ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ଏଣିକି ତୃତୀୟ ଭାଷା ବିଷୟ ମନଇଚ୍ଛା କରିପାରିବେ ନାହିଁ ପରିବର୍ତ୍ତନ

ଭୁବନେଶ୍ୱର: ରାଜ୍ୟର ସମସ୍ତ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ତୃତୀୟ ଭାଷା ବିଷୟ ପରିବର୍ତ୍ତନ ନେଇ ଏକ ବଡ଼ ଖବର ଆସିଛି। ଏଣିକି ମାଟ୍ରିକ ପିଲାମାନେ ମନଇଚ୍ଛା ସେମାନଙ୍କର ବିଷୟ ପରିବର୍ତ୍ତନ କରିପାରିବେ ନାହିଁ । ରେଜିଷ୍ଟ୍ରେସନ ସମୟରେ ଛାତ୍ରଛାତ୍ରୀ ହିନ୍ଦି କିମ୍ବା ସଂସ୍କୃତ ଯାହା ଇଚ୍ଛାଧୀନ ବିଷୟ ରଖିଥିବେ ସେହି ବିଷୟରେ ହିଁ ପରୀକ୍ଷା ଦେବେ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ବାବଦରେ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି ।

ସାଧାରଣ ଭାବେ ମାଟ୍ରିକ ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ତୃତୀୟ ଭାଷା ମନଇଚ୍ଛା ବଦଳାଇଥାନ୍ତି । ଏହାଫଳରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ପରୀକ୍ଷା ପ୍ରଶ୍ନପତ୍ର ନିଅଣ୍ଟ ପଡ଼ିବା ସହିତ ପରୀକ୍ଷା ପରେ ରୋଲ ନମ୍ବର ଅନୁସାରେ ମୂଲ୍ୟାଙ୍କନ କରିବା ଆଦି କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଥାଏ । ଚଳିତ ବର୍ଷ ପରୀକ୍ଷାର୍ଥୀମାନେ ମନଇଚ୍ଛା ତୃତୀୟ ଭାଷା ପରିବର୍ତ୍ତନ କରିଥିଲେ ।

କିଛି ପରୀକ୍ଷାର୍ଥୀ ୪ଟି ଫର୍ମେଟିଭ୍ ଆସେସମେଣ୍ଟ ଓ ସମେଟିଭ ଆସେସମେଣ୍ଟ-୧ରେ ହିନ୍ଦି ପରୀକ୍ଷା ଦେଇଥିବା ବେଳେ ସମେଟିଭ୍ ଆସେସମେଣ୍ଟ-୨ରେ ସଂସ୍କୃତ ପରୀକ୍ଷା ଦେଇଥିଲେ । ଅନ୍ୟ କିଛି ପରୀକ୍ଷାର୍ଥୀ ସଂସ୍କୃତ ଭାଷା ଇଚ୍ଛାଧିନ ବିଷୟ ରଖିଥିବା ବେଳେ ପରୀକ୍ଷା ସମୟରେ ହିନ୍ଦି ପରୀକ୍ଷା ଦେଇଥିଲେ । ଏହାଫଳରେ ମୂଲ୍ୟାୟନ ସମୟରେ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା । ତେଣୁ ତୃତୀୟ ଭାଷା ବିଷୟ ପରୀକ୍ଷାକୁ ନେଇ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.