xmas

ଓଳାଶୁଣି ଛକସ୍ଥିତ ବ୍ରିଜର ସମ୍ପ୍ରସାରଣ ପାଇଁ ନୀତିନ ଗଡ଼କରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଉକ୍ତ ବ୍ରିଜର ସମ୍ପ୍ରସାରଣ ନେଇ ଅନୁଧ୍ୟାନ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀଙ୍କ ପ୍ରତିଶ୍ରୁତି ।
ସଂକୀର୍ଣ୍ଣ ବ୍ରିଜ ଯୋଗୁଁ ସାଲେପୁର ଓ ମାହାଙ୍ଗାର ୩୦ଟି ପଞ୍ଚାୟତର ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକମାନେ ପ୍ରଭାବିତ ହେଉଛନ୍ତି ।

ନୂଆଦିଲ୍ଲୀ/ଭୁବନେଶ୍ୱର ୨୮|୯ : ପାରାଦ୍ୱୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ନଂ ୫(କ)କୁ ସଂଯୋଗ କରୁଥିବା ଓଳାଶୁଣୀ ଛକ ସ୍ଥିତ ଗୋବରୀନଈ(ନାଳ) ବ୍ରିଜର ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଏ ସଂକ୍ରାନ୍ତୀୟ ଚିଠି ପ୍ରଦାନ କରିବା ସହ ସାକ୍ଷାତ୍ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ମାହାଙ୍ଗା ବିଧାୟକ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନଙ୍କ ଅଭିଯୋଗ ପତ୍ର ଆଧାରରେ ଏ ସମ୍ପର୍କରେ ଲେଖିଥିବା ଚିଠିକୁ ଶ୍ରୀ ପ୍ରଧାନ ଶ୍ରୀ ଗଡକରୀଙ୍କୁ ପ୍ରଦାନ କରିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଳାଶୁଣୀ ଛକରେ ଗୋବରୀ ନାଳ ଉପରେ ଥିବା ଏହି ସଂକୀର୍ଣ୍ଣ ବ୍ରିଜ ଯୋଗୁଁ ଜଳ ନିଷ୍କାସନର ସମସ୍ୟା ଉପୁଜୁଛି । ଏହା ଦ୍ୱାରା କଟକ ଜିଲ୍ଲାର ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୩୦ଟି ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକମାନେ ପ୍ରଭାବିତ ହେଉଛନ୍ତି । ଜନବସତି ଅଞ୍ଚଳ ଓ ଚାଷ ଜମି ବିଶେଷ ଭାବେ ପ୍ରଭାବିତ ହେଉଛି । ପ୍ରତି ବର୍ଷ ଏହି ଅଞ୍ଚଳର ଲୋକମାନେ ବନ୍ୟା ଭଳି ପରିସ୍ଥିତି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ କଳ୍ପନାରେ ୬ ଲେନ୍ ବିଶିଷ୍ଟ ଚଣ୍ଡିଖୋଲ-ପାରାଦ୍ବୀପ ଜାତୀୟ ରାଜପଥ ୮ ଲେନରେ ପରିଣତ ହେବାକୁ ଯାଉଛି ଏବଂ ଏହି ସଡ଼କ ପଥର ସମ୍ପ୍ରସାରଣ ହେବାଦ୍ୱାରା ଯାତାୟତ ସୁଗମ ହେବା ସହ ଅର୍ଥନୈତିକ କରିଡରକୁ ମଧ୍ୟ ଅଧିକ ଗତିଶୀଳ କରାଇବ । ଉକ୍ତ ବ୍ରିଜର ସମ୍ପ୍ରସାରଣ ନେଇ ଅନୁଧ୍ୟାନ କରିବା ସହ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.