ଭୁବନେଶ୍ୱର : କରୋନା ଲାଗି ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ପାଠପଢ଼ାକୁ ନେଇ ଗଣଶିକ୍ଷା ବିଭାଗ ଚିନ୍ତିତ ହୋଇପଡ଼ିଥିବା ବେଳେ ପରୀକ୍ଷାର ମାନ ଦଣ୍ଡକୁ ନେଇ ଉଠିଛି ପ୍ରଶ୍ନବାଚୀ । ସର୍ବଶିକ୍ଷା ଯୋଜନାରେ ସ୍କୁଲର ଭିତ୍ତିଭୂମିର ବିକାଶ ସାଙ୍ଗକୁ ବିଭିନ୍ନ ଯୋଜନା ପିଲାଙ୍କୁ ଯୋଗାଇ ଦିଆଯାଉଥିବା ବେଳେ ଫେଲ୍ ବ୍ୟବସ୍ଥା ଉଚ୍ଛେଦ ଦ୍ୱାରା ଗୁଣାତ୍ମକ ଶିକ୍ଷା ଉପରେ କୁପ୍ରଭାବ ପଡିଛି ବୋଲି ଶିକ୍ଷାବିତ୍ମାନେ ଅଭିଯୋଗ କରିଛନ୍ତି । ଫେଲ୍ ବ୍ୟବସ୍ଥା ଉଚ୍ଛେଦ ହୋଇଥିବାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ଫେଲ୍ କରାଯାଉନାହିଁ । ଫଳରେ ଶିକ୍ଷା ପ୍ରତି ପିଲାଙ୍କ ମନରେ ଭୟ ନଥିବା ବେଳେ ଉଚ୍ଚଶିକ୍ଷା ତଥା ଦଶମରେ ଫେଲ୍ ସଂଖ୍ୟା ବଢ଼ିଚାଲିଛି । ଫେଲ୍ ବ୍ୟବସ୍ଥା ନଥିବାରୁ ପିଲାଙ୍କ ପାଖରେ ପ୍ରତିଯୋଗୀତା ମନୋଭାବ ମଧ୍ୟ ନାହିଁ । ତେବେ ଫେଲ୍ ବ୍ୟବସ୍ଥା ଉଚ୍ଛେଦ-୨୦୧୬କୁ ନେଇ ଶିକ୍ଷାବିତ୍ ମହଲରେ ଆଜି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରିସ୍ଥିତି ଏପରି ହୋଇପଡ଼ିଛି ଯେ, ଏହାକୁ ନେଇ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଏକପ୍ରକାର ଛକାପଞ୍ଝା ଆରମ୍ଭ ହୋଇଛି ।
ତେବେ ଗୁଣାତ୍ମକ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଫେଲ୍ ବ୍ୟବସ୍ଥା ଉଚ୍ଛେଦକୁ ଶିକ୍ଷାବିତ୍ମାନେ ନାପସନ୍ଦ କରିଛନ୍ତି । ଏହି ବ୍ୟବସ୍ଥାର କୁପରିଣାମ ପିଲାଙ୍କ ଉପରେ ପଡୁଛି । ଏହି ନୀତି ଅନୁସାରେ ଯେକୌଣସି ଘରୋଇ ବା ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅଷ୍ଟମ ଶ୍ରେଣୀ ଯାଏ ଫେଲ୍ କରାଯାଉନି । ଏହି ବ୍ୟବସ୍ଥା ମାଧ୍ୟମରେ୬ ରୁ ୧୪ ବର୍ଷ ବୟସ୍କ ସମସ୍ତ ପିଲା ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ଏକ ନ୍ୟୂନତମ ଯୋଗତା ହାସଲ କରିବା ସହିତ ରାଜ୍ୟ ଏବଂ ଦେଶର ଡ୍ରପ୍ଆଉଟ୍ ସଂଖ୍ୟା ମଧ୍ୟ ହ୍ରାସ ପାଇବ ବୋଲି ସରକାର ଆଶା କରିଥିଲେ । ମାତ୍ର ଏହି ନୀତି ଅନେକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବା ସ୍ଥାନରେ ସେମାନଙ୍କ ପାଠପଢ଼ା ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ଅଭିଯୋଗ ହେଉଛି । ଅଷ୍ଟମ ଶ୍ରେଣୀ ଯାଏ ପାସଫେଲ ଉଚ୍ଛେଦ ବ୍ୟବସ୍ଥା ଲାଗୁ କରିବା ଯୋଗୁଁ ପିଲାମାନେ ପାଠପଢ଼ା ପ୍ରତି ଅବହେଳା ଦର୍ଶାଉଥିବା ପ୍ରକାଶ ପାଇଛି । ଏଥିଯୋଗୁ ନବମ ଏବଂ ଦଶମ ଶ୍ରେଣୀରେ ପିଲାମାନେ ପରୀକ୍ଷାରେ ଖରାପ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି ।
ଶିକ୍ଷାବିତ୍ଙ୍କ କହିବା ଅନୁଯାୟୀ, ଶିକ୍ଷାରେ ଗୁଣବତ୍ତା ନରହିଲେ ଶିକ୍ଷାର ମୂଲ୍ୟ ନିର୍ଦ୍ଧାରଣ ହୋଇ ପାରିବ ନାହିଁ । ଏପରି ବ୍ୟବସ୍ଥା ଲାଗି ପିଲାଙ୍କ ମନରେ ଫେଲ୍ ଭୟ ନଥିବାବେଳେ ଶିକ୍ଷକଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦେଶରେ ଭଲ ଶିକ୍ଷା ଅର୍ଜନ କରିବାର ଆଶାୟୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଖୁବ୍ ଅଧିକ ଥିଲେ ମଧ୍ୟ ସେମାନେ ନିଜ ଆଶା ଅନୁଯାୟୀ ଉଚ୍ଚଶିକ୍ଷା ଲାଭ କରିବାରେ ବିଫଳ ହୋଇଥାନ୍ତି । ଭଲ ଚାକିରି, ଭଲ ରୋଜଗାର ଏବଂ ଉନ୍ନତମାନର ଜୀବନଶୈଳୀ ଲାଗି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଉପରେ ନିର୍ଭରଶୀଳ । ମାତ୍ର ଦେଶର ବହୁ ରାଜ୍ୟରେ ଉଚ୍ଚଶିକ୍ଷା ତ ଦୂରର କଥା ପ୍ରାଥମିକ ଶିକ୍ଷାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ପିଲାମାନେ ଦୁର୍ଦ୍ଦଶା ଭୋଗୁଛନ୍ତି । ସରକାରୀ ତୁଳନାରେ ଘରୋଇ ବିଦ୍ୟାଳୟରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଗତ ୧୦ ବର୍ଷରେ ପ୍ରାୟ ୯% ବୃଦ୍ଧି ପାଇଛି ।
ସେହିପରି ଓଡ଼ିଶା ଏବଂ ବିହାରରେ ସରକାରୀ ବିଦ୍ୟାଳୟରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ଏଠାରେ ଟ୍ୟୁସନ୍ ପଢ଼ୁଥିବା ପିଲାଙ୍କ ସଂଖ୍ୟା ମଧ୍ୟ ୫୦% । ଯଦି ରୋଜଗାର କ୍ଷେତ୍ରରେ ଏନ୍ଡିପିର ଉପକାରିତା ଉପରେ ବିଶ୍ଳେଷଣ କରାଯାଏ, ତେବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବାଧ୍ୟତାମୂଳକ ଭାବେ ଉତ୍ତୀର୍ଣ୍ଣ କରାଯିବାର ଅନେକ ଲାଭ ରହିଛି । ଯେପରିକି ବହୁ ଘରୋଇ ଏବଂ ସରକାରୀ ସ୍ତରରେ ପିଅନ , ସହକାରୀ ନର୍ସ ଏବଂ ଠିକା ଶ୍ରମିକ ଇତ୍ୟାଦି ପଦବୀରେ କାମ କରିବାପାଇଁ ନ୍ୟୂନତମ ଯୋଗ୍ୟତା ଅଷ୍ଟମ ଶ୍ରେଣୀ ପାସ୍ ରଖାଯାଇଥାଏ । ସେହିପରି ଗାଡ଼ି ଚଳାଇବା ଲାଇସେନ୍ସ୍ ପାଇବାପାଇଁ ମଧ୍ୟ ଅଷ୍ଟମ ଶ୍ରେଣୀ ପାସ୍ ସାର୍ଟିଫିକେଟ୍ ଦରକାର । ତେଣୁ ଏହି ବ୍ୟବସ୍ଥାରେ ଅନେକ ସଂଶୋଧନ ଆଣିବାର ଆବଶ୍ୟକତା ରହିଛି ବୋଲି ଶିକ୍ଷାବିତ୍ଙ୍କ ମହଲରେ ମତ ପ୍ରକାଶ ପାଇଛି । ଅପରପକ୍ଷେ ଏହି ବ୍ୟବସ୍ଥାକୁ ଆସନ୍ତା ଶିକ୍ଷାବର୍ଷରୁ ଉଚ୍ଛେଦ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି ।