xmas

ମୃତ୍ୟୁର କାରଣ ପାଇଁ ମନ୍ତ୍ରୀ ସମୀର ଦାଶ ଦାୟୀ ବୋଲି ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁ କହିଛନ୍ତି : ପ୍ରଭାତି ପରିଡା

ଧର୍ମେନ୍ଦ୍ର ସାହୁ ଏବଂ ତାଙ୍କ ଘନିଷ୍ଟ ବନ୍ଧୁଙ୍କ ସହ ଫୋନ କଥାବାର୍ତାର ଅଡିଓ କ୍ଲିପ ଭାଇରାଲ
ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦିଆଯିବା ସହିତ ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ଗିରଫ କରାଯାଉ
ଭୁବନେଶ୍ୱର, ତା.୨୭/୦୯: ବହୁଚର୍ଚ୍ଚିତ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟ ତଥା ବିଜୁ ଜନତା ଦଳର ନେତା ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁ ନିଜ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆ ଜରିଆରେ ମୃତ୍ୟୁର କାରଣ ଏବଂ ଦୁଇଟି ଭିଡିଓର କଥାକୁ ଉଲ୍ଲେଖ କରିଥିଲେ । ମାତ୍ର ତାଙ୍କ ଘରଟାରୁ ଅନତି ଦୂରରେ ତାଙ୍କ ମୋବାଇଲ ମିଳିବା ଘଟଣା ଯେତିକି ସନ୍ଦେହ ସୃଷ୍ଟି କରିଥିଲା, ତାଠୁ ଅଧିକ ଉଦ୍ଧାର ହେବା ପରେ ପୋଲିସ ହେପାଜତରେ ମୋବାଇଲ ଦୁଇଟି ଥିବାବେଳେ ତାଙ୍କ ଫେସବୁକ ଆକାଉଂଟରୁ ଆପେ ଆପେ ତଥ୍ୟ ଉଭାନ ହୋଇଯିବା ଆହୁରି ଅନେକ ସନ୍ଦେହକୁ ଦୃଢୀଭୁତ କରିଛି । ମୁଖ୍ୟ ଅଭିଯୁକ୍ତ ତଥା ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିଜ କ୍ଷମତାର ଅପବ୍ୟବହାର କରି ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରୁଛନ୍ତି । ମାତ୍ର ସତ କଥା ଆଦୈା ଲୁଚି ରହିବ ନାହିଁ ଏବଂ କେବେ ନା କେବେ ସାମ୍ନାକୁ ଆସିବ । ମୃତ୍ୟୁର କିଛି ଘଂଟା ପୂର୍ବରୁ ସ୍ୱର୍ଗତଃ ସାହୁ ଏବଂ ତାଙ୍କ ଘନିଷ୍ଟ ବନ୍ଧୁଙ୍କ ସହ ଫୋନ କଥାବାର୍ତା ବର୍ତମାନ ମନ୍ତ୍ରୀ ଶ୍ରୀ ଦାଶଙ୍କ ସଂପୃକ୍ତିକୁ ଆହୁରି ସ୍ପଷ୍ଟ କରିଛି ବୋଲି ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଶ୍ରୀମତୀ ପରିଡା କହିଛନ୍ତି ଯେ, ବ୍ୟବସାୟୀରୁ ରାଜନେତା ସାଜିଥିବା ସ୍ୱର୍ଗତଃ ସାହୁଙ୍କ ସହିତ ମନ୍ତ୍ରୀ ଶ୍ରୀ ଦାଶଙ୍କ ସୁସଂପର୍କ ଥିଲା ଏବଂ ମନ୍ତ୍ରୀ ଶ୍ରୀ ଦାଶ ନିଜେ ପ୍ରଭାବ ପକାଇ ଗତ ପଂଚାୟତ ନିର୍ବାଚନରେ ଶାସକ ବିଜେଡି ତରଫରୁ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ କରାଇଥିଲେ । ମାତ୍ର ୪-୫ ମାସ ତଳେ ନିର୍ବାଚିତ ହୋଇଥିବା ସ୍ୱର୍ଗତଃ ସାହୁ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ବାର୍ତା ଜରିଆରେ ରାଜନୈତିକ ବିବାଦ ହିଁ ପାରିବାରିକ କଳହର ମୁଖ୍ୟ କାରଣ ବୋଲି କହିଥିଲେ । ଆଜି ଭାଇରାଲ ହୋଇଥିବା ଏହି ଅଡିଓ କ୍ଲିପରେ ମଧ୍ୟ ସ୍ୱର୍ଗତଃ ସାହୁ ନିଜ ମୃତ୍ୟୁର କାରଣ ପାଇଁ ମନ୍ତ୍ରୀ ଶ୍ରୀ ଦାଶଙ୍କ ସମେତ ୭ ଜଣଙ୍କ ନାମ ଉଲ୍ଲେଖ କରିଛନ୍ତି । ଏହି କାରଣରୁ ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ଅନେକ ତଥ୍ୟ ସାମ୍ନାକୁ ଆସିବା ସହିତ ଜଣେ ନବନିର୍ବାଚତ ଜନପ୍ରତିନିଧିଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ ବୋଲି ଶ୍ରୀମତୀ ପରିଡା ପୁଣି ଥରେ କହିଛନ୍ତି ।

ଏଭଳି ଏକ ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗତ କାଲି ଏକ ପ୍ରତିନିଧି ଦଳ ପୋଲିସ କମିଶନରଙ୍କୁ ଭେଟି ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । କ୍ଷମତାର ଅପବ୍ୟବହାର କରାଯାଇ ତଦନ୍ତକୁ ବିଭ୍ରାନ୍ତ କରାଯିବାର ଆଶଙ୍କା କ୍ରମଶଃ ବୃଦ୍ଧି ପାଇଛି । ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦିଆଯିବା ସହିତ ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ଗିରଫ କରାଯିବାକୁ ଶ୍ରୀମତୀମ ପରିଡା ଦାବୀ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ରାଜ୍ୟ ଉପସଭାପତି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ ଅକ୍ଷୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.