ସମ୍‌ରେ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ଯୋଗେ ଜଟିଳ ରକ୍ତ କର୍କଟ ରୋଗର ସଫଳ ଚିକିତ୍ସା

ଭୁବନେଶ୍ୱର, ୧୪/୦୯: ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୮ ବର୍ଷୀୟା ରୋଗୀଙ୍କୁ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଏହି ରୋଗୀଙ୍କର ସମସ୍ତ ଚିକିତ୍ସା କରାଯାଇଛି ।
ପ୍ରାୟ ଦେଢ଼ ବର୍ଷ ତଳେ ରୋଗୀ ଜଣକ ମଲ୍ଟିପଲ ମାଇଲୋମା ରୋଗରେ ଚିହ୍ନଟ ହେବା ପରେ ଅନ୍ୟ ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର କେମୋଥେରାପି ଚିକିତ୍ସା ଚାଲିଥିଲା । ତେବେ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ନିମନ୍ତେ ତାଙ୍କୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା । ପୂର୍ବ ଚିକିତ୍ସା ଦ୍ୱାରା ରୋଗୀଙ୍କର ବିଶେଷ ଉନ୍ନତି ହୋଇ ନଥିବାରୁ ତାଙ୍କର ଭିନ୍ନ ପ୍ରକ୍ରିୟାରେ ଚିକିତ୍ସା କରାଯାଇଥିଲା ବୋଲି କହିଛନ୍ତି ହେମାଟୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରିୟଙ୍କା ସାମଲ୍ ।
ସମ୍ପୃକ୍ତ ରୋଗୀଙ୍କର ରୋଗ ଚିହ୍ନଟ ହେଲା ବେଳେ ତାଙ୍କର କିଡ୍‌ନୀ ଜନିତ ସମସ୍ୟା ମଧ୍ୟ ଜଣାପଡ଼ିଥିଲା । ତେଣୁ ଅତି ସତର୍କତାର ସହ ତାଙ୍କର ଚିକିତ୍ସା କରାଯାଇଥିଲା । ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ପୂର୍ବରୁ ତାଙ୍କୁ ହାଇଡୋଜ୍ କେମୋଥେରାପି ଦିଆଯାଇଥିଲା । ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ନିୟନ୍ତ୍ରଣ ରକ୍ଷା କରି କେମୋଥେରାପି ଦ୍ୱାରା ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିବା ପରେ ଅତି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଅନ୍ୟାନ୍ୟ ବିଭାଗରୁ ଅନୁମତି ମିଳିବା ପରେ ତାଙ୍କ ଶରୀରରେ ଏହି ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ କରାଯାଇଥିଲା ବୋଲି ଡାକ୍ତର ସାମଲ କହିଛନ୍ତି ।
ରୋଗୀ ଜଣକ ଏହି ପ୍ରକ୍ରିୟା ପରେ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିବା ଡାକ୍ତର ସାମଲ କହିଛନ୍ତି ।

Leave A Reply

Your email address will not be published.