ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ବେନାମୀ ସମ୍ପତ୍ତି ମାମଲାରେ ଆଉ ଯିବାକୁ ହେବନି ଜେଲ

ନୂଆଦିଲ୍ଲୀ ୨୩।୮: ବେନାମୀ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ମଙ୍ଗଳବାର ଏକ ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ ବେନାମୀ ସମ୍ପତ୍ତି ନେଣଦେଣ ନିଷେଧ ଅଧିନିୟମ ୧୯୮୮ର ଧାରା ୩(୨)କୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଏଣୁ ବେନାମୀ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଯୋଗୁ ୩ ବର୍ଷର ଜେଲଦଣ୍ଡ ବ୍ୟବସ୍ଥା ମଧ୍ୟ ସମାପ୍ତ ହୋଇଯାଇଛି। ପୂର୍ବରୁ ବେନାମୀ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ କୋର୍ଟ ୩ ବର୍ଷ ଜେଲଦଣ୍ଡାଦେଶ କରୁଥିଲେ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏମିତିରେ ୨୦୧୬ର ସଂଶୋଧିତ ଅଧିନିୟମ ଧାରା ୩(୨) ମଧ୍ୟ ଅସାମ୍ବିଧାନିକ। କାରଣ ୨୦୧୬ରେ ସଂଶୋଧିତ ବେନାମୀ ଅଧିନିୟମକୁ ପଛୁଆ ଭାବେ ଲାଗୁ କରାଯାଇପାରିବନି ବୋଲି କୋର୍ଟ କହିଛନ୍ତି। ବେନାମୀ ସମ୍ପତ୍ତି ସେହି ସମ୍ପତ୍ତି ଯାହା ଲାଗି ମୂଲ୍ୟ ଆଉ କେହି ପୈଠ କରିଥାଏ ଓ ସମ୍ପତ୍ତି ଆଉ କାହା ନାମରେ ହୋଇଥାଏ। ଏପରି ସମ୍ପତ୍ତି ପତ୍ନୀ, ସନ୍ତାନ ଅଥବା ଅନ୍ୟ କୌଣସି ସମ୍ପର୍କୀୟଙ୍କ ନାମରେ ମଧ୍ୟ କ୍ରୟ ହୋଇଥାଏ। ଯାହାଙ୍କ ନାମରେ ଏପରି ସମ୍ପତ୍ତି କ୍ରୟ ହୋଇଥାଏ ତାକୁ ବେନାମୀ କୁହାଯାଏ।

ସମ୍ପତ୍ତି ଯାହାଙ୍କ ନାମରେ ନିଆ ଯାଇଥାଏ ସେ କେବଳ ନାମକୁ ମାତ୍ର ସମ୍ପତ୍ତିର ମାଲିକ ହୋଇଥାନ୍ତି। ତେବେ ସମ୍ପତ୍ତି ଉପରେ ସେହି ବ୍ୟକ୍ତିଙ୍କର ହକ ଥାଏ ଯିଏ ଏଥି ଲାଗି ମୂଲ୍ୟ ପୈଠ କରିଥାନ୍ତି। ପ୍ରାୟ ଲୋକେ କଳା ଧନ ଲୁଚାଇବାକୁ ଏପରି କରିଥାନ୍ତି। ଗତ କିଛିବର୍ଷ ହେଲା କେନ୍ଦ୍ର ସରକାର କଳାଧନ ନେଣଦେଣ ସମାପ୍ତ କରିବା ଲାଗି ଅନେକ ପଦକ୍ଷେପ ନେଇଛନ୍ତି। ଏଥିରେ ବେନାମୀ ସମ୍ପତ୍ତି ମଧ୍ୟ ଚର୍ଚ୍ଚାରେ ରହିଛି। କେବଳ ଏତିକି ନୁହେଁ ଏପରି ମୋକଦ୍ଦମା ସଂଖ୍ୟା ହ୍ରାସ ଲାଗି ମଧ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.