ଚିଣ୍ଟୁର ମଳ ଦ୍ୱାର ନାହିଁ; ଯନ୍ତ୍ରଣାରେ ଛଟ ପଟ ହେଉଛି

ଫୁଲବାଣୀ ୧୧\୦୯ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳିବ । ଚିକିତ୍ସାରେ କାହାରିକୁ ଅବହେଳା କରାଯିବ ନାହିଁ । ମେଡିକାଲରେ ମାଗଣା ଚିକିତ୍ସା ସହ ଅସ୍ତ୍ରୋପଚାର କରାଯିବ । ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଛନ୍ତି ସରକାର । ହେଲେ ସବୁ ଥିଲେ ହେଁ ଏହି ସେବା ମିଳୁ ପାରୁନାହିଁ । ଯାହାର ବାସ୍ତବ ଚିତ୍ର କନ୍ଧମାଳ ଜିଲା ଚକାପାଦ ବ୍ଲକରେ ଦେଖିବାକୁ ମିଳିଛି । ଜନ୍ମ ହେଲା ପରଠାରୁ ମଳ ଦ୍ୱାର ନ ଥିବା ଜଣେ ପିଲାର ଅସ୍ତ୍ରୋପଚାର ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ l କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେହେରା ଗାଁ ପଞ୍ଚାୟତ ପଡାମାହା ଗ୍ରାମ । ୨୦୧୭ ମସିହା ଜୁଲାଇ ମାସ ୧୮ ତାରିଖରେ ଗ୍ରାମର ପ୍ରକାଶ କହଁର ଓ ସ୍ତ୍ରୀ ଜାନକୀଙ୍କ କୋଳ ମଣ୍ଡନ କରିଥିଲେ ଚିଣ୍ଟୁ । ପୁଅ ଟିଏ ଜନ୍ମ ହେବାରୁ ପରିବାରରେ ଖୁସିର ସୀମା ନ ଥିଲା । ଘରଠାରୁ ଆରମ୍ଭ କରି ବନ୍ଧୁ ପରିଜନମାନେ ଏହି ଖୁସିରେ ନିଜକୁ ସାମିଲ କରିଥିଲେ । ହେଲେ କିଛି ଘଣ୍ଟା ପରେ ଏହି ଖୁସି ପାଣି ଫୋଟକା ପରି ମିଳାଇ ଯାଇଥିଲା । କାରଣ ପିଲାଟି ଜୋରରେ କନ୍ଦା କଟା କରିଥିଲା । ଡାକ୍ତର ଆସି ପରୀକ୍ଷା କଲା ବେଳକୁ ମଳ ଦ୍ୱାର ନ ଥିବା ଜଣା ପଡିଥିଲା । ପିଲାଟି ମଳ ତ୍ୟାଗ କରି ପାରୁ ନ ଥିବାରୁ ଡାକ୍ତର ବାଇପାସ କରି ନାଭି ପାଖରେ ମଳ ଯାଉଥିବା ନାଡାକୁ ବାହାର କରି ଛାଡି ଦେଇଥିଲେ । ପିଲା ବଡ ହେଲେ ତାହାର ଅସ୍ତ୍ରୋପଚାର କରାଯିବ ବୋଲି କହିଥିଲେ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଡାକ୍ତରଙ୍କ ପାଖକୁ ଦୌଡି ଦୌଡି ପ୍ରକାଶ ଏବଂ ସ୍ତ୍ରୀ ଜାନକୀ ନୟାନ୍ତ ହୋଇପଡିଲେଣି । ତଥାପି ଅପରେଶନ ହୋଇପାରୁ ନାହିଁ ବୋଲି ଚିଣ୍ଟୁର ମା ଜାନକୀ କହଁର ଦିଗାମ୍ବର କହଁର ପଡୋଶୀ ଓ ସ୍ଵପ୍ନେଶ୍ଵର କହଁର କହିଛନ୍ତି l ଚିଣ୍ଟୁ ଏବେ ୫ ବର୍ଷର ହୋଇଗଲାଣି l ଘର ସମ୍ମୁଖରେ ତା ଭଳି ପିଲାମାନେ ପ୍ରତ୍ୟେକ ଦିନ ସ୍କୁଲ ଯାଉଥିବା ଦେଖି ମନ ଦୁଃଖ କରୁଛି । କାରଣ ସେ ଅସୁସ୍ଥ୍‌ତା ଯୋଗୁ ସ୍କୁଲ ଯାଇ ପାରୁନାହିଁ । ନାଭି ପାଖରେ ବାହାରିଥିବା ନାଡାରେ ମଳ ଆପେ ଆପେ ବାହାରୁଛି । ଦୁର୍ଗନ୍ଧରେ ରହି ହେଉନାହିଁ । ପେଟ ଉପରେ ଏକ କପଡା ଦେଇ ତାଙ୍କୁ ସବୁ ବେଳେ ରଖା ଯାଉଛି । ପରିବାରର ଜଣେ ଲୋକ ଏଥିପାଇଁ ବାନ୍ଧି ହୋଇରହିବାକୁ ପଡୁଛି । ଏପଟେ ପ୍ରକାଶ ଗରୀବ ଶ୍ରେଣୀର ଲୋକ । ଦିନ ମଜୁରୀ ନ ଗଲେ ପରିବାର ଚଳାଇବା କଷ୍ଟ । ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯେତବେଳେ ଚିଣ୍ଟୁଙ୍କୁ ଭର୍ତି କରାଯାଇଥିଲା, ସେତବେଳେ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ଆଜି ପର୍ଯ୍ୟନ୍ତ ଅପରେଶନ ଆଳ ଦେଖାଇ ଦିନ ଗଡାଇ ଚାଲୁଛନ୍ତି । ଏପଟେ ଚିଣ୍ଟୁ ବଡ ହେଉଥିବାରୁ ମଳ ତ୍ୟାଗ କରିବାରେ ଅକଥନୀୟ ଯନ୍ତ୍ରଣା ଅନୁଭବ କରୁଛି । ସରକାରଙ୍କ ଏତେ ସବୁ ସୁବିଧା ଥାଇ ଚିଣ୍ଟୁର ଅବସ୍ଥା କେବେ ସୁଧୁରିବ ଏବଂ ତାର ଅସ୍ତ୍ରୋପଚାର କରାଯିବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.