୨୦୨୧ରେ ୧୨,୦୫୫ ବ୍ୟବସାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରଭାବ ଯୋଗୁଁ ୨୦୨୧ରେ ୧୨,୦୫୫ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ( ଏନ୍‌ସିଆର୍‌ବି) ଜାରି କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ୨୦୨୦‌ ତୁଳନାରେ ୨୦୨୧ରେ ଅଧିକ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ୨୦୨୦ରେ ୧୧,୭୧୬ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଥିଲେ।

ଏନ୍‌ସିଆର୍‌ବି ତଥ୍ୟ ଅନୁସାରେ ୨୦୧୭ରେ ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ହାର ୯,୯% ଥିଲା। ୨୦୨୧ରେ ତାହା ୧୨ ପ୍ରତିଶତକୁ ବୃଦ୍ଧି ପାଇଛି। ଆତ୍ମହତ୍ୟା କରୁଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଦିନ ମଜୁରିଆ। ଦେଶରେ ଚାଷୀଙ୍କଠାରୁ ବ୍ୟବସାୟୀଙ୍କ ଆତ୍ମହତ୍ୟା ସଂଖ୍ୟା ଅଧିକ ହୋଇଛି। ବ୍ୟବସାୟୀଙ୍କ ଆତ୍ମହତ୍ୟା କର୍ଣ୍ଣାଟକରେ ସର୍ବାଧିକ ରହିଛି। ସେଠାରେ ଏହି ହାର ୧୪.୩ ପ୍ରତିଶତ ଥିବା ବେଳେ ମହାରାଷ୍ଟ୍ରରେ ତାହା ୧୩.୨ ପ୍ରତିଶତ, ମଧ୍ୟପ୍ରଦେଶରେ ୧୧.୩ ପ୍ରତିଣତ, ତାମିଲନାଡୁରେ ୯.୪ ପ୍ରତିଶତ ଓ ତେଲେଙ୍ଗାନାରେ ୭.୫% ରହିଛି। ୨୦୨୧ରେ ୪,୫୩୨ ଜଣ ଭେଣ୍ଡର, ୩,୬୩୩ ଜଣ ବେପାରି ଓ ଅନ୍ୟାନ୍ୟ ବାଣିଜ୍ୟରେ ଜଡ଼ିତ ଥିବା ୩,୮୯୦ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ୨୦୧୪ ତୁଳନାରେ ୨୦୨୧ରେ ଦିନ ମଜୁରିଆଙ୍କ ଆତ୍ମହତ୍ୟାରେ ପ୍ରାୟ ଦୁଇ ଗୁଣା ବୃଦ୍ଧି ହୋଇଛି। ବ୍ୟବସାୟୀମାନେ ଆତ୍ମହତ୍ୟା କରୁଥିବାର ଏକ ପ୍ରମୁଖ କାରଣ ହେଉଛି ବେପାର ଭଲ ନଚାଲିବାରୁ ଦେବାଳିଆ ହୋଇପଡ଼ିବା ଓ ଋଣ ବୋଝ।

Leave A Reply

Your email address will not be published.