କାଲିମେଳା ମିନି ଷ୍ଟାଡିୟମ ଜମି ବିକ୍ରି ଘଟଣାର ସମାଧାନ ଲାଗି ପ୍ରଶାସନ କରୁଛି ଉଦ୍ୟମ

କାଲିମେଳା,ତା ୯/୯ କାଲିମେଳା ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଜମି ବିକ୍ରି ଘଟଣାରେ କାଲିମେଳା ମିନି ଷ୍ଟାଡିୟମ ବଳିପଡିଥିଲା । ଏହାର ପ୍ରତିବାଦରେ କାଲିମେଳାର ଯୁବଗୋଷ୍ଠୀ ସ୍ଥାନୀୟ ଦୋକାନ ବଜାର ବନ୍ଦ କରିବା ସହିତ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲାପାଳ କାଲିମେଳା ଗସ୍ତକରି ମିନି ଷ୍ଟାଡିୟମ ପରିସର ବୁଲି ଦେଖିଥିଲେ । ପରେ ଜମି ମାଲିକଙ୍କୁ ମିନି ଷ୍ଟାଡିୟମ ପରିସର ଜମି ବଦଳରେ ଅନ୍ୟତ୍ର ଜମି ଯୋଗାଇ ଦେବାକୁ କୁହାଯାଇଥିଲା । ଜମି ମାଲିକ ଏଥିରେ ରାଜି ହୋଇଥିଲେ । କିନ୍ତୁ ପସନ୍ଦ ହେଲା ଭଳି ଜମି ଯୋଗାଇ ଦେଲେ ଷ୍ଟାଡିୟମ ପରିସର ଜମି ଛାଡ଼ିବୁ ବୋଲି ସେ କହିଥିଲେ । ଏ ପରିପ୍ରେକ୍ଷୀରେ ଆସନ୍ତା ୧୫ ତାରିଖ ମଧ୍ୟରେ କାଲିମେଳା ତହସିଲ ପକ୍ଷରୁ ଜମି ଚିହ୍ନଟ କରାଯିବ ବୋଲି ଜଣାପଡିଛି । ଅପରପକ୍ଷରେ କାଲିମେଳା ଠାରେ ନୂତନ ଖେଳ ପଡିଆ ସକାଶେ ୬ ଏକର ସରକାରୀ ଜମି ଯୋଗାଇ ଦେବାକୁ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୩୭/ତା ୩/୯/୨୨ରେ କାଲିମେଳା ସରପଞ୍ଚ ପୃଥିବୀ ରାଜ ମାଝୀ ତହସିଲଦାରଙ୍କୁ ଚିଠି ପ୍ରଦାନ କରିଛନ୍ତି । ପ୍ରଶାସନ ଗୋଟିଏ ପଟେ ଘୋରେଇ ଜମିରେ ଷ୍ଟାଡିୟମ ନିର୍ମାଣ କରିଥିବା ବେଳେ ଅନ୍ୟ ପଟେ ସେ ଜମିକୁ କିଣାବିକା ଚାଲିଛି । ସୂଚନା ଥାଉ କି ଉକ୍ତ ଜମି ଉପରେ ମିନି ଷ୍ଟାଡିୟମ ନାଁରେ ବ୍ଲକ ପ୍ରଶାସନ ଦର୍ଶକ ଗ୍ୟାଲେରୀ, ଖେଳାଳି ଘର, ଗେଟ୍, ପ୍ରାୟ ୨୦୦ ମିଟର ରାସ୍ତା, ସଭା ମଣ୍ଡପ, ଫ୍ଲାଗ ପୋଷ୍ଟ ଆଦି ନିର୍ମାଣ କରିଛି । ହେଲେ ନିର୍ମାଣ ସରିଥିବା ମିନି ଷ୍ଟାଡିୟମ ଏମପିଭି-୭୫ ଗ୍ରାମର ୪ ଜଣଙ୍କ ସେଟେଲମେଣ୍ଟ ପଟ୍ଟା ରହିଥିଲା । ଏଥିରୁ ଦୁଇ ଜଣ ମୋଟ ୧୮ ଜଣଙ୍କୁ ଜମି ପୂର୍ବରୁ ବିକ୍ରି କରିଛନ୍ତି । କିନ୍ତୁ ରାସ୍ତା ସମସ୍ୟା ଥିବାରୁ ଏପର୍ଯ୍ୟନ୍ତ ସମସ୍ତଙ୍କ ଜମି ରେଜିଷ୍ଟ୍ରେସନ ହୋଇପାରି ନାହିଁ ବୋଲି ଜଣାପଡିଛି । ଏହି କ୍ରମରେ ଅନ୍ୟ ଦୁଇ ଜଣ ମଧ୍ୟ ବର୍ଷେ ତଳେ ଜମି ବିକ୍ରି କରିସାରିଛନ୍ତି । ଏକ ରକମ ସମସ୍ତ ଜମି ବିକ୍ରିବଟା ହୋଇସାରିଛି । ତତ୍କାଳୀନ ସମୟରେ କାଲିମେଳା ଭୈରବୀ ଯୁବକ ସଂଘ ପକ୍ଷରୁ ଏହି ଜମି ଖେଳ ପଡିଆ ପାଇଁ କ୍ରୟ କରାଯାଇଥିଲା ବୋଲି ସଂଘ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଆମ ଜମି ପୂର୍ବରୁ କାହାରିକୁ ବିକ୍ରି କରିନୁ, ଗାଈଗୋରୁଙ୍କ ଉପଦ୍ରବ ଯୋଗୁଁ ଚାଷ କରିବା ମଝିରେ ବନ୍ଦ କରିଥିଲୁ ଏବଂ ଆମ ଅନୁମତି ନେଇ ଦଳିୟ ରାଜନେତା କିମ୍ବା ପଦାଧିକାରୀଙ୍କ ହେଲିକପ୍ଟର ଅବତରଣ କରୁଥିଲେ, ଖେଳ ପ୍ରତିଯୋଗିତା ପାଇଁ ମଧ୍ୟ ଆମର ଅନୁମତି ନିଆଯାଉଥିଲା ବୋଲି ଜମି ମାଲିକ କହିଛନ୍ତି । ତାଛଡା ଏହାର ଖଜଣା ନିଜେ ବାନ୍ଧୁଛୁ ଏବଂ ଆମ କିଡନୀ ରୋଗ ଚିକିତ୍ସା ପାଇଁ ଏବେ ଜମି ବିକ୍ରି କଲୁ ବୋଲି ସେମାନେ କହିଛନ୍ତି । ତେବେ ବିଶେଷ କରି ଯୁବଗୋଷ୍ଠୀ ବ୍ୟବହାର କରିଆସୁଥିବା ସ୍ଥାନରେ ହିଁ ମିନି ଷ୍ଟାଡିୟମ ରହିବାକୁ ପ୍ରଶାସନ ପକ୍ଷରୁ ସମାଧାନର ବାଟ ଏବେ ଫିଟାଇଥିବା ଜଣାପଡିଛି । ତେଣୁ ଆଗକୁ ମିନି ଷ୍ଟାଡିୟମ କାହା ହକ କୁ ଯିବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.