ବର୍ଷା ଜଳ ସଂରକ୍ଷଣ ପାଇଁ ନୂଆ ଯୋଜନା ‘ଛତା’

ଭୁବନେଶ୍ୱର: କମ୍ୟୁନିଟି ହାର୍ଣ୍ଣେସିଙ୍ଗ ଆଣ୍ଡ ହାରଭେଷ୍ଟିଙ୍ଗ ରେନ ୱାଟର ଆର୍ଟଫିସିଆଲି ଫର୍ମ ଟେରାସ ଟୁ ଆକ୍ୱିଫାୟାର’ (ଛତା) ନାମରେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଗତକାଲି ଏନେଇ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ବିଧିବଦ୍ଧ ସଂକଳ୍ପ ଜାରି ହୋଇଛି । ତେବେ ଗତ ୫ବର୍ଷ ଧରି ସରକାରୀ କୋଠାରେ ବର୍ଷା ଜଳ ସଂରକ୍ଷଣ ଯୋଜନା କରିବାରେ ବିଫଳ ଥିବା ଜଳସମ୍ପଦ ବିଭାଗ ଏବେ ‘ଛତା’ ନାଁରେ ୫ବର୍ଷିଆ ଯୋଜନା ଆଣି ସଫଳ ହେଉଛି ନା କେବଳ ଅର୍ଥ ଶ୍ରାଦ୍ଧ କରୁଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ସଂକଳ୍ପ ଅନୁସାରେ ବର୍ଷା ଜଳ ସଂରକ୍ଷଣ ପାଇଁ ‘ଛତା’ ଯୋଜନା ୨୦୨୨-୨୩ରୁ ୨୦୨୬-୨୭ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ୨୭ଟି ସହର ଓ ୫୨ଟି ଜଳାଭାବ ରହୁଥିବା ବ୍ଲକର ମୋଟ ୨୯୫୦୦ ଘରୋଇ କୋଠା ଓ ୧୯୨୫ଟି ସରକାରୀ କୋଠାରେ ଏହି ବର୍ଷା ଜଳ ସଂରକ୍ଷଣ କରାଯିବ । ଏଥିପାଇଁ ୨୭୦କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଛି । ଏହି ଛତା ଯୋଜନାରେ ମୋଟ ୩୭୩.୫୨କୋଟି ଲିଟର ବର୍ଷା ଜଳ ସଂରକ୍ଷଣ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରତ୍ୟେକ କୋଠାରେ ପ୍ରାୟ ୪.୩୧ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହା କରାଯିବ ବୋଲି ଜଣାପଡ଼ିଛି । ଏହି ରୁଫଟପ୍ ବର୍ଷା ଜଳ ସଂରକ୍ଷଣ ପାଇଁ ବିଭାଗ ପକ୍ଷରୁ ‘ଛତା’ ଯୋଜନା ଚଳିତ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ ।

Leave A Reply

Your email address will not be published.