ଟ୍ରେନ ବିଳମ୍ବ ହେଲେ ମାଗଣା ମିଳିବ ଜଳଖିଆ ଓ ଭୋଜନ, ଜାଣନ୍ତୁ ଆଇଆରସିଟିସିଙ୍କ ଆଉ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ ୬।୯: ଦୈନିକ ଲକ୍ଷଲକ୍ଷ ଲୋକେ ଟ୍ରେନରେ ଯାତ୍ରା କରିଥାନ୍ତି। ସେହିପରି ଲୋକଙ୍କ ଯାତ୍ରା ସୁବିଧାଜନକ କରିବା ପାଇଁ ରେଳବାଇ ମଧ୍ୟ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାତ୍ରୀଙ୍କ ଲାଗି ଭାରତୀୟ ରେଳ ଏପରି ଅନେକ ସୁବିଧା ଓ ସୁଯୋଗ ଉପଲବ୍ଧ କରନ୍ତି ଯାହା ସମ୍ପର୍କରେ ଅନେକ ହୁଏତ ଜାଣି ବି ନଥାନ୍ତି। ତେବେ ଭାରତୀୟ ରେଳ ତାଙ୍କ ଯାତ୍ରୀଙ୍କୁ ଦେଉଥିବା ସୁବିଧା ସମ୍ପର୍କରେ ଆସନ୍ତୁ ଜାଣିବା।

ଟ୍ରେନକୁ ନେଇ ଲୋକଙ୍କ ପ୍ରାୟତଃ ଅଭିଯୋଗ ଥାଏ ଯେ ଟ୍ରେନ ବିଳମ୍ବ ହେଉଛି। ଯଦି ଟ୍ରେନ ବିଳମ୍ବିତ ହୁଏ ତେବେ ଯାତ୍ରୀଙ୍କୁ ନାନା ସମସ୍ୟା ଭୋଗିବାକୁ ପଡେ। ଖାଇବା ପିଇବାରୁ ଆରମ୍ଭ କରି ଯାତ୍ରୀ ଯେଉଁ ସବୁ ସମସ୍ୟା ଭୋଗନ୍ତି ସେଥିରେ ଇଣ୍ଡିଆନ ରେଲୱେ କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ( ଆଇଆରସିଟିସି)ଙ୍କ ବିଶେଷ ସୁବିଧା ରହିଛି। ଏପରିସ୍ଥଳେ ଆଇଆରସିଟିସିଙ୍କ ପକ୍ଷରୁ ଯାତ୍ରୀଙ୍କୁ ଖାଦ୍ୟ ଓ ଗୋଟିଏ କୋଲ୍ଡ ଡ୍ରିଙ୍କ ଅଫର କରାଯାଇଥାଏ। ଏହି ଖାଦ୍ୟ ଆଇଆରସିଟିସି ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଦେଇଥାନ୍ତି।

ଭାରତୀୟ ରେଳଙ୍କ ନିୟମ ଅନୁସାରେ ଟ୍ରେନ ବିଳମ୍ବିତ ହେଲେ ଆଇଆରସିଟିସି କ୍ୟାଟରିଂ ପଲିସି ଅନୁସାରେ ଯାତ୍ରୀଙ୍କୁ ଜଳଖିଆ ଅଥବା ହାଲୁକା ଭୋଜନ ଦିଆଯାଏ। ଯଦି ଆପଣଙ୍କୁ ଏ ସମ୍ପର୍କରେ ଜଣା ତେବେ ଯାତ୍ରୀ ଭାବେ ଆପଣଙ୍କ ଅଧିକାର ସାବ୍ୟସ୍ତ କରିପାରିବେ। ଆଇଆରସିଟିସିଙ୍କ ନିୟମ ଅନୁସାରେ ଟ୍ରେନ ଯଦି ୨ ଘଣ୍ଟାରୁ ଅଧିକ ବିଳମ୍ବିତ ଚାଲୁଥାଏ ତେବେ ଯାତ୍ରୀଙ୍କୁ ନିଶୁଳ୍କ ମିଲ ଦିଆଯାଇଥାଏ।

ଆଇଆରସିଟିସିଙ୍କ ପକ୍ଷରୁ ଲଞ୍ଚ ଅଥବା ଡିନରରେ ଯାତ୍ରୀଙ୍କୁ ଭାତ, ଡାଲି ଓ ଆଚାର ପ୍ୟାକେଟ୍ ଦିଆଯାଇଥାଏ। ନଚେତ ୭ଟି ପୁରୀ, ମିକ୍ସଭେଜ, ଆଳୁ ଭଜା, ଆଚାରପ୍ୟାକେଟ, ଲୁଣ ଓ ଗୋଲମରିଚ ଗୁଣ୍ଡ ଗୋଟିଏ ଲେଖାଏଁ ପ୍ୟାକେଟ୍ ମିଳିଥାଏ। ସେହିପରି ଯାତ୍ରୀଙ୍କୁ ଜଳଖିଆରେ ଚା ଅଥବା କଫି ସହ ୨ଟି ବିସ୍କୁଟ ଦିଆଯାଏ। ଅପରାହ୍ନ ଜଳଖିଆରେ ଚା ଅଥବା କଫି ସହ ୪ଟି ବ୍ରେଡ୍ ସ୍ଲାଇସ୍‌ ଦିଆଯାଏ। ଏହି ସୁବିଧା କେବଳ ଏକ୍ସପ୍ରେସ୍ ଟ୍ରେନର ଯାତ୍ରୀଙ୍କ ଲାଗି। ଯଦି ଆପଣ ଶତାବ୍ଦୀ, ରାଜଧାନୀ ଅଥବା ଦୂରନ୍ତୋ ଭଳି ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରୁଥାନ୍ତି ତେବେ ଟ୍ରେନ ବିଳମ୍ବିତ ହେଲେ ଆପଣ ଏହି ସୁବିଧାର ଲାଭ ନେଇପାରିବେ।

Leave A Reply

Your email address will not be published.