ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲା , ସିବିଆଇ ତଦନ୍ତ ଦାବିରେ ମହିଳାଙ୍କ ବିକ୍ଷୋଭ

ଫୁଲବାଣୀ ୧୩/୦୯ କନ୍ଧମାଳ ଜିଲାର ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଅସନ୍ତୋଷ ଜାରି ରହିଛି । ଏହି ଘଟଣାରେ ଯେଉଁମାନଙ୍କୁ ଗିରଫ କରାଯାଇଛି, ସେମାନେ ପ୍ରକୃତରେ ଦୋଷୀ ନୁହନ୍ତି । ପୋଲିସ ଘଟଣାର ଉପଯୁକ୍ତ ତଦନ୍ତ ନ କରି ଏଭଳି କାର୍ଯ୍ୟ କରିଛି । ତେଣୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତୁଡିପାଜୁ ପଞ୍ଚାୟତ ମହିଳା ମହାସଂଘ ସଦସ୍ୟମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପାଖରୁ ଏକ ରାଲିରେ ଆସି ପୋଲିସ ବିରୋଧରେ ନାରାବାଜି କରିଛନ୍ତି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖେରେ ଏକ ପ୍ରତିବାଦ ସଭା କରି ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଦାବି କରିଛନ୍ତି । ଗତ ଜୁନ ୧୮ରେ ଛାତ୍ରୀଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଗଲା । ପୋଲିସ ହତ୍ୟାକରୀଙ୍କୁ ଗିରଫ ନ କରି ପ୍ରମାଣ ନଷ୍ଟ କଲାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଛାତ୍ରୀଙ୍କ ମା ୧ ୯ ତାରିଖରେ ଏତଲା ଦେଇଥିଲେ ହେଁ ପୋଲିସ ଗ୍ରହଣ କଲାନାହିଁ । ପରେ ଚକ୍ରାନ୍ତ କରି ଜୁଲାଇ ୭ରେ ଦୋଷୀମାନଙ୍କୁ ସୁହାଇଲା ଭଳି ଏତଲାରେ ପରିବର୍ତନ କଲା । ସେହି ଆଧାରରେ କେବଳ ଜଣଙ୍କୁ ଗିରଫ କରାଯାଇଛି । ପରବର୍ତ୍ତୀ ସମୟରେ ଛାତ୍ରୀଙ୍କୁ ୧୭ ରୁ ୧୮ ଅସାମାଜିକ ଯୁବକ ମାଡ ମାରିଥିବା ଏବଂ ଅଶ୍ଳୀଳ ବ୍ୟବହାର କରୁଥିବା ଭିଡିଓ ପଦାକୁ ଆସିବା ପରେ ବିଭିନ୍ନ ମହଲ ରୁ ଚାପ ପଡିବା ପରେ ଅନ୍ୟ ୧ ୨ ଜଣଙ୍କୁ ଗିରଫ କଲା କିନ୍ତୁ ୩ ମାସରୁ ଅଧିକ ସମୟ ଅନ୍ୟମାନଙ୍କୁ ଗିରଫ କରିନାହିଁ ା ବାକି ଅନ୍ୟମାନେ ଧନଶାଳୀ ହୋଇଥିବାରୁ ପୋଲିସ ସେମାନଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଛି । ୨ ମାସ ବିଳମ୍ବରେ ଦେଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ଯ ଜାଲିଆତି କରାଯଇ ମିଛ ରିପୋର୍ଟ ଦିଆଯାଇଛି ତେଣୁ ଘଟଣାର ସିବିଆଇ ତଦନ୍ତ ହେଲେ ପ୍ରକୃତ ଅପରାଧି ସାମ୍ନାକୁ ଆସିବେ ବୋଲି ମୃତ ନାବାଳିକାଙ୍କ ମା’, ଗ୍ରାମାଞ୍ଚଳ ସୁରକ୍ଷା ସମିତି ସମ୍ପାଦିକା ଗୀତାଂଜଳୀ କହଁର, ଆରତି କହଁର, କୌଶଲ୍ୟା କହଁର ପ୍ରମୁଖ ପ୍ରକାଶ କରିଛନ୍ତିି । ଶେଷରେ ଦାବି ସମ୍ପର୍କିତ ପତ୍ର ଜିଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.