ସାହିତ୍ୟିକ ବିନୟ ଦାସଙ୍କ ପରଲୋକ

ବାଲେଶ୍ୱର, ୫/୧୦: ରାଜ୍ୟର ଜଣାଶୁଣା କବି, ଅନୁବାଦକ, ଶିଶୁ ସାହିତ୍ୟିକ, ନାଟ୍ୟକାର, ଗୀତିକାର ବିନୟ କୁମାର ଦାସ(୭୩)ଙ୍କ ପରଲୋକ । ମଙ୍ଗଳବାର ମଧ୍ୟରାତ୍ରରେ ସେ ହୃଦ୍‌ଘାତରେ ବାଲେଶ୍ୱର ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ପ୍ରାୟ ବର୍ଷେ ହେବ ଆଜ୍‌ମା ସମେତ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ।

ସ୍ବର୍ଗତ ଦାସ ୬ ନଭେମ୍ବର ୧୯୪୯ରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ। ଜିଲ୍ଲାସ୍କୁଲରୁ ହାଇସ୍କୁଲ ଶିକ୍ଷା ଶେଷ କରି ସେ ସ୍ନାତକ ଶିକ୍ଷା ସମାପ୍ତ କରି ବ୍ୟାଙ୍କ ଚାକିରିରେ ଯୋଗ ଦେଇଥିଲେ। ବାଲେଶ୍ଵର ଭଦ୍ରକ କୋ-ଅପରେଟିଭ୍ ବ୍ୟାଙ୍କର ବାଲେଶ୍ଵର ଶାଖାରେ କାର୍ଯ୍ୟ କରି ସେଠାରୁ ଅବସର ଗ୍ରହଣ କରିଥିଲେ। ବ୍ୟାଙ୍କରେ କାମ କରିବା ସହ ସାହିତ୍ୟ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା। ବିଶେଷ କରି ଶିଶୁ ସାହିତ୍ୟକୁ ବହୁତ ଭଲ ପାଉଥିଲେ। ଶିଶୁ ସାହିତ୍ୟର ବିକାଶ ପାଇଁ ସେ ଜଳେଶ୍ୱରର ଅନ୍ୟତମ କବି ପ୍ରଶାନ୍ତ ଦାସଙ୍କୁ ନେଇ ବାଲେଶ୍ଵର ଶିଶୁସାହିତ୍ୟ ଏକାଡେମୀ ଗଠନ କରିଥିଲେ। ସେଥିରେ ସେ ସମ୍ପାଦକ ଥିବାବେଳେ ପ୍ରଶାନ୍ତ ଦାସ ସଭାପତି ଥିଲେ। ଏହି ସମୟରେ ଶିଶୁ ସାହିତ୍ୟର ବିକାଶ ପାଇଁ ବହୁ କାର୍ଯ୍ୟକ୍ରମ କରିଥିଲେ। ଶିଶୁ ସାହିତ୍ୟ ଉପରେ ବହୁ କବିତା ଲେଖିଥିଲେ। ସେଥିମଧ୍ୟରୁ କବିତା ପୁସ୍ତକ ‘କିଛି ଫୁଲ କିଛି କଢି’ ଅନ୍ୟତମ।

ପରବର୍ତ୍ତୀ ସମୟରେ ସେ ସାହିତ୍ୟର ବିଭିନ୍ନ ଦିଗ ଉପରେ ଲେଖନୀ ଚାଳନା କରି ସଫଳତା ହାସଲ କରିଥିଲେ। ସେ ଜଣେ ସଫଳ ବେତାର ନାଟ୍ୟକାର ଥିଲେ। ତାଙ୍କ ଲିଖିତ ବହୁ ନାଟକ ଆକାଶବାଣୀରେ ଲୋକପ୍ରିୟତା ହାସଲ କରିଥିଲା। ପରେ ବିଭିନ୍ନ ସମ୍ବାଦପତ୍ର, ପତ୍ରିକା ପାଇଁ ନିୟମିତ ଲେଖା ସହ ସ୍ତମ୍ଭ ଲେଖୁଥିଲେ। ତାଙ୍କ ରଚିତ ବହୁ ଗୀତ ଲୋକପ୍ରିୟତା ହାସଲ କରିଥିଲା। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି।

Leave A Reply

Your email address will not be published.