ପୂର୍ବତନ ତଥା ବର୍ତ୍ତମାନର ବିଧାୟକ/ବିଧାୟିକାଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି ଅନୁମୋଦନ ଦେଲେ ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମାନ୍ୟବର ସଦସ୍ୟ/ସଦସ୍ୟା ଏବଂ ପୂର୍ବତନ ସଦସ୍ୟ/ସଦସ୍ୟାମାନଙ୍କ ନିମନ୍ତେ ସରକାରଙ୍କ ତରଫରୁ ୨୦୧୨-୧୩ ଆର୍ଥିକ ବର୍ଷରୁ ରାଷ୍ଟ୍ରୀୟ ବୀମା କମ୍ପାନୀ ମାଧ୍ୟମରେ ସ୍ୱାସ୍ଥ୍ୟବୀମାର ସୁବିଧା ଯୋଗାଇ ଦିଆଯାଉଛି । ଚଳିତ ଆର୍ଥିକ ବର୍ଷ ପାଇଁ ମଧ୍ୟ ପ୍ରତ୍ୟେକ ସଦସ୍ୟ/ସଦସ୍ୟା ଏବଂ ପୂର୍ବତନ ସଦସ୍ୟ/ସଦସ୍ୟା ଏବଂ ସେମାନଙ୍କର ପତି/ପନିୀଙ୍କ ନିମନ୍ତେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ସୁବିଧା ଦିଆଯାଉଥିଲା । ସ୍ୱାସ୍ଥ୍ୟସେବାର ବ୍ୟୟବୃଦ୍ଧି ଦୃଷ୍ଟିରୁ ମାନ୍ୟବର ବିଧାୟକ ଏବଂ ପୂର୍ବତନ ବିଧାୟକମାନେ ଏହି ସ୍ୱାସ୍ଥ୍ୟବୀମା ରାଶିର ପରିମାଣ ବୃଦ୍ଧି କରିବା ନିମନ୍ତେ ବାରମ୍ବାର ଦାବି କରିଆସୁଥିଲେ । ତଦନୁଯାୟୀ ମାନ୍ୟବର ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ସ୍ୱାସ୍ଥ୍ୟବୀମା ରାଶିକୁ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାର ନିମନ୍ତେ ଉପସ୍ଥାପନ କରାଯାଇଥିଲା ।

ଉକ୍ତ ପ୍ରସ୍ତାବକୁ ବିଚାର କରି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଏହି ବୃଦ୍ଧି ପ୍ରସ୍ତାବ ଉପରେ ସହମତି ପ୍ରଦାନ କରିଥିଲେ । ଅର୍ଥ ବିଭାଗର ଉକ୍ତ ସହମତି କ୍ରମେ ପ୍ରତ୍ୟେକଙ୍କୁ ଏକ ବର୍ଷ ଅବଧି ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ନବୀକରଣ ପ୍ରସ୍ତାବକୁ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ଓଡ଼ିଶା ବିଧାନସଭାର ମାନ୍ୟବର ସଦସ୍ୟସଦସ୍ୟାମାନଙ୍କ ମଧ୍ୟରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ବାଦଦେଇ ୧୨୪ ଜଣ ବିଧାୟକ/ବିଧାୟିକା ଏବଂ ତାଙ୍କର ୮୮ ଜଣ ପତି/ପତ୍ନୀ, ଏହିପରି ମୋଟ ୨୧୨ ଜଣଙ୍କୁ ଏହି ବର୍ଦ୍ଧିତ ସ୍ଥ୍ୟବୀମାର ସୁବିଧା ମିଳିବ । ଏଥି ସହିତ ଓଡ଼ିଶା ବିଧାନସଭାର ୩୧୭ ଜଣ ପୂର୍ବତନ ବିଧାୟକ/ବିଧାୟିକା ଏବଂ ସେମାନଙ୍କର ୨୪୫ ଜଣ ପତି/ପତ୍ନୀ, ଏହିପରି ମୋଟ ୫୬୨ ଜଣ ଏହି ବର୍ଦ୍ଧିତ ସ୍ୱାସ୍ଥ୍ୟବୀମାର ସୁବିଧା ପାଇବେ ।

Leave A Reply

Your email address will not be published.