବିଭିନ୍ନ ମେଡିକାଲ୍ କଲେଜର ୧୪ ଜଣ ପ୍ରତିଯୋଗୀ ଏହି କୁଇଜ୍‌ରେ ଅଂଶ ଗ୍ରହଣ କରିଥିଲେ । ଡାକ୍ତର ପ୍ରିତିନନ୍ଦା ମିଶ୍ର କୁଇଜ୍ ମାଷ୍ଟର୍ ଭାବେ ପ୍ରତିଯୋଗିତା ପରିଚାଳନା କରିଥିଲେ ।
ଡାକ୍ତର ନିବେଦିତା ସାହୁ ସିଏମ୍‌ଇର ଅର୍ଗାନାଇଜିଂ ସେକ୍ରେଟାରୀ ଭାବେ ଥିବା ବେଳେ କୋ-ଅର୍ଗାନାଇଜିଂ ସେକ୍ରେଟାରୀ ଡାକ୍ତର ପ୍ରିୟଦର୍ଶିନୀ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.