xmas

ଦୁର୍ଗମ ପାହାଡିଆ ଗାଁ ତାଗବେଡାର ଦୁଃଖ

ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରିଲା ନାହିଁ; କାଉଡିରେ ବୁହା ହେଲେ ରୋଗୀ
ମାଲକାନଗିରି,୭/୧୦ ମାଲକାନଗିରି ଜିଲ୍ଲାରେ ଆଜି ବହୁ ବହୁ ଗ୍ରାମ ରହିଛି ଯେଉଁ ଗ୍ରାମର ପକ୍କା ରାସ୍ତାଟିଏ ନାହିଁ। ଲୋକେ ଆଜି ବି ପାଦରେ ଚାଲି ଚାଲି ଯିବା ଆସିବା କରନ୍ତି। ଏପରିକି ବୃଦ୍ଧ ଓ ବୃଦ୍ଧା ମାନେ ମଧ୍ୟ ଭତ୍ତା ପାଇଁ ମାଇଲ ମାଇଲ ବାଟ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳେ। ତେବେ ଏହାଠାରୁ ବଳିଯାଏ ରୋଗୀଙ୍କୁ ଏବଂ ପ୍ରସୂତୀ ତଥା ଗର୍ଭବତୀଙ୍କୁ ମେଡିକାଲ ନେବାକୁ। ଏଭଳି ଏକ ଗ୍ରାମ ରହିଛି ଯେଉଁ ଲୋକ ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଦୁଃଖ ଭୋଗୁଛନ୍ତି। ଜିଲ୍ଲାର ଖଇରପୁଟ ବ୍ଲକର ରାସବେଡା ପଞ୍ଚାୟତର ତାଗବେଡା ଗ୍ରାମ। ଏହି ଗ୍ରାମଟି ପାହାଡ ଉପରେ ରହିଛି। ଲୋକେ ପାହାଡ ଉପରେ ତଳକୁ ଚାଲି ଚାଲି ଆସନ୍ତି। ବର୍ଷା ଦିନ ହେଲେ ନାହିଁ ନଥିବା ହଇରାଣ ହୋଇଥାନ୍ତି। ତେବେ ଏହି ଗ୍ରାମର ସମରା ଶିଶାକୁ ରୋଗ ହେବାରୁ ସେ ଗୁରୁତର ହୋଇଯାଇଥିଲେ। ତେବେ ପରିବାର ଲୋକେ ସ୍ଥାନୀୟ ଆଶା ଦିଦିଙ୍କୁ ଖବର ଦେବା ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ତେବେ ଆମ୍ବୁଲାନ୍ସ ଘାଟି ଉପରକୁ ଯାଇପାରିବ ନାହିଁ ବୋଲି ସଫା ସଫା ମନା କରିଦେବା ପରେ ପ୍ରାୟ ତିନି କିଲୋମିଟରରୁ ଉର୍ଦ୍ଧ୍ବ ବାଟ ଚାଲି ଚାଲି ରୋଗକୁ ଏକ ଡାଲାରେ କାଉଟି କରି ପରିବାର ଲୋକେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ। ତେବେ ସାଥିରେ ପରିବାର ଲୋକେ ମଧ୍ୟ ଚାଲି ଚାଲି ଆସିଥିଲେ। ଆମ୍ବୁଲାନ୍ସ ମୁଖ୍ୟ ରାସ୍ତାରେ ରୋଗୀଙ୍କୁ ଅପେକ୍ଷା କରିଥିଲା। ତେବେ ଯେଉଁ ରାସ୍ତାରେ ରୋଗୀକୁ ବୋହି ଅଣାଯାଉଥିଲା ସେହି ରାସ୍ତା ଅତି କଦର୍ଯ୍ୟ ହୋଇପଡିଛି। ପାଦରେ ଚାଲିଯିବା ମଧ୍ୟ କଷ୍ଟକର। ତେବେ ପରିବାର ଲୋକେ ଯେକୌଣସି ପ୍ରକାରେ ଏକ ଛୋଟିଆ ଡାଲାରେ ରୋଗୀକୁ ବସାଇ ନେଉଥିବା ଦେଖିବାକୁ ମିଳିଥିଲା।ଦୁର୍ଗମ ଅଂଚଳର ଲୋକେ ଆଜି ବି ଅତି ଦୟନୀୟ ଭାବେ ବଞ୍ଚୁଛନ୍ତି। ସରକାର ଗାଁ ଲୋକଙ୍କ ପାଇଁ କାହିଁ କେତେ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଏଠାରେ ସେସବୁ ସାତସପନ ଭଳି ଲାଗୁଛି। ତାଗବେଡା ଗ୍ରାମବାସୀ କେବଳ ରୋଗୀଙ୍କୁ ନେବା କିମ୍ବା ଆଣିବାରେ କଷ୍ଟ ଉଠାଉ ନାହାନ୍ତି ବରଂ ପଞ୍ଚାୟତ ସଦର ମହକୁମାକୁ ଚାଉଳ ପାଇଁ ହେଉ ବା ଭତ୍ତା ପାଇଁହେଉ ଆସିବାକୁ ବହୁ କଷ୍ଟ ଭୋଗୁଛନ୍ତି। ଗାଁକୁ ରାସ୍ତା ନଥିବାରୁ ବର୍ଷା ଦିନେ ଲୋକେ ସବୁଠାରୁ ବେଶୀ କଷ୍ଟ ସ୍ବୀକାର କରୁଥିବା କହିଥିଲେ। ପୁଣି ଗର୍ଭବତୀଙ୍କୁ ମେଡିକାଲକୁ ନେବା ସବୁଠାରୁ ବିପଦପୂର୍ଣ୍ଣ ବୋଲି କହନ୍ତି। ପାହାଡିଆ ରାସ୍ତା ହୋଇଥିବାରୁ ଯଦି ପାଦ ଖସିଯାଏ ତେବେ ସିଧା ପାହାଡ ତଳକୁ ଖସି ମୃତ୍ୟୁବରଣ କରିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେବେ ତୁରନ୍ତ ତାଗବେଡା ଗ୍ରାମକୁ ଏକ ପକ୍କା ରାସ୍ତା ନିର୍ମାଣ କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Leave A Reply

Your email address will not be published.