ପୃଥିବୀଠାରୁ ବଡ଼ ୨ ସୂର୍ଯ୍ୟ ଥିବା ଗ୍ରହ ଠାବ

ନୂଆଦିଲ୍ଲୀ, ୨୫ା୮: ପୃଥିବୀ ଭଳି ଜୀବଜଗତ ଉପଯୋଗୀ ଗ୍ରହ ସନ୍ଧାନରେ ବୈଜ୍ଞାନିକଙ୍କ ଉଦ୍ୟମ ଜାରିଥିବା ବେଳେ ଗବେଷକମାନେ ଏକ ସୁପରଆର୍ଥ ଠାବ କରିଛନ୍ତି। ଏହି ଗ୍ରହର ନାମ ଟିଓଆଇ-୧୪୫୨ ରଖାଯାଇଛି। ଆଶ୍ଚର୍ଯ୍ୟକର କଥା ହେଉଛି ପୃଥିବୀଠାରୁ ପ୍ରାୟ ୧୦୦ ଆଲୋକବର୍ଷ ଦୂରରେ ଥିବା ଏହି ଗ୍ରହ ୨ଟି ସୂର୍ଯ୍ୟ ବା ତାରକା ଚାରିପଟେ ଘୁରୁଛି। ଏହା ଚାରିପାଖେ ପାଣିଥିବା ବେଳେ ଏଥିରେ ପୃଥିବୀଠାରୁ ଅଧିକ ଗଭୀର ସମୁଦ୍ର ରହିଥିବା ଜଣାପଡ଼ିଛି। ଆମ ଗ୍ରହଠାରୁ ଟିଓଆଇ-୧୪୫୨ ପ୍ରାୟ ୭୦ପ୍ରତିଶତ ବଡ଼ ବୋଲି ମୋନେଟ୍ରାଲ ୟୁନିଭର୍ସିଟି ଦ୍ୱାରା ହୋଇଥିବା ରିସର୍ଚ୍ଚରୁ ଗବେଷକମାନେ ଜାଣିବାକୁ ପାଇଛନ୍ତି। ଜେମ୍ସ ଓ୍ବେବ୍‌ ଟେଲିସ୍କୋପ୍‌ ଦ୍ୱାରା ଏହା ଉପରେ ଅଧିକ ଅଧ୍ୟୟନ କରାଯିବ ବୋଲି କୁହାଯାଇଛି। ଦି ଆଷ୍ଟ୍ରୋନୋମିକାଲ ଜର୍ନାଲରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ସୁପରଆର୍ଥ ବା ମହାପୃଥିବୀରେ ମହାସାଗର ଥିବା ସଙ୍କେତ ମିଳିଥିବାରୁ ଏହାର ପରିବେଶ, ଜଳବାୟୁ ସହ ଜୀବନ ତିଷ୍ଠିବା ଉପଯୋଗୀ ବାୟୁମଣ୍ଡଳ ଆଦି ଅଛି କି ନା ତାହା ଉପରେ ଅଧିକ ଅନୁଧ୍ୟାନ କରାଯିବ।

Leave A Reply

Your email address will not be published.