ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା !

କଟକ: କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ତାଙ୍କ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସିଡିଏର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ତାଙ୍କ ମୃତଦେହକୁ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ନିଆଯିବ ବୋଲି ଜଣାପଡ଼ିଛି।

ବିଚାରପତି ସୁବାସ କୁମାର ବିହାରୀ କାହିଁକି ଆତ୍ମହତ୍ୟା କଲେ, ତା’ର କାରଣ ସ୍ପଷ୍ଟ ହୋଇପାରିନି। ତେବେ ଗତ ଦୁଇ ଦିନ ସେ ଛୁଟିରେ ଥିଲେ। ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିଲା। ତେବେ ଆଜି ସେ ପୁଣି ଛୁଟି ନେଇଥିଲେ।

ବିଚାରପତି ସୁବାସ କୁମାର ବିହାରୀଙ୍କ ଷ୍ଟେନୋ କହିଛନ୍ତି ଯେ ସେ ଆଜି କୋର୍ଟ ଆସିବାର ଥିଲା। କିନ୍ତୁ ସକାଳ ପ୍ରାୟ ୧୦ଟା ବେଳେ ଫୋନ୍ କରି ଛୁଟିରେ ରହିବେ ବୋଲି କହିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ବିଚାରପତି ସୁବାସ କୁମାର ବିହାରୀ ଫ୍ୟାନ୍‌ରେ ରଶି ଲଗାଇ ଝୁଲିପଡ଼ିଥିଲେ। ତାଙ୍କ ବେକରେ ଦାଗ ଅଛି। ତେବେ ପୁଲିସ୍ ବା ପରିବାର ଲୋକଙ୍କ ପକ୍ଷରୁ ଏନେଇ କିଛି କୁହାଯାଇ ନାହିଁ। ଅନ୍ୟପକ୍ଷରେ ଏହି ଘଟଣା ଘଟିବା ବେଳେ ତାଙ୍କ ପତ୍ନୀ ଓ ଦୁଇ ଝିଅ ଘରେ ନଥିଲେ। ସେମାନେ ବଜାର ଯାଇଥିଲେ।

ବିଚାରପତି ସୁବାସ କୁମାର ବିହାରୀଙ୍କ ଘର ଯାଜପୁର ଜିଲ୍ଲାର ଭୁବନେଶ୍ୱପୁରରେ। ସେ କେବଳ ଜଣେ ଭଲ ବିଚାରପତି ନଥିଲେ, ଜଣେ ଭଲ ମଣିଷ ଥିଲେ।

Leave A Reply

Your email address will not be published.