କଣ୍ଟାମାଳରେ ପ୍ରେମ ଆରମ୍ଭ କନ୍ଧମାଳ ରେ ଶେଷ। ପ୍ରେମିକାକୁ ଦେଖା କରିବାକୁ ଯାଇ ଜୀବନ ହାରିଲେ ପ୍ରେମିକ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଘଣ୍ଟାପଡା ଗ୍ରାମର ଶୁକଦେବ ରଣା(୨୮) ନିଖୋଜ ହେବାର ୧୧ ଦିନ ପରେ ଆଜି କନ୍ଧମାଳ ଜିଲ୍ଲା ଲଣ୍ଡାଗାଁ ପଞ୍ଚାୟତ ଅନ୍ତର୍ଗତ ପୁଟୁକିପାଲି ଗ୍ରାମର କେରମେଲି ଜୋର ନିକଟ ଜଙ୍ଗଲରେ ନର କଙ୍କାଳ ଉଦ୍ଧାର କରାଯାଇଛି । ସୂଚନା ପ୍ରକାରେ ଶୁକଦେବ ସହିତ ପୁଟୁକିପାଲି ଗ୍ରାମର ଜୈନିକ ଏକ ଝିଅ ସହ ପ୍ରେମ ସମ୍ପର୍କ ରହିଥିଲା l ୨୬ ତାରିଖ ଦିନ ଉକ୍ତ ଯୁବତୀ ଶୁକଦେବକୁ ଡାକିବାରୁ ଦେଖାକରିବା ପାଇଁ ସନ୍ଧ୍ୟl ସମୟରେ ଶୁକଦେବ ନିଜର ସାଙ୍ଗ କୁଶ ସେଠୀକୁ ସାଥିରେ ନେଇ ଏକ ବାଇକ ଯୋଗେ ଘରୁ ବାହାରିଥିଲେ । ପୁଟୁକିପାଲି ତଳିପଡ଼ା ସ୍କୁଲ ନିକଟରେ ଓହ୍ଲାଇ ବାଇକ ନେଇ ଘରକୁ ଫେରିବା ପାଇଁ କୁଶକୁ କହିଥିଲେ । ଶୁକଦେବକୁ ଦେଖି ଗ୍ରାମର କିଛି ଯୁବକ ଠେଙ୍ଗା ଓ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲେ l ଜୀବନ ଚାଲିଯିବା ପରେ ଶବକୁ ଏକ ପଲିଥିନ ବସ୍ତାରେ ଭର୍ତ୍ତି କରି ନିକଟ ଜଙ୍ଗଲରେ ପକାଇ ଦେଇଥିଲେ l କୌଣସି ସୂତ୍ରରୁ ଖବର ପାଇ ଶୁକଦେବର ହତ୍ୟା ହୋଇଥିବା ସନ୍ଦେହରେ ବଡ଼ ଭାଇ ସୁବାଷ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ରବିବାର ୫ ଜଣକୁ ଥାନାକୁ ନେଇ ପଚରା ଉଚୁରା ଚଳାଇଥିଲା l ସେମାନଙ୍କ ଠାରୁ ହତ୍ୟା ହୋଇଥିବା ବିଷୟରେ ସ୍ପଷ୍ଟ ସୂଚନା ସଂଗ୍ରହ କରିଥିଲା l ସୋମବାର ବାଲିଗୁଡା ପୋଲିସ ଝିଅର ବାପା ଦୁଃଶାସନ ମଲିକକୁ ସାଥିରେ ନେଇ ଶବ ରଖିଥିବା ସ୍ଥାନରେ ପହଞ୍ଚି ନର କଙ୍କାଳ ସଂଗ୍ରହ କରି ପରୀକ୍ଷା ପାଇଁ ଏଫଏମଟି ବ୍ରହ୍ମପୁରକୁ ପଠାଇଛି l ହତ୍ୟାରେ ଜଡିତ ଥିବା ଲୀଳାବନ୍ତ ମଲିକ, ଗିରିଶ ମଲିକ, କଂଗ୍ରେସ ମଲିକ ଓ ତୁଳସୀ ଠେଲାକୁ ଥାନାକୁ ନେଇ ଅଟକ ରଖିବା ସହ ଅଧିକ ତଦନ୍ତ ଚଳାଇଛି l ଏସଂକ୍ରାନ୍ତରେ ବାଲିଗୁଡା ଥାନାରେ କେସ ନଂ.୧୯୨/୨୨ ଯୋଗେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ବାଲିଗୁଡା ଥାନା ଅଧିକାରୀ ବାବୁଶଙ୍କର ସରାଫ ସୂଚନା ଦେଇଛନ୍ତି l କିଡ଼ନୀ ଚୋର ସନ୍ଦେହରେ ଶୁକଦେବକୁ ମାଡ଼ ମାରିଥିଲୁ ବୋଲି ଝିଅର ବାପା ଦୁଃଶାସନ କହିଛନ୍ତି l ଅନ୍ୟପଟେ ଏହାଏକ ସୁଚିନ୍ତିତ ହତ୍ୟାକାଣ୍ଡ ଏବଂ ଏଥିରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଅଭିଯୋଗକରି ସୁବାଷ ରଣା ଦାବି କରିଛନ୍ତି l

Leave A Reply

Your email address will not be published.