ଅପରାଧରେ ଓଡ଼ିଶା ୧୨ ନମ୍ବର

ଭୁବନେଶ୍ବର : ରାଜ୍ୟରେ ଅପରାଧ ବଢ଼ୁଛି। ଜାତୀୟ ଅପରାଧ ନଥିସଂସ୍ଥା(ଏନ୍‌ସିଆର୍‌ବି) ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୦ ତୁଳନାରେ ରାଜ୍ୟରେ ୨୦୨୧ରେ ଅଧିକ ୨୧ହଜାର ୧୯୦ ମାମଲା ରୁଜୁ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବୃଦ୍ଧି ପାଇଥିବା ମାମଲା ମଧ୍ୟରେ କେବଳ ମହିଳା ବିରୋଧୀ ଅପରାଧ (୨୭.୬% ବଢ଼ିଛି) ରହିଛି। ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଚାର୍ଜସିଟ୍ ଦାଖଲ କରିବାରେ ବି ଓଡ଼ିଶା ପଛରେ ଅଛି। ୨୦୨୦ରେ ପ୍ରାୟ ୮୨ପ୍ରତିଶତ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ୨୦୨୧ରେ ଏହା ୮୦ ପ୍ରତିଶତକୁ ଖସି ଆସିଛି। ମାତ୍ର ଏସବୁ ସତ୍ତ୍ବେ ପଡ଼ୋଶୀ ରାଜ୍ୟଗୁଡ଼ିକର ତୁଳନାରେ ଓଡ଼ିଶାରେ ଅପରାଧ ନିୟନ୍ତ୍ରଣ ଭଲ ସ୍ଥିତିରେ ରହିଛି।

ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ, ୨୦୨୧‌ରେ ରାଜ୍ୟରେ ମୋଟ ୧ଲକ୍ଷ ୫୫ହଜାର ୪ଶହ ୨୦ଟି ମାମଲା ରୁଜୁ ହୋଇଛି। କିନ୍ତୁ ଏ କ୍ଷେତ୍ରରେ ତାମିଲନାଡ଼ୁ ତାଲିକାର ଶୀର୍ଷରେ (୭ଲକ୍ଷ ୫୬ହଜାର ୭୫୩ ମାମଲା) ଥିବା ବେଳେ ପଛକୁ ଗୁଜରାଟ, ଉତ୍ତରପ୍ରଦେଶ, କେରଳ ଭଳି ରାଜ୍ୟ ରହିଛନ୍ତି। ତେବେ ତାଲିକାରେ ଓଡ଼ିଶା ୧୨ ନମ୍ବର ସ୍ଥାନରେ ରହିଛି।

ସେହିଭଳି ଚାର୍ଜସିଟ୍ ଦାଖଲରେ ୨୦୨୦ ତୁଳନାରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ଉକ୍ତ ବର୍ଷ ମୋଟ ୭୫.୫ ପ୍ରତିଶତ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ୨୦୨୧ରେ ୪ପ୍ରତିଶତ ଅଭିବୃଦ୍ଧି ଘଟି ୭୯.୬ ପ୍ରତିଶତରେ ପହଞ୍ଚିଛି। ସେହିଭଳି ମହିଳା ବିରୋଧୀ ଅପରାଧରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି। ଓଡ଼ିଶାରେ ରୁଜୁ ହୋଇଥିବା ୩୧ହଜାର ୩୫୨ ମାମଲାରୁ ୧୪୫୬ଜଣ ମହିଳା ଦୁଷ୍କର୍ମ ଶିକାର ହୋଇଥିବା ବେଳେ ୧୨ଜଣ ପୀଡ଼ିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଏବଂ ୧୫୧ଜଣ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି। ସେହିଭଳି ୫ହଜାର ୧୭୫ମହିଳା ଅପହରଣର ଶିକାର ହୋଇଥିବା ବେଳେ ୨୧୫ଜଣ ମହିଳାଙ୍କୁ ଅପହରଣ କରି ବିବାହ କରିବାକୁ ବାଧ୍ୟ କରାଯାଇଛି।
ଅପରପକ୍ଷେ ଯୌତୁକ ଜନିତ ହତ୍ୟା ମାମଲା ମଧ୍ୟ କିଛି କମ୍ ନାହିଁ। ରାଜ୍ୟରେ ୨୯୩ଟି ଯୌତୁକଜନିତ ହତ୍ୟା ହୋଇଥିବା ବେଳେ ୪୬୫ଟି ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି। ୨୭ଜଣ ମହିଳାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତା ଯାଇଛି। ସ୍ବାମୀଙ୍କ ଦ୍ବାରା ନିର୍ଯାତନାର ଶିକାର ହେବା କ୍ଷେତ୍ରରେ ପଶ୍ଚିମବଙ୍ଗରେ ସର୍ବାଧିକ ୧୯ହଜାର ୫୫୨ଟି ମାମଲା ରୁଜୁ ହୋଇଥିବା ବେଳେ ଓଡ଼ିଶାରେ ୪ହଜାର ୮୮୯ଟି ମାମଲା ରୁଜୁ ହୋଇଛି।

ସେହିଭଳି ମଧ୍ୟପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ପ୍ରମୁଖ ରାଜ୍ୟରେ ହତ୍ୟା ମାମଲା ଉପରମୁହାଁ ଥିବା ବେଳେ ତୁଳନାରେ ଓଡ଼ିଶାରେ ୧୩୯୪ଟି ହତ୍ୟା ମାମଲା ରୁଜୁ ହୋଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୩୭୧୭ ହତ୍ୟା ହୋଇଛି। ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟ ତୁଳନାରେ ଓଡ଼ିଶାରେ ଅନୁସୂଚିତ ଜାତି/ଜନଜାତି ବିରୋଧୀ ଆକ୍ରୋଶ ଅପରାଧ ନିୟନ୍ତ୍ରଣାଧୀନ ରହିଛି। ରାଜ୍ୟରେ ଗୋଟେ ହେଲେ ବି ହାଜତ ମୃତ୍ୟୁ ହୋଇନାହିଁ। ଓଡ଼ିଶା ତୁଳନାରେ ତାମିଲନାଡ଼ୁ, ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଅଧିକ ନିଶା ସାମଗ୍ରୀ(ଏନ୍‌ଡିଏପିଏସ୍) ଜବତ ହୋଇଥିବା ବେଳେ ବରିଷ୍ଠ ନାଗରିକ ବିରୋଧୀ ଅପରାଧ ନିୟନ୍ତ୍ରଣ‌ରେ ରହିଛି। ସେହିପରି ‘ବାଳ ଅଶ୍ଳୀଳତା’ ଅପରାଧ କ୍ଷେତ୍ରରେ ଓଡ଼ିଶାାରେ ୧୮ଟି ମାମଲା ରୁଜୁ ହୋଇଥିବା ବେଳେ ବିହାରରେ ସର୍ବାଧିକ ୧୩୫ଟି ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.