୧୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିବା ସମସ୍ତ କର୍ମଚାରୀଙ୍କୁ ରେଗୁଲାର କର: ହାଇକୋର୍ଟ

ଭୁବନେଶ୍ୱର : ଯେଉଁ କର୍ମଚାରୀମାନେ କୌଣସି ପଦବୀରେ ୧୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଛନ୍ତି ସେମାନଙ୍କୁ ରାଜ୍ୟ ସରକାର ନିୟମିତ କରିବା ଉଚିତ । ରାଜ୍ୟରେ ଏପରି ଯେତେ କର୍ମଚାରୀ ଅଛନ୍ତି, ସମସ୍ତଙ୍କ ପାଇଁ ଏକକାଳୀନ ପଦକ୍ଷେବ ନେବା ଆବଶ୍ୟକ । ରାଜ୍ୟ ହାଇକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସୂଚନା ମୁତାବକ, ୧୯୯୪ରେ ଏମପିଏଲ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ମହିଳାଙ୍କୁ ସହକାରୀ ଶିକ୍ଷକ ଭାବେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପୌର ନିଗମ ଦ୍ୱାରା ନିଯୁକ୍ତି ମିଳିଥିଲା ।

ସେ ୨ ହଜାର ଟଙ୍କା ଦରମାରେ କାର୍ଯ୍ୟ କରି ଆସୁଥିଲେ । ମହିଳା ଜଣଙ୍କ ପାଖାପାଖି ୨୮ ବର୍ଷ ଧରି ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ତାଙ୍କର ନିୟମିତ ନେଇ କୌଣସି ପଦକ୍ଷେପ ନିଆଯାଇନଥିଲା । ତେବେ ଉକ୍ତ ମହିଳାଙ୍କ ପରି ଏକାଧିକ ମାମଲା ରାଜ୍ୟ ହାଇକୋର୍ଟରେ ଦାୟର ହୋଇଥିଲା । ଏହି ସମସ୍ତ ମାମଲାର ବିଚାର କରି ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରିଣୀଙ୍କୁ ୨୦୦୪ ଫେବୃଆରୀ ୨୮ରୁ ନିୟମିତ କରାଯିବା ସହ ଉକ୍ତ ତାରିଖଠାରୁ ତାଙ୍କୁ ସମସ୍ତ ଅର୍ଥ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ଅନେକ ଶିକ୍ଷକଙ୍କୁ ନିୟମିତ ଘୋଷଣା କରିଥିବା ବେଳେ ଆବେଦନକାରିଣୀଙ୍କୁ ଠିକା ନିଯୁକ୍ତିରେ ରଖିଥିଲେ । ଏନେଇ ସେ ଗଣଶିକ୍ଷା ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଜର ଅଭିଯୋଗ ଦାଖଲ କରିଥିଲେ । ମାତ୍ର ସବୁଆଡ଼ୁ ନିରାଶ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave A Reply

Your email address will not be published.