ଦେଢ ଲକ୍ଷରେ ମିଳିବ ବହୁରୂପୀ ଏଣ୍ଡୁଅ; ଡିଲ୍‌ କରି ଧରା ପଡ଼ିଲେ ଜେଜେ ଓ ନାତି

ଭୁବନେଶ୍ୱର: ଦେଢ଼ ଲକ୍ଷରେ ବହୁରୂପୀ ଏଣ୍ଡୁଅ ବିକ୍ରି ପାଇଁ ବନ ବିଭାଗ ସହ ଫୋନ୍‌ରେ ଫାଇନାଲ ହେଲା ଡିଲ୍ । ମାତ୍ର ଏଣ୍ଡୁଅ ବିକ୍ରି କରିବାକୁ ଆସି ବନ ବିଭାଗ ହାବୁଡ଼ରେ ପଡ଼ିଗଲେ ଜେଜେ ଓ ନାତି । ରାଜଧାନୀ ଭୁବନେଶ୍ୱରରେ ଏହି ରାକେଟ୍ ଠାବ ହୋଇଥିବା ବେଳେ ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ଜଗତସିଂହପୁରର ରଶ୍ମି ରଞ୍ଜନ ଦାସ ଓ କ୍ଷୀରୋଦ ମହାନ୍ତି ।

ଡିଲ୍ ଅନୁଯାୟୀ, ଆଜି ମଧ୍ୟାହ୍ନ ସମୟରେ ବହୁରୂପୀ ଏଣ୍ଡୁଅ ବିକ୍ରି କରିବାକୁ ଭୁବନେଶ୍ୱର ବାଣୀବିହାର ନିକଟ ମୁଖାର୍ଜୀ ପାର୍କକୁ ଯାଇଥିଲେ ଜେଜେ ଓ ନାତି। ସେଠାରେ ପୂର୍ବରୁ ପ୍ରସ୍ତୁତ ରହିଥିଲା ବନବିଭାଗ ଟିମ୍‌। ଗ୍ରାହକ ସାଜି ଏଣ୍ଡୁଅ କିଣିବାକୁ ସେମାନଙ୍କ ସହ କଥା ହେବା ବେଳେ ଉଭୟଙ୍କୁ ମାଡ଼ି ବସିଲେ ବନ କର୍ମଚାରୀ। ଏହି ଚଢ଼ାଉରେ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ବନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା।

ସୂଚନା ଅନୁଯାୟୀ, ଉଭୟ ରଶ୍ମି ରଞ୍ଜନ ଓ କ୍ଷୀରୋଦ ଜଟଣୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୫୦ ହଜାର ଟଙ୍କାରେ ଏକ ବହୁରୂପୀ ଏଣ୍ଡୁଅ କିଣିଥିଲେ। ତାହାକୁ ଗୋଟିଏ ଦିନ ରଖିବା ପରେ ଦେଢ ଲକ୍ଷରେ ବିକ୍ରି ପାଇଁ ଯୋଜନା କରିଥିଲେ। ବନ ବିଭାଗ ଜାଣି ପାରି ଟିମ୍‌ ଗଠନ କରି ସେମାନଙ୍କ ସହ ଡିଲ୍‌ କରିଥିଲେ। ଏହାପରେ ଉକ୍ତ ଏଣ୍ଡୁଅକୁ ଆଣିବାକୁ ମୁଖାର୍ଜୀ ପାର୍କ ନିକଟକୁ ଯାଇ ୨ ଅଭିଯୁକ୍ତଙ୍କୁ ଧରିଛି ବନ ବିଭାଗ ଟିମ୍‌।

ଏନେଇ ବନ ଅଧିକାରୀ ମାନସ ରଞ୍ଜନ ମହାନ୍ତି କହିଛନ୍ତି, ବହୁରୂପୀ ଏଣ୍ଡୁଅ ବନ୍ୟଜନ୍ତୁ ହୋଇଥିବା ବେଳେ ଏହାକୁ ବିକ୍ରି କରିବା ଦଣ୍ଡନୀୟ ଅପରାଧ । ଏହି ରାକେଟ କେବେଠୁ ଚାଲିଛି, ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଚାଲିଛି। ଏଥିସହ ଏହାର କିଛି ଔଷଧୀୟ ଗୁଣ ଅଛି କି କ’ଣ ତାହାର ମଧ୍ୟ ତଦନ୍ତ ଚାଲିଛି।

Leave A Reply

Your email address will not be published.