xmas

ବାହା ହେଲେନି ବିଜେଡି ବିଧାୟକ

ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ ବିଧିବଦ୍ଧ ଆବେଦନ କରିବାର ସାଢ଼େ ୩ ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ବିବାହ କଲେନି । ଜଗତସିଂହପୁର ସହରର ସୋମାଲିକା ଦାଶଙ୍କ ସହ ଦୀର୍ଘଦିନର ପ୍ରେମ ସମ୍ପର୍କ ଓ ବାଦବିବାଦ ପରେ ତାଙ୍କୁ କୋର୍ଟ ମ୍ୟାରେଜ୍ କରିବା ନିମନ୍ତେ ବିଧାୟକ ଶ୍ରୀ ଦାସ ମେ’ ୧୬ତାରିଖରେ ଲିଖିତ ଭାବେ ଆବେଦନ ସତ୍ତ୍ୱେ କାହିଁକି ବିବାହକୁ ଗଡ଼ାଇ ଚାଲିଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଥିବାବେଳେ ନୀତି-ନୈତିକତାର ପାଠ ପଢ଼ାଉଥିବା ଶାସକ ବିଜେଡି କିପରି ନିଜର ବିଧାୟକଙ୍କ ଏଭଳି ଆଚରଣ ଉପରେ ଅଙ୍କୁଶ ଲଗାଉନାହିଁ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ବିଧାୟକ ଶ୍ରୀ ଦାସ ନିଜର ଦୀର୍ଘଦିନର ବାନ୍ଧବୀ ସୋମାଲିକାଙ୍କୁ ସ୍ୱତନ୍ତ୍ର ବିବାହ ଆଇନ-୧୯୫୪ର ପ୍ରାବଧାନ ଆଧାରରେ କୋର୍ଟ ମ୍ୟାରେଜ୍ କରିବା ନିମନ୍ତେ ଜଗତସିଂହପୁର ମ୍ୟାରେଜ୍ ଅଫିସରଙ୍କ ନିକଟରେ ବିଧିବଦ୍ଧ ଆବେଦନ କରିଥିଲେ । ୨୦୨୨ ମେ’ ୧୭ତାରିଖରେ ମ୍ୟାରେଜ ଅଫିସର ନୋଟିସ ସଂଖ୍ୟା-୧୪/୨୦୨୨ ଜାରି କରି ଏହି ବିବାହକୁ ନେଇ ମାସକ ମଧ୍ୟରେ ଆପତ୍ତି-ଅଭିଯୋଗ ଆହ୍ୱାନ କରିଥିଲେ । ମାତ୍ର ଧାର୍ଯ୍ୟ ୩୦ଦିନ ମଧ୍ୟରେ ବିବାହ ଆବେଦନକୁ ନେଇ ଆପତ୍ତି ନହେବା ପରେ ବିଧାୟକ ଶ୍ରୀ ଦାସ ଓ ତାଙ୍କ ପ୍ରେମିକା ୩ମାସ ମଧ୍ୟରେ ବିବାହ କରିବାର ଆଇନତଃ ପ୍ରାବଧାନ ରହିଥିଲା । କିନ୍ତୁ ବିଧାୟକ ଶ୍ରୀ ଦାସ ଏହି ଧାର୍ଯ୍ୟ ସମୟସୀମା ଅତିକ୍ରମ କରିଥିଲେ ମଧ୍ୟ ନିଜର ବାନ୍ଧବୀଙ୍କୁ ବିବାହ କରିନାହାନ୍ତି । ବିବାହ ପାଇଁ ଆବେଦନ ସତ୍ତ୍ୱେ ବିଜେଡି ବିଧାୟକ ଶ୍ରୀ ଦାସ କାହିଁକି ବିବାହ କଲେନି ସେ ନେଇ କୌଣସି ସୂଚନା ମିଳିପାରିନି ।
ଅନ୍ୟପକ୍ଷରେ ବିଧାୟକ ଶ୍ରୀ ଦାସଙ୍କୁ ବିବାହ କରୁନଥିବାରୁ ତାଙ୍କ ବିରୁଦ୍ଧରେ ପ୍ରେମିକା ସୋମାଲିକା ଜଗତସିଂହପୁର ଥାନାରେ ମାମଲା ରୁଜୁ କରିଥିଲେ ମଧ୍ୟ ଶାସକ ଦଳ ପ୍ରଭାବରେ ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ଭବପର ହୋଇପାରୁନି ।

Leave A Reply

Your email address will not be published.